ଶ୍ରୀନଗର ବିମାନବନ୍ଦରରେ ଅଟକ ବିରୋଧରେ ଗଣ ପ୍ରତିବାଦ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଆମ ଦେଶର ପ୍ରଧାନମନ୍ତ୍ରୀ ଯେତେବେଳେ ସୁଦୂର ଆମେରିକାରେ “ଦେଶ ଠିକ୍ଠାକ୍ ଚାଲିଛି’ ବୋଲି ପ୍ରବାସୀ ଭାରତୀମାନଙ୍କୁ ଉଦ୍ବୋଧନ ଦେଉଛନ୍ତି, ବୈଦେଶିକ ମନ୍ତ୍ରୀଙ୍କ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ କାଶ୍ମୀରେ କୌଣସି ଅସୁବିଧା ନାହିଁ ବୋଲି ବୟାନବାଜି କରୁଛନ୍ତି, ସେତେବେଳେ ବାସ୍ତବରେ କାଶ୍ମୀରବାସୀଙ୍କୁ ଅଦ୍ୟାବଧି ଦୀର୍ଘ ୬୦ ଦିନ କାଳ ସମଗ୍ର ଦେଶ ଓ ବିଶ୍ୱରୁ ବିଚ୍ଛିନ୍ନ କରି ପିଞ୍ଜରାବଦ୍ଧ କରି ରଖାଯାଇଛି । ବାସ୍ତବରେ କାଶ୍ମୀରରେ କ’ଣ ଚାଲିଛି ସେ ସର୍ମ୍ପକରେ ଅନୁଧ୍ୟାନ କରିବାକୁ ରାଜନୈତିକ ଦଳ, ଗଣମାଧ୍ୟମ, ମାନବାଧିକାର ସଂଗଠନ କିମ୍ବା ତଥ୍ୟାନୁସନ୍ଧାନକାରୀ ଦଳମାନଙ୍କୁ କୌଣସି ସୁଯୋଗ ଦିଆଯାଉ ନାହିଁ । ତେଣୁ ଗତ ୨ ମାସ ଧରି କେନ୍ଦ୍ର ସରକାର କାଶ୍ମୀରକୁ ସୈନ୍ୟବାହିନୀ ପଠାଇ ଏକ କୋଟି କୋଡ଼ିଏ ଲକ୍ଷ କାଶ୍ମୀରବାସୀଙ୍କୁ “ସମ୍ଭାବ୍ୟ ଉଗ୍ରପନ୍ଥୀ’ ଆଖ୍ୟା ଦେଇ ଓ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଗୃହବନ୍ଦୀ କରି ୩୭୦ ଧାରା ଉଚ୍ଛେଦ ଏକ ଐତିହାସିକ ପଦକ୍ଷେପ ବୋଲି ଯେଉଁ ଘୋଷଣା କରିଥିଲେ ତାହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି ଏବେ ପ୍ରମାଣିତ ହୋଇଚାଲିଛି ବୋଲି ବିଭିନ୍ନ ମାନବାଧିକାର ସଂଗଠନ ଅଭିଯୋଗ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗତକାଲି ମାନବାଧିକାର ତଥା ପରିବେଶ ପାଇଁ କାମ କରୁଥିବା ଗ୍ରୀନ୍ ନୋବେଲ୍ ବିଜେତା ପ୍ରଫୁଲ୍ଲ ସାମନ୍ତରା, ରମଣ ମାଗାସେ ପୁରସ୍କାରପ୍ରାପ୍ତ ସନ୍ଦୀପ ପାଣ୍ଡେ, ସାମାଜିକ କର୍ମୀ ଫୈଜଲ ଖାନ୍ ଓ ଅନ୍ୟମାନଙ୍କ ନେତୃତ୍ୱରେ କାଶ୍ମୀରର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାକୁ ଯାଉଥିବା ପ୍ରତିନିଧି ଦଳଙ୍କୁ ଶ୍ରୀନଗର ବିମାନ ବନ୍ଦରରେ ଅଟକ ରଖିବା ଘଟଣାକୁ ଅଣସାମ୍ବିଧାନିକ ଓ ମାନବିକ ଅଧିକାର ଉଲଂଘନ ଭାବେ ଦର୍ଶାଇ ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ସେମାନେ କହିଛନ୍ତି ଯେ, ସମଗ୍ର କାଶ୍ମୀରବାସୀଙ୍କୁ ଅନ୍ଧକାରରେ ରଖି ସେମାନଙ୍କର ଇଚ୍ଛାକୁ ସମ୍ମାନ ନଦେଇ ଗୋଟିଏ ରାଜ୍ୟକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ଓ ସମଗ୍ର ଦେଶରେ କାଶ୍ମୀରବାସୀଙ୍କ ବିରୁଦ୍ଧରେ ଯୁଦ୍ଧ ବିରୋଧୀ ଉନ୍ମାଦନା ସୃଷ୍ଟି କରିବା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ କଦାପୀଯ ସ୍ପୃହଣୀୟ ନୁହେଁ । ସମଗ୍ର କାଶ୍ମୀରରେ ଜୀବନ ଜୀବିକା, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଭୁଷୁଡ଼ି ପଡ଼ିଛି । ଫୋନ୍ ଓ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିବା ବେଳେ ଉଭୟ କାଶ୍ମୀର ଭିତରୁ ଓ ବାହାରୁ କାଶ୍ମୀରବାସୀଙ୍କୁ ପରସ୍ପରର ଆତ୍ମୀୟସ୍ୱଜ୍ଜନମାନଙ୍କ ସହ ସମ୍ପର୍କ ରଖିବାକୁ ସୁଯୋଗ ଦିଆଯାଉ ନାହିଁ । ଯେତେବେଳେ ଭାରତୀୟ ଅର୍ଥନୀତି ଦିନକୁ ଦିନ ଅବନତି ଆଡ଼କୁ ଗତି କରୁଛି, ବେକାର ଯୁବକ ଯୁବତୀମାନଙ୍କର ନିଯୁକ୍ତି ଦିନକୁ ଦିନ ସଙ୍କୁଚିତ ହେଉଛି, ଘରୋଇକରଣ ଯୋଗୁ ସରକାରୀ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଭୁଷୁଡ଼ି ପଡ଼ୁଛି ଓ କୃଷକ ଆତ୍ମହତ୍ୟା କରୁଛି, ସେତେବେଳେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଅତ୍ୟନ୍ତ ଜନବିରୋଧୀ ଭାବେ ସୂଚନା ଅଧିକାର ଆଇନ୍, ମାନବିକ ଅଧିକାର ଆଇନ୍, ୟୁଏପିଏକୁ ସଂଶୋଧନ କରିସାରିଥିବା ବେଳେ ଜଙ୍ଗଳ ଆଇନ୍ ଓ ଶ୍ରମ ଆଇନ୍ ସଂଶୋଧନ କରିବାକୁ ଯାଉଛନ୍ତି । ଫଳରେ ସମ୍ଭାବ୍ୟ ପରିସ୍ଥିତି ଓ ଜନସାଧାରଣଙ୍କ ଆକ୍ରୋଶରୁ ରକ୍ଷା ପାଇବା ପାଇଁ ସରକାର ଜନ ଜୀବନର ଏହିସବୁ ଜ୍ୱଳନ୍ତ ସମସ୍ୟାରୁ ଲୋକଙ୍କ ଦୃଷ୍ଟି ହଟାଇ ନେବାକୁ କାଶ୍ମୀର ଭଳି ସମ୍ବେଦନଶୀଳ ସମସ୍ୟାକୁ ଗଣତାନ୍ତ୍ରିକ ଓ ରାଜନୈତିକ ଭାବେ ସମାଧାନ ନ କରି ସାମରିକ ବଳ ପ୍ରୟୋଗ କରି ନିଆଁରେ ଘିଅ ଢାଳୁଛନ୍ତି । ସେମାନେ ଅଭିଯୋଗ କରିଥିଲେ ଯେ, କାଶ୍ମୀରରୁ ୩୭୦ ଧାରା ଆଳରେ ଦେଶର ବିଭିନ୍ନ ରାଜ୍ୟକୁ ମିଳୁଥିବା ସ୍ୱତନ୍ତ୍ର ବ୍ୟବସ୍ଥା, ସ୍ୱତନ୍ତ୍ର ଆଇନ୍ ଓ ସମ୍ବିଧାନର ପଞ୍ଚମ ତଥା ଷଷ୍ଠ ଅନୁଚ୍ଛେଦ ଅନୁଯାୟୀ ଆଦିବସୀବହୁଳ ଅଞ୍ଚଳ ଗୁଡ଼ିକ ପାଉଥିବା ସ୍ୱାୟତ୍ତତାକୁ ବିଲୋପ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏହା ଏକ ସୁଦୂରପ୍ରସାରୀ ଷଡ଼ଯନ୍ତ୍ର । ଏହା ମାଧ୍ୟମରେ ଦେଶର ସଂଘୀୟ ବ୍ୟବସ୍ଥାକୁ ବିଲୋପ କରି ଏକଛତ୍ରବାଦ ପ୍ରତିଷ୍ଠା କରିବା ଦିଗରେ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି । ତେଣୁ କାଶ୍ମୀରର ୩୭୦ ଧାରା ପୁନର୍ବାର ଲାଗୁକରି ସାଧାରଣ ସ୍ଥିତି ଫେରାଇ ଆଣିବା, ଲୋକଙ୍କ ବିଶ୍ୱାସକୁ ନେଇ ସରକାର ଗଣତାନ୍ତ୍ରିକ ଓ ରାଜନୈତିକ ପ୍ରକ୍ରିୟାରେ କାଶ୍ମୀର ସମସ୍ୟାକୁ ସମାଧାନ କରିବାକୁ ସେମାନେ ଦାବି କରିଥିଲେ, ଅନ୍ୟପକ୍ଷରେ ସମସ୍ତ ରାଜନୈତିକ ତଥା ମାନବାଧିକାର ସଂଗଠନ ଓ ଗଣମାଧ୍ୟମକୁ କାଶ୍ମୀରର ବାସ୍ତବ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଅବାଧ ଯାତାୟାତର ସୁଯୋଗ ଦେବା ପାଇଁ ମଧ୍ୟ ସେମାନେ ଦାବି କରିଥିଲେ । ଏହି ପ୍ରତିବାଦରେ ଭାରତ ପାକିସ୍ତାନ ମୈତ୍ରୀ ମଞ୍ଚ, ଅଖିଳ ଭାରତ ଜନମଞ୍ଚ, ଇନ୍ସାଫ୍, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଲୋକଶକ୍ତି ଅଭିଯାନ, ସିପିଆଇ (ଏମ୍.ଏଲ୍), ସିପିଆଇ (ଏମ୍.ଏଲ୍) ଲିବରେସନ, ସମାଜବାଦୀ ପାର୍ଟି, ମାନବ ଅଧିକାର ସୁରକ୍ଷା ମଞ୍ଚ, ଦି ପିପୁଲ୍ ପ୍ରମୁଖ ସଂଗଠନମାନଙ୍କ ସହିତ ବହୁ ସଂଖ୍ୟକ ମାନବିକ ଅଧିକାର, ରାଜନୈତିକ ଓ ସାମାଜିକ କର୍ମୀମାନେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ