ଶ୍ରୀମନ୍ଦିରରେ ଜଗା ବଳିଆ ପିନ୍ଧିଲେ ରାକ୍ଷୀ
ପୁରୀ, (ୱାଇଏନ୍ଏସ୍): ଆଜି ବଳଭଦ୍ର ଜନ୍ମ ଉପଲକ୍ଷେ ଶ୍ରୀମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହୋଇଛି । ରତ୍ନ ସିଂହାସନରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ରଙ୍କୁ ବାସୁଙ୍ଗା ପାଟରେ ନିର୍ମିତ ରାକ୍ଷୀ ଲାଗି କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଟରା ସେବାୟତଙ୍କୁ ରାକ୍ଷୀ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ସରଞ୍ଜାମ ଯୋଗାଇ ଦିଆଯାଇଥିଲା । ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ସରିବା ପରେ ମଙ୍ଗଳାର୍ପଣ କରାଯାଇଥିଲା । ପରେ ପ୍ରଭୁ ସୁଦର୍ଶନଙ୍କୁ ବିମାନ ଯୋଗେ ମାର୍କଣ୍ଡ ପୁଷ୍କରିଣୀ ନିକଟକୁ ନିଆଯାଇଥିଲା । ସେଠାରେ ବଳଭଦ୍ରଙ୍କ ଜନ୍ମନୀତି ପାଳିତ ହୋଇଥିଲା । ମାଟିରେ ବଳଭଦ୍ରଙ୍କ ପିତୁଳା ନିର୍ମାଣ କରାଯାଇ ଜୀବନ୍ୟାସ ଦିଆଯାଇଥିଲା । ପଚଂଉପଚାରରେ ପୂଜା ନୀତି ଅନୁଷ୍ଠିତ ହୋଇଥିଲା । ଶୀତଳ ମଣୋହି ଓ ବନ୍ଦାପନା କରାଯାଇଥିଲା । ପରେ ଏହି ମାଟି ପିତୁଳାକୁ ମାର୍କଣ୍ଡ ପୁଷ୍କରିଣୀରେ ବିସର୍ଜ୍ଜନ କରାଯାଇଥିଲା । ଏହି ବିଶେଷ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନିକଟରେ ଗହ୍ମା ମଣ୍ଡା ଭୋଗ କରାଯାଇଥିଲା । ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ରଙ୍କ ଦୁଇ ହସ୍ତରେ ଦୁଇଟି ଲେଖାଏଁ ରାକ୍ଷୀ ଲାଗି ହୋଇଥିଲା । ଏହା ସହ ୫୪ଟି ଗୁଆରେ ନିର୍ମିତ ମାଳ ଲାଗି ହୋଇଥିଲା । ଆଜି ଦର୍ଶନ ବନ୍ଦ ରହିଥିବାରୁ ଭକ୍ତ ମାନେ ଏହି ବେଶ ଦର୍ଶନରୁ ବଂଚିତ ହୋଇଛନ୍ତି ।