‘ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ’ପକ୍ଷରୁ ବିକ୍ଷୋଭ
ବାଲେଶ୍ୱର, (ସରୋଜ ପଣ୍ଡା) :-ରାଜ୍ୟ ସରକାରଙ୍କ ଅଦୂରଦର୍ଶୀ କାର୍ଯ୍ୟଧାରା ଯୋଗୁଁ ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଅସୁରକ୍ଷିତ ସ୍ଥିତିକୁ ଯାଉଥିବା ଅଭିଯୋଗରେ ‘ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ’ ପକ୍ଷରୁ ସମଗ୍ର ରାଜ୍ୟରେ ବିରୋଧ ପ୍ରଦର୍ଶନ ହେଉଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନରୂପ ପ୍ରତିଫଳନ ଦେଖିବାକୁ ମିଳିଛି । ସଂଗଠନର ଜିଲାସ୍ତରୀୟ କର୍ମକର୍ତ୍ତା ଓ ସଦସ୍ୟଙ୍କୁ ନେଇ ଗାନ୍ଧି ସ୍ମୃତି ଭବନ ନିକଟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ସେଠାରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ‘ଶ୍ରୀମନ୍ଦିର ପରିକ୍ରମା’ପ୍ରକଳ୍ପର ନିର୍ମାଣରେ ରାଜ୍ୟ ସରକାରଙ୍କ ଅପରିପକ୍ୱ କାର୍ଯ୍ୟକାଳପକୁ ତୀବ୍ର ସମାଲୋଚନା କରିଥିଲେ । ଦୀର୍ଘ ୧୦୦୦ ବର୍ଷରୁ ଊର୍ଦ୍ଧ୍ୱ କାଳଧରି ଓଡ଼ିଆ ଜାତିର ଗର୍ବ ଓ ଗୌରବର ପ୍ରତୀକ ହୋଇ ଆସିଥିବା ଶ୍ରୀଜଗନ୍ନାଥଙ୍କ ବଡ଼ଦେଉଳ ଚତୁପାଶ୍ୱର୍ ‘ଶ୍ରୀମନ୍ଦିର ପରିକ୍ରମା’ପ୍ରକଳ୍ପର ତ୍ରୁଟିପୂର୍ଣ୍ଣ ନିର୍ମାଣ ଶୈଳୀ ପରିବର୍ତ୍ତନ ଏବଂ ଏଏସଆଇର ବିନା ଅନୁମତିରେ ଚାଲିଥିବା ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ ରଖିବାକୁ ଶ୍ରୀ ଷଡ଼ଙ୍ଗୀ ଦାବି କରିଥିଲେ । ବିଶ୍ୱ ହିନ୍ଦୁ ପରିଷଦର ଜିଲା ସଭାପତି ଡାକ୍ତର ସୁଧାଂଶୁ ପରିଡ଼ା ଏଥିରେ ଯୋଗଦେଇ ଶ୍ରୀମନ୍ଦିର ଭଳି ଏକ ଗୌରବମୟ ତଥା ଐତିହ୍ୟ ସମ୍ପନ୍ନ କୀର୍ତିରାଜିର ସୁରକ୍ଷା ତଥା ସଂରକ୍ଷଣ ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି କହିଥିଲେ । ରାଜ୍ୟ ସରକାରଙ୍କର ଅବୈଧ ମନମୁଖୀ କାର୍ଯ୍ୟ ବିରୋଧରେ ସ୍ୱର ଉତ୍ତୋଳନ ସହ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନରେ ସାମିଲ ହେବା ପାଇଁ ସେ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ସଂଗଠନ ପକ୍ଷରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିସମ୍ବଳିତ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ସ୍ମାରକପତ୍ର ପ୍ରଦାନ ବେଳେ ପୂର୍ବତନ ବିଧାୟକ ଗୌବିନ୍ଦ ଚନ୍ଦ୍ର ଦାସ, ବିଜେପି ରାଜ୍ୟ କାର୍ଯକାରିଣୀ ସଦସ୍ୟା ଶୋଭନା ମହାନ୍ତି, ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ର, ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ସିପ୍ରା ବାଜପେୟୀ, ରେଣୁ ବିଶ୍ୱାଲ, ସିପ୍ରାରେଖା ମହାପାତ୍ର, ସୁସ୍ମିତା ଚାନ୍ଦ, ମହୁଆ ପ୍ରଧାନ, କମଳା ବିନ୍ଧାଣୀ, ଶ୍ରୀନିବାସ ପ୍ରଧାନ, କମଳଲୋଚନ ଦାସ, ସୁବୋଧଚନ୍ଦ୍ର ପଣ୍ଡା, ବିଶ୍ୱହିନ୍ଦୁ ପରିଷଦର ଭଗବାନ ଦାସ ଖଣ୍ଡେଲୱାଲ, ଦେବବ୍ରତ କର, ବଳଭଦ୍ର ଶତପଥୀ, ସଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।


