ଶ୍ରୀବଳଦେବଜୀଉଙ୍କ ମନ୍ଦିର ବେଢାରେ ଥିବା ଭୋଗ ଦୋକାନ ନିଲାମ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ସହରର ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ବେଢା ମଧ୍ୟରେ ଥିବା ଅମଣିହା ଭୋଗ ଦୋକାନକୁ ପୂର୍ବ ନିର୍ଦ୍ଧାରିତ ନୋଟିସ ଅନୁସାରେ ବୁଧବାର ପୂର୍ବାହ୍ନ ସାଢେ ୧୧ଟାରେ ଆସନ୍ତା ୩ବର୍ଷ ନିମନ୍ତେ ବାର୍ଷିକ ଭିତିରେ ପ୍ରକାଶ୍ୟ ନିଲାମ କରାଯାଇଛି । ଏହି ନିଲାମରେ ମୋଟ ୫ଜଣ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଇଛାପୁରର ସୈାର ଚନ୍ଦ୍ର ସାହୁ୍ଙ୍କ ନିଲାମ ଡାକ ସର୍ବୋଚ୍ଚ ୨୨ଲକ୍ଷ ଦଶ ହଜାର ଏକଶତ ଟଙ୍କା ହୋଇଥିବାରୁ ଶ୍ରୀ ସାହୁଙ୍କ ନାମରେ ନିଲାମ ସିଦ୍ଧ କରାଗଲା । ପୂର୍ବରୁ ଶ୍ରୀଜୀଉଙ୍କ ଅମଣିହା ଭୋଗ ଦୋକାନ ବାର୍ଷିକ ୧୩ଲକ୍ଷ ୪୦ହଜାର ଏକଶତ ଟଙ୍କାରେ ନିଲାମ ଦିଆଯାଇଥିଲା । ନିଲାମ ସମୟରେ ଟ୍ରଷ୍ଟବୋର୍ଡ ସଦସ୍ୟ ବଳରାମ ସୁଆର, ରଞ୍ଜନ କୁମାର ପୃଷ୍ଟି, କେନ୍ଦ୍ରାପଡା ଦେବୋତ୍ତର ନିରୀକ୍ଷକ ଶକ୍ତି ପ୍ରସନ୍ନ ନାୟକ, ଦେବୋତ୍ତର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ନିଲାମ ସମୟରେ ଦେବୋତ୍ତର ସଂସ୍ଥାର କର୍ମଚାରୀ ଓ ପୋଲିସ ସହଯୋଗ କରିଥିଲେ ।