ଶ୍ରୀମନ୍ଦିରରେ ଦେବ ଦୀପାବଳୀ ଓ ଶ୍ରୀଜିୟୁ ମାନଙ୍କ ଶ୍ରାଦ୍ଧ ବେଶ
କୃଷ୍ଣ ପକ୍ଷେ ଚତୁର୍ଦ୍ଦଶ୍ୟାଂ ତ୍ରିକାଳର୍ଚ୍ଚା
ବସାନତଃ, ବୃକ୍ଷ ତଣ୍ଡୁଳ କୁଯ୍ୟାତ୍ତନ୍ନଧ୍ୟେ ଘୃତୈଯୁତାନ।
ପବିତ୍ର କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ରେ ଓଡ଼ିଆ ମାନେ ସାଧାରଣତଃ ଆଲୋକ ର ଉତ୍ସବ ଦୀପାବଳୀ ପାଳନ କରୁଥିବାବେଳେ
କାର୍ତ୍ତିକ ମାସର ଅମାବାସ୍ୟା ଦିନ ପିତୃ ପୁରୁଷ ଙ୍କ ଉଦ୍ଦେଶ୍ୟ ରେ ପୟା ଶ୍ରାଦ୍ଧ ପ୍ରଦାନ କରିଥାନ୍ତି। କିନ୍ତୁ ପୁରୀ ଶ୍ରୀ ମନ୍ଦିର ରେ ମାର୍ଗଶିର ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ,ଅମାବାସ୍ୟା ଓ ଶୁକ୍ଲ
ପ୍ରତିପଦା ଏହି ତିନି ଦିନ ଦେବ ଦୀପାବଳୀ ଉତ୍ସବ ପାଳନ ହୋଇ ଶ୍ରୀ ଜିୟୁ ମାନଙ୍କ ଶ୍ରାଦ୍ଧ ବେଶ ଅନୁଷ୍ଠିତ ହୋଇଥାଏ । ଦଶରଥ, କୌଶଲ୍ୟା, ନନ୍ଦ, ଯଶୋଦା, ଦେବକୀ,
ବସୁଦେବ, ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚା ଙ୍କୁ ଶ୍ରୀ ଜିୟୁ ମାନଙ୍କ ପିତୃ ପୁରୁଷ ଭାବେ ବିବେଚନା କରା ଯାଇ ସେମାନଙ୍କ ଉଦ୍ଦେଶ୍ୟ ରେ ଦୀପ ଦାନ କରାଯାଇଥାଏ। ଶ୍ରୀ ମନ୍ଦିର ରେ ଚତୁର୍ଦ୍ଦଶୀ ତିଥି ରେ ସଂଧ୍ୟା ଧୂପ ବଢିବା ପରେ ସୁଧୁ ସୁଆର ସେବକ ମାନେ ରତ୍ନ ସିଂହାସନ ତଳେ ପାଣି ପକାଇ ସଫା କରିଥାନ୍ତି। ଭଣ୍ଡାର ମେକାପ ଚାଉଳ ରେ ଏକ ଗଛ ସିଂହାସନ ତଳେ କରିଥାନ୍ତି ପାଳିଆ ମେକାପ ବଇଠା
ମାନଙ୍କ ରେ ଘିଅ ଦେଇ ଉକ୍ତ ଚାଉଳ ଗଛ ରେ ବତୀ ଲଗାଇଥାନ୍ତି।୩ ଗୋଟି ସୁନା ଆଳତୀ ଲଗାଇବା ପରେ ପୂଜାପଣ୍ଡା ସେବକ ଚାଉଳ ଗଛ ଗୁଡ଼ିକ ସଂସ୍କାର କରି ପାଣି ଛଡ଼ାଇବା ପରେ ପଣ୍ଡା, ପତି ମହାପାତ୍ର, ମୁଦିରସ୍ତ ପ୍ରମୁଖ ସେବକ
ରତ୍ନ ସିଂହାସନ ଆରୋହଣ କରି ତିନି ବାଡ ରେ ବନ୍ଦାପନା କରିଥାନ୍ତି।
ତତ୍ପରେ ୩ ଗୋଟି ମହାଦୀପ ରେ ବନ୍ଦାପନା ହୋଇଥାଏ। ତିନି ଜଣ ପାଳିଆ ପୂଜାପଣ୍ଡା ଉକ୍ତ ମହାଦୀପ କୁ ହାତରେ ଧରି ଜୟ ବିଜୟ ଦ୍ଵାର
ପାଖକୁ ଯାଇଥାନ୍ତି । ମହାଦୀପ କଳସ କୁ ପାଳିଆ ଚୁନରା ସେବକ ଙ୍କୁ ପ୍ରଦାନ କରାଯାଏ । ଚୁନରା ସେବକ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ତେଲ, ଘିଅ ନେଇ ଅଁଳା ବେଢ଼ା ଉପରେ ଦୀପ ମାନ ଜାଳନ୍ତି। ଚନ୍ଦ୍ର
ଉଦିଆ ଜାଳି ଗଜପତି ମହାରାଜାଙ୍କ ନାମ ଉଚ୍ଚାରଣ ପୂର୍ବକ ତାଙ୍କ ମଙ୍ଗଳ କାମନା କରିଥାନ୍ତି। ଏହି ସମୟ ରେ
ରତ୍ନ ସିଂହାସନ ଉପରେ ଶ୍ରୀ ଜିୟୁ
ମାନଙ୍କ ଶ୍ରାଦ୍ଧ ବେଶ ଅନୁଷ୍ଠିତ ହୋଇଥାଏ। ପୁଷ୍ପାଳକ ସେବକ ମାନେ ଶ୍ରୀ ଜିୟୁ ମାନଙ୍କୁ ନାଗପୁରୀ ଶାଢ଼ୀ ଚାଦର ରେ ଏହି ବେଶ କରିଥାନ୍ତି। ଏହି ବେଶ ରେ ଶ୍ରୀ ଜିୟୁ
ମାନେ ଧବଳ ବସ୍ତ୍ର ପରିଧାନ କରିଥାନ୍ତି କିନ୍ତୁ ପ୍ରତ୍ୟେକ ଠାକୁର ଙ୍କର ଲୁଗା ର ଧଡ଼ି ଗୁଡ଼ିକ ଭିନ୍ନ ଭିନ୍ନ ରଙ୍ଗ ର ହୋଇଥାଏ। ବଡ଼ ଠାକୁର ଶ୍ରୀ ବଳଭଦ୍ରଙ୍କ ଲୁଗା ଧଡ଼ିର ରଙ୍ଗ
କଳା ହୋଇଥିବା ବେଳେ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ଲୁଗା ଧଡ଼ି ର ରଙ୍ଗ
ହଳଦିଆ ଓ ଦେବୀ ସୁଭଦ୍ରା ଙ୍କ ଲୁଗା ଧଡ଼ି ର ରଙ୍ଗ ନାଲି ବର୍ଣ୍ଣ ହୋଇଥାଏ।
ଶ୍ରୀ ଜିୟୁ ମାନଙ୍କ ତ୍ରିମୁଣ୍ଡିରେ ଶ୍ରୀ କପଡ଼ା ଆବୃତ କରାଯାଇଥାଏ। ଚାଦର ଟି ଶ୍ରୀ ଭୂଜ ପର୍ଯ୍ୟନ୍ତ ପ୍ରସାରିତ ହୋଇଥାଏ। ଏହି ଶ୍ରାଦ୍ଧ ବେଶ ରେ ଶ୍ରୀ ଜିୟୁ ମାନେ ତଦଗୀ,
କୁଣ୍ଡଳ, ନଳି ଭୁଜ, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, କମରପଟି, ହରିଡ଼ା ମାଳି
ପ୍ରଭୃତି ସ୍ଵର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି। ଦେବ ଦୀପାବଳୀ ପାଳନ ହେଉଥିବାରୁ ଶ୍ରୀ ମନ୍ଦିର କୁ ରଙ୍ଗୀନ ଆଲୋକ ମାଳା ରେ ସଜ୍ଜିତ କରାଯାଇଥାଏ। ଚଳିତ ବର୍ଷ ନଭେମ୍ୱର ୩୦, ଡ଼ିସେମ୍ବର ୧ ଓ ୨
ତାରିଖରେ ଶ୍ରୀ ମନ୍ଦିର ରେ ଏହି ଉତ୍ସବ ପାଳନ କରାଯିବ। ଆସନ୍ତୁ ସମସ୍ତେ ମହାପ୍ରଭୂଙ୍କ ଏହି ଉତ୍ସବରେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରିବା। ଜୟ ଜଗନ୍ନାଥ।
ସନ୍ତୋଷ କୁମାର ଦାଶ।
ତୁଳସୀପୁର। ପୁରୀ।
୯୪୩୯୩୬୧୮୮୮