ଶ୍ରୀବଳଦେବଜୀଉଙ୍କ ସିଂହଦ୍ୱାରରେ ରଥଯାତ୍ରା କରିବା ଦାବିରେ ସେବକ ଓ ଶ୍ରଦ୍ଧାଳୁଙ୍କ ଧାରଣା
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା କରାଯିବା ଦାବିନେଇ ଶ୍ରୀଜୀଉଙ୍କ ସିଂହଦ୍ୱାରରେ ସେବକ ଓ ଶ୍ରଦ୍ଧାଳୁମାନେ ସୋମବାର ଅପରାହ୍ନରେ ଧାରଣରେ ବସିରହିଥିବା ଦେଖିବାକୁ ମିଳିଛି । ଶ୍ରୀଜୀଉଙ୍କ ମନ୍ଦିର ସମ୍ମୁଖରେ ଶତାଧିକ ସେବକ ଓ ଶ୍ରଦ୍ଧାଳୁମାନେ ବସିରହି ଶ୍ରୀଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ଗଡିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେବାକୁ ଦାବି କରିଛନ୍ତି । ଦୀର୍ଘ ଦଶନ୍ଧିଧରି ଚାଲିଆସିଥିବା ଶ୍ରୀବଳଦେବଜୀଉଙ୍କ ଏହି ରଥଯାତ୍ରାର ପରମ୍ପରାକୁ ବଜାୟ ରଖି ଚଳିତବର୍ଷ ରଥଯାତ୍ରା କରିବାକୁ ପ୍ରଶାସନ ଅନୁମତି ଦେବା ଆବଶ୍ୟକ ବୋଲି କହିଛନ୍ତି ସେବକ ଓ ଶ୍ରଦ୍ଧାଳୁମାନେ । ଏହି ରଥଯାତ୍ରା ପାଇଁ ଅନୁମତିକୁ ନେଇ ଶ୍ରୀଜୀଉଙ୍କ ସମସ୍ତ ରୀତିନୀତିକୁ ବନ୍ଦ କରିଦିଆଯାଇଛି । ଶ୍ରୀଜିଉଙ୍କ ସେବକ ନୃସିଂହ ଚରଣ ପତ୍ରୀ,ସଞ୍ଜୟ ପତ୍ରୀ ଓ ଗଗନ ପତ୍ରୀ ପ୍ରମୁଖ କହିଛନ୍ତି ଯେ ଆମେ ଠାକୁରଙ୍କ ସମସ୍ତ ରୀତିନୀତିକୁ ବନ୍ଦ କରିଦେଇଛୁ । ଯେପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ଅନୁମତି ପ୍ରଦାନ ନକରିଛନ୍ତି ସେ ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ସମସ୍ତ ରୀତିନୀତି ବନ୍ଦ ରହିବ । ପୁରୀ ଶ୍ରୀକ୍ଷେତ୍ରରେ ସାନଭାଇ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଅନୁମତି ମିଳିଥିବା ବେଳେ ତୁଳସୀକ୍ଷେତ୍ରରେ ତାଙ୍କ ବଡଭାଇ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ପାଇଁ କାହିଁକି ଅନୁମତି ପ୍ରଦାନ କରାଯିବନି ବୋଲି ସେବକମାନେ ପ୍ରଶ୍ନ କରିଛନ୍ତି । ମନ୍ଦିର ଦେବୋତ୍ତର କାର୍ଯ୍ୟାଳୟରେ ମନ୍ଦିର ଦେବୋତ୍ତର ସଂସ୍ଥାର ସଭାପତି ତଥା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ଆରକ୍ଷୀ ଅଧିକ୍ଷକ ନୀତି ଶେଖରଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ଘଟଣା ସମ୍ପର୍କରେ ଆଲୋଚନା କରୁଥିବା ବେଳେ ଧାରଣାସ୍ଥଳରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ସମେତ ପୋଲିସ ଫୋର୍ସ ମୃତୟନ ହୋଇଥିଲେ । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଧାରଣା ସ୍ଥଳରେ ସେବକ ଓ ଶ୍ରଦ୍ଧାଳୁମାନେ ବସିରହି ରଥଯାତ୍ରା ପାଇଁ ଅନୁମତି ପ୍ରଦାନ ନିମନ୍ତେ ନାରାବାଜି ଚଳାଇଥିବା ଦେଖାଯାଇଛି ।