ଶ୍ରୀବଳଦେବଜୀଉଙ୍କୁ ପଚା ଘିଅ ଅର୍ପଣ ସନ୍ଧ୍ୟା ନୀତିରେ ବିଳମ୍ବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀସିଦ୍ଧବଳଦେବଜୀଉଙ୍କୁ ପଚା ଘିଅ ଅର୍ପଣ କରାଯାଉଛି । ଯାହାକୁ ନେଇ କେତେକ ସେବାୟତ ପ୍ରଶ୍ନ ଉଠାଇଛନ୍ତି । ଏହାକୁ ନେଇ ଗୁରୁବାର ସନ୍ଧ୍ୟାରେ ସନ୍ଧ୍ୟା ନୀତି ବିଳମ୍ବ ଘଟିଛି । ଏହା ପ୍ରଚାରିତ ହେବା ପରେ ଘିଅର ପ୍ରସ୍ତୁତି ମାସ, ବ୍ୟାଚ ନଂ, ଏକ୍ସପାଇରୀ ତାରିଖ ଇତ୍ୟାଦି ଯାଞ୍ଚ କରାଯାଇଥିଲା । ହେଲେ ଏ ସମସ୍ତ କୈାଣସି ଘିଅ ଟିଣରେ ଉଲ୍ଲେଖ ହୋଇ ନଥିବା ଜଣାପଡିଥିଲା । ତେଣୁ ଦୀର୍ଘଦିନ ଧରି ଏକ ରାକେଟ୍ ଏହା ପଛରେ କାର୍ଯ୍ୟ କରୁଥିବା କେତେକ ସେବାୟତ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି ଓମ୍ଫେଡ ଠାରୁ ପ୍ରଶାସନ ଘିଅ କିଣୁଥିବା ବେଳେ କିପରି ଏହାର ପ୍ରସ୍ତୁତି ତାରିଖ, ଏକ୍ସପାରୀ ତାରିଖ ନ ଦେଖି ଏହାକୁ କିଣୁଥିଲା । ବାସ୍ତବରେ ପ୍ରଶାସନ ଓମ୍ଫେଡ ଘିଅ କିଣୁଥିଲା କି ନକଲି ଘିଅ କିଣୁଥିଲା ତାହା ମଧ୍ୟ ସନ୍ଦେହ ସୃଷ୍ଟି କରିଛି । କାରଣ ଏହି ଘିଅ ଟିଣକୁ ଦେଖିଲେ ଜଣାପଡୁଛି ଏହା ଓମ୍ଫେଡ କମ୍ପାନୀର ନୁହେଁ । କାରଣ ଓମ୍ଫେଡ କେବେହେଲେ ବିନା ପ୍ରସ୍ତୁତି ତାରିଖ ଓ ଏକ୍ସପାରୀ ତାରିଖ ନ ଥିବା ଘିଅ ବଜାରକୁ ଛାଡିବ ନାହିଁ । ତେଣୁ କୌଣସି ନକଲି କମ୍ପାନୀ ନିମ୍ନମାନର ପଚା ଘିଅ ମନ୍ଦିରକୁ ଯୋଗାଉଥିଲା । ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ଜାଣତରେ ଏହି ରାକେଟ୍ ଚାଲୁଥିଲା । କାରଣ ଉପଜିଲ୍ଲାପାଳ ହେଉଛନ୍ତି ଶ୍ରୀବଳଦେବଜୀଉ ଦେବୋତ୍ତର ବୋର୍ଡର ଅଧ୍ୟକ୍ଷ । ସେ ମଧ୍ୟ ଏହାକୁ ଯାଞ୍ଚ କରିବା କଥା । ହେଲେ କେହି ଏହାକୁ ଯାଞ୍ଚକରୁ ନଥିଲେ । ତେଣୁ ସଲାସୁତରାରେ ଠାକୁରଙ୍କୁ ନକଲି କମ୍ପାନୀର ପଚା ଘିଅ ଦୀର୍ଘ ଦିନ ଧରି ଅର୍ପଣ କରାଯାଉଥିଲା । ଗୁରୁବାର ଏହା ଲୋକଲୋଚନକୁ ଆସିଥିଲା । ତେଣୁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର କାର୍ଯ୍ୟ ପ୍ରତି ସେମାନେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଏହା ଜଣାପଡିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ଘିଅର ବ୍ୟବହାରକୁ ବନ୍ଦ କରାଯାଇଥିଲା । ଏହାକୁ ନେଇ ମନ୍ଦିରରେ ସନ୍ଧ୍ୟା ନୀତି ବିଳମ୍ବ ହୋଇଥିଲା । ସନ୍ଧ୍ୟା ନୀତି ରାତି ୮ଟା ପରିବର୍ତ୍ତେ ରାତି ସାଢେ ୯ଟାରେ ହୋଇଥିଲା ବୋଲି ଜଣେ ସେବାୟତ କହିଛନ୍ତି । ଏହିପରି ପଚାଘିଅ ଏବେ ୯୦ କିଲୋ ରହିଛି । ପ୍ରତିଦିନ ଠାକୁରଙ୍କୁ ସାଢେ ୩ କିଲୋ ଘିଅ ଅର୍ପଣ କରାଯାଇଥାଏ । ଏଥିରେ ଠାକୁରଙ୍କ ପ୍ରସାଦ ପ୍ରସ୍ତୁତ କରାଯାଇଥାଏ । ଏ ସଂକ୍ରାନ୍ତରେ ମନ୍ଦିର ପ୍ରଶାସନର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କହିଛନ୍ତି ବଡ଼ପଣ୍ଡା ଘିଅର ମାନକୁ ନେଇ ପ୍ରଶ୍ନ କରିବାରୁ ଆମେ ଯାଞ୍ଚ କରିଥିଲୁ । ଘିଅ ଟିଣରେ ପ୍ରସ୍ତୁତି ତାରିଖ ଓ ଏକ୍ସପାରୀ ତାରିଖ ଉଲ୍ଲେଖ ନ ଥିଲା । ତେଣୁ ଆମେ ଘିଅ ଯୋଗାଣକାରୀ ସଂସ୍ଥା ସହ ଯୋଗାଯୋଗ କରିଥିଲୁ । ସେ ଏହାକୁ ବଦଳ କରିଦେବେ ବୋଲି କହିଥିଲେ । ୬ଟି ଟିଣରେ ଥିବା ୯୦ କିଲୋ ଘିଅକୁ ବଦଳାଇ ଦିଆଯିବ । ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥାନୀୟ ବଜାରରୁ ଘିଅ କିଣାଯାଇ ଠାକୁରଙ୍କ ନୀତି ପ୍ରସ୍ତୁତି କରାଯାଇଥିଲା ବୋଲି ସେ କହିଥିଲେ । ଅପରପକ୍ଷରେ ଏହି ଘିଅ ଟିଣରେ ଓମ୍ଫେଡ ବିଶୁଦ୍ଧ ଘିଅ ଲେଖାଯାଇଥିଲେ ମଧ୍ୟ ଏହା ଅସଲି କି ନକଲି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘିଅକୁ ଲାବୋରେଟୋରୀରେ ପରୀକ୍ଷା କରାଗଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି କେତେକ ସେବାୟତ କହିଛନ୍ତି ।