ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ଆଗେଇ ଚାଲିଛି

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ବିଶ୍ୱର ସର୍ବବୃହତମ ରଥ ହେଉଛି କେନ୍ଦ୍ରାପଡା ସହରର ଇଛାପୁରସ୍ଥିତ ତୁଳସୀ କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ । ଆସନ୍ତା ୨୩ତାରିଖରେ ଶ୍ରୀଜୀଉଙ୍କ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ହେବାକୁ ଯାଉଛି । ଏହି ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ତୁଳସୀକ୍ଷେତ୍ରାଧିପତି ସିଦ୍ଧ ଶ୍ରୀବଳଦେବଜୀଉ ବ୍ରହ୍ମତାଳଧ୍ୱଜ ରଥରେ ବିରାଜମାନ କରିଥାନ୍ତି । କିନ୍ତୁ ଚଳିତବର୍ଷ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖାଯାଇ ଶ୍ରୀଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ସନ୍ଦେହ ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ତୁଳସୀକ୍ଷେତ୍ରରେ ରଥ ଗଢା କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଥିବା ଦେଖିବାକୁ ମିଳିଛି । ଗତ ସ୍ନାନପୂର୍ଣ୍ଣିମାରେ ଚକ ଡେରାଲାଗି ହୋଇ ବରାନ୍ଦ ଯୋଡା କାର୍ଯ୍ୟ ଆରମ୍ଭ ହୋଇଛି । ଆଷାଢ କୃଷ୍ଣପକ୍ଷ ଏକାଦଶୀ ତିଥିରେ ନାହାକା ପୂଜା ପୂର୍ବକ ଯୋଡା ହେବ ବୋଲି ରଥ ନିର୍ମାଣର ମୁଖ୍ୟ ମହାରଣା ରଘୁନାଥ ମହାରଣା ସୂଚନା ଦେଇଛନ୍ତି । ଏହି ବିଶ୍ୱର ସର୍ବ ବୃହତ ରଥର ଉଚ୍ଚତା ହେଉଛି ୪୩ହାତ ୧୦ ଆଙ୍ଗୁଳି । କଳସ ଓ ନେତକୁ ବାଦ ଦେଲେ ରଥର ଉଚ୍ଚତା ହେଉଛି ୬୫ଫୁଟ ୬ଇଂଚ ଏବଂ ବ୍ୟାସ ହେଉଛି ୩୮ଫୁଟ । ୧୭୨୮ ମସିହାରେ ମରହଟା ସନ୍ୟାସୀ ସନ୍ଥ ଗୋପାଳ ଦାସ ତୁଳସୀକ୍ଷେତ୍ରରେ ଅବସ୍ଥାନ ସମୟରେ ଶ୍ରୀବଳଦେବଜୀଉଙ୍କ ଶ୍ରୀ ମନ୍ଦିର ଓ ଗୁଣ୍ଡିଚା ମନ୍ଦିର ନିର୍ମିତ ହୋଇଥିବା ଇତିହାସରୁ ଜଣାପଡେ । ଏହି ସନ୍ଥ ହିଁ ବିଶ୍ୱ ବିଖ୍ୟାତ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥର ପ୍ରବର୍ତ୍ତକ ବୋଲି ଦେବୋତ୍ତର ବିଭାଗର ଟ୍ରଷ୍ଟବୋର୍ଡର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କୁହନ୍ତି । ଦ୍ୱିବିନ୍ଦ ଦାନବ ବଦ୍ଧ କାଳରେ ତାଳବଣରେ ବ୍ରହ୍ମା ଶ୍ରୀବଳଦେବଜୀଉଙ୍କୁ ଏହି ବ୍ରହ୍ମତାଳଧ୍ୱଜ ରଥ ପ୍ରଦାନ କରିଥିବା କଥିତ ଅଛି । ଶ୍ରୀବଳଦେବଜୀଉ ହେଉଛନ୍ତି ବାସୁଦେବ ଓ ଅନନ୍ତ । ପ୍ରଥମେ ଶ୍ରୀବଳଦେବଜୀଉ ତୁଳସୀକ୍ଷେତ୍ରରେ ଏକାକୀ ପୂଜା ପାଉଥିଲେ । ପରବର୍ତ୍ତୀ ସମୟରେ ଜଗନ୍ନାଥ ଓ ସୁଭଦ୍ରା ପୂଜା ପାଉଛନ୍ତି । ରଥନିର୍ମାଣର ପାରମ୍ପରିକ ରିତୀନୀତି ସମ୍ପର୍କରେ ଦେବୋତ୍ତର ବିଭାଗର ଟ୍ରଷ୍ଟବୋର୍ଡର ନିର୍ବାହୀ ଅଧିକାରୀ ଶ୍ରୀ ପତ୍ରୀ କୁହନ୍ତି ଯେ ଦୋଳପୂର୍ଣ୍ଣିମା ପରଦିନ ଚୈତ୍ରକୃଷ୍ଣ ପ୍ରତିପଦ ତିଥିରେ ରଥ ନିର୍ମାଣ ପାଇଁ ନିର୍ଦ୍ଦିଷ୍ଟ ବୃକ୍ଷରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ବନ୍ଧାଯାଇ ପୂଜା କରାଯାଇ ବୃକ୍ଷ କଟା କାର୍ଯ୍ୟ ଆରମ୍ଭ କରାଯାଏ । ଅକ୍ଷୟତୃତୀୟାରେ ଏହି କାଠକୁ ପୂଜା କରାଯାଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥାଏ । ଏହି ରଥ ନିର୍ମାଣ ପାଇଁ ପୂର୍ବରୁ ବ୍ୟବହୃତ କାଠ ଲାଗିଥିବା ବେଳେ ୨ଟି ନୂତନ ଚକ ଓ ଅଖ ବଦଳାଯିବାର ବିଧାନ ରହି ଆସିଛି । ବିଗତବର୍ଷର ବଳକା କାଠ ମଧ୍ୟ ଚଳିତବର୍ଷ ରଥ ନିର୍ମାଣରେ ବ୍ୟବହୃତ ହେଉଛି । ଆଉମାତ୍ର ୭ଦିନ ମଝିରେ ରହିଛି କାରଣ ଆସନ୍ତା ୨୦ତାରିଖରେ ଶ୍ରୀଜୀଉଙ୍କ ନେତ୍ରୋତ୍ସବ ଅବସରରେ ରଥ ପୂଜା ଅନୁଷ୍ଠିତ ହେବ । ତେଣୁ ରାତିଦିନ ଲାଗି ରଥ ନିର୍ମାଣ କାର୍ଯ୍ୟ କରାଯିବାକୁ ସ୍ଥିର କରାଯାଇଥିବା ଟ୍ରଷ୍ଟବୋର୍ଡର ନିର୍ବାହୀ ଅଧିକାରୀ ଶ୍ରୀ ପତ୍ରୀ କୁହନ୍ତି । ମୁହଁରେମାସ୍କ ପିନ୍ଧି ଓ ସାମାଜିକ ଦ୍ୱରତ୍ୱ ରକ୍ଷା କରାଯାଇ ଏହି କାର୍ଯ୍ୟ ଚାଲିଛି । ଶ୍ରୀଜୀଉଙ୍କ ନେତ୍ରୋତ୍ସବ ପୂର୍ବରୁ ଆମକୁ ରଥ ନିର୍ମାଣ ଶେଷ କରିବାକୁ ପଡିବ । ତେବେ ଜିଲ୍ଲା ପ୍ରଶାସନର ଅନୁମତି ମିଳିଲେ ସେତେବେଳେ ରଥଯାତ୍ରା ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ