ଶ୍ରୀବଳଦେବଜୀଉ ମନ୍ଦିର ଓ ଆଖପାଖ ଅଚଂଳରେ ସ୍ନାନପୂର୍ଣ୍ଣିମାରେ ୧୪୪ଧାରା
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ନଭେଲ କରୋନା କୋଭିଡ-୧୯ ସଂକ୍ରମଣ ପ୍ରତିରୋଧ ଜନିତ ଇଛାପୁରସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ଓ ଏହାର ଆଖପାଖ ଅଚଂଳରେ ଜୁନ ୫ତାରିଖ ସ୍ନାନପୂର୍ଣ୍ଣିମା ଉପଲକ୍ଷେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ହିନ୍ଦୁ ସଂସ୍କୃତିରେ ରଥଯାତ୍ରା ଏକ ପବିତ୍ର ଓ ମହାନ ପର୍ବ ହୋଇଥିବାରୁ ତଥା ରଥଯାତ୍ରାରେ ବହୁ ସଂସ୍କୃୃତିର ସମନ୍ୱୟ ଥିବାରୁ ଏଥିରେ ବହୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନଭେଲ କରୋନା କୋଭିଡ-୧୯ ବିପର୍ଯ୍ୟୟ ଘୋଷଣା କରିଥିବାରୁ କୋଭିଡ-୧୯ ସଂକ୍ରମଣକୁ ପ୍ରତିରୋଧ କରିବା ଜନିତ ଜୁନମାସ ୫ତାରିଖ ସ୍ନାନପୂର୍ଣ୍ଣିମା ଅବସରରେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ଓ ଏହାର ଆଖପାଖ ଅଚଂଳରେ ୧୪୪ ଧାରା ବଳବତ୍ତର ରହିବ । ମହାପ୍ରଭୁଙ୍କ ସ୍ନାନଯାତ୍ରା ଶେଷହେବା ଯାଏ ଏହି ସମୟରେ କେବଳ ସ୍ୱିକୃତିପାପ୍ତ ଏବଂ ଅନୁମତିପ୍ରାପ୍ତ ସେବାୟତ ଏବଂ କାର୍ଯ୍ୟରତ କର୍ମଚାରୀଙ୍କ ବ୍ୟତିତ ମନ୍ଦିରରେ କିମ୍ବା ଏହାର ଆଖପାଖ ଅଚଂଳରେ ସର୍ବସାଧାରଣଙ୍କ ଚଳପ୍ରଚଳକୁ ନିଷିଦ୍ଧ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଆଦେଶନାମା ଉପଜିଲ୍ଲାପାଳ ତଥା ଉପଖଣ୍ଡ ମ୍ୟାଜିଷ୍ଟ୍ରେଟ ଜ୍ୟୋତିଶଙ୍କର ମହାପାତ୍ର ଜାରି କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଯୋଗେ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇଦିଆଯାଇଛି ।