ଶ୍ରୀମନ୍ଦିର ଚାରିଦ୍ୱାର ଖୋଲ-ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ବିଶିଷ୍ଟ ବୁଦ୍ଧିଜୀବୀ ଓ ଯୁବକମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡ଼ିଆ ଅସ୍ମିତା ସୁରକ୍ଷା ଜାଗରଣ ଅଭିଯାନ ପକ୍ଷରୁ ରବିବାର ଚନ୍ଦ୍ରଶେଖରପୁରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ଶ୍ରୀମନ୍ଦିରର ଚାରିଦ୍ୱାର ସରକାର ଯଦି ୧୫ ଦିନ ମଧ୍ୟରେ ନ ଖୋଲନ୍ତି ତେବେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଅଭିଯାନ ପକ୍ଷରୁ ଆହ୍ୱାନ ଦିଆଯାଇଛି ।ସୁବାର୍ତ୍ତାର ସମ୍ପାଦକ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀଙ୍କ ମୁଖ୍ୟ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଏକ ୬ଜଣିଆ ସଭାପତି ମଣ୍ଡଳୀ ଗଠିତ ହୋଇଛି । ଏହି ସଭାପତି ମଣ୍ଡଳୀରେ ପ୍ରଫେସର ଡଃ ଦାଶ ବେନହୂର, ପୂର୍ବତନ ପ୍ରଶାସକ ପଞ୍ଚାନନ ଦାସ, ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଡଃ କୃଷ୍ଣଚନ୍ଦ୍ର ଆଇଚି, ଶ୍ରୀମତୀ ସଂଘମିତ୍ରା ରାଜଗୁରୁ ଓ ଡଃ କୁଳମଣି ଶଢଙ୍ଗୀ ରହିଥିବା ବେଳେ ଯୁବକମାନଙ୍କ ପ୍ରେରଣାର ଉତ୍ସ ଇଂ ସୌମ୍ୟରଞ୍ଜନ ସାମଲ, ନାରାୟଣ ଚନ୍ଦ୍ର ଓଝା ଓ ଆଶୀଷ ମହାପାତ୍ର ସଂଯୋଜକ ରହିଛନ୍ତି ।ଖୁବ୍ କମ୍ ଦିନରେ ଏହି ବୈଠକର ଏକ ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ ହୋଇ ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଠାରୁ ସୀମା ସୁରକ୍ଷା ଯାତ୍ରା ଓଡ଼ିଶାର ଶେଷ ସୀମା କୋଟିଆ ପର୍ଯ୍ୟନ୍ତ ଯିବ । ଓଡ଼ିଶାର ବିଭିନ୍ନ ସମସ୍ୟାକୁ ନେଇ ଏକ ସଂକ୍ଷିପ୍ତ ପୁସ୍ତକ ଏକଲକ୍ଷ ଛପାଯାଇ ସାରା ଓଡ଼ିଶାରେ ବଣ୍ଟାଯିବ । ଶ୍ରୀଜଗନ୍ନାଥଙ୍କ ସମସ୍ତ ସମ୍ପତ୍ତିର ମୂଲ୍ୟାୟନ ଓ ରତ୍ନ ଭଣ୍ଡାରର ସମସ୍ତ ରତ୍ନର ଗଣତି ପାଇଁ ଦୃଢ ଦାବି କରାଯିବ । ଆବଶ୍ୟକ ହେଲେ ଶ୍ରୀମନ୍ଦିର ସିଂହଦ୍ୱାରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯିବ । ଓଡ଼ିଆ ଅସ୍ମିତାକୁ କ୍ଷତି କରୁଥିବା ମନ୍ତ୍ରୀ, ନେତା, ପ୍ରଶାସକଙ୍କୁ ସବୁ କ୍ଷେତ୍ରରେ ବାସନ୍ଦ କରାଯିବ ।ଏହି ବୈଠକରେ ପୂର୍ବ ସୂଚନା ନିର୍ଦ୍ଦେଶକ ଗୋପାଳ ମହାପାତ୍ର, ସମାଜସେବୀ ଦେବୀ ପ୍ରସାଦ ଚୌଧୁରୀ, ଡାକ୍ତର ଗୌରାଙ୍ଗ ଚରଣ ତ୍ରିପାଠୀ, ଯୁବନେତା ପ୍ରସନ୍ନ ବିଶୋଇ, ଭାଷା ଆନ୍ଦୋଳନ ନେତା ସୀତାବଲ୍ଲଭ ମହାପାତ୍ର, ସମାଜସେବୀ ବିଜୟ ପରିଡ଼ା, କବି ଦୁର୍ଗାଚରଣ ଶଢଙ୍ଗୀ ଆଗାମୀ ଦିନର ଓଡ଼ିଆ ଅସ୍ମିତାର ଲଢେଇରେ ଯୁବକ ଛାତ୍ରମାନେ ସାମିଲ୍ ହେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କଳାକାର ପ୍ରମୋଦ ପତି, ପୂର୍ବ କର୍ପୋରେଟର ନରେନ ସାହୁ, ସରୋଜିନୀ ମିଶ୍ର, ସଂଯୁକ୍ତା ମିଶ୍ର, ବାସନ୍ତୀ ତ୍ରିପାଠୀ, ଦୀପକ ପ୍ରଧାନ, ଦେବଜିତ ମଲ୍ଲିକ, ଅରୁଣ ସୂତାର, କ୍ରାନ୍ତିକୁମାର ସାକସେନା ପ୍ରମୁଖ ନିଜର ମନ୍ତବ୍ୟ ରଖିଥିଲେ । ଡଃ ନିବେଦିତା ମହାନ୍ତି ଧନ୍ୟବାଦ ଦେଇଥିଲେ ଓ କାର୍ଯ୍ୟକ୍ରମକୁ ଭବାନୀ ରାଉତ, ସମାଜସେବୀ ବରୁଣରାଜ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ