ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ’ର ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅଯୋଧ୍ୟାରେ ଏକ ରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ଲାଗି ଆଜି ସଂସଦରେ ଏକ ଟ୍ରଷ୍ଟର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, “ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆମ ସରକାର ଆଜି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗଠନ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ଟ୍ରଷ୍ଟ ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ସ୍ୱାଧୀନ ଭାବେ ସମସ୍ତ ପ୍ରକାର ନିଷ୍ପତି ନେବ ।” ପ୍ରଧାନମନ୍ତ୍ରୀ କହିଛନ୍ତି, ମାନ୍ୟବର ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁଯାୟୀ ସରକାର ଉତର ପ୍ରଦେଶ ସରକାରଙ୍କୁ ପାଂଚ ଏକର ଜାଗା ସୁନି ୱାକଫ୍ ବୋର୍ଡକୁ ପ୍ରଦାନ କରିିବା ଲାଗି ଅନୁରୋଧ କରିଛନ୍ତି ଏବଂ ରାଜ୍ୟ ସରକାର ଏହି ଅନୁରୋଧ ରକ୍ଷା କରିଛନ୍ତି । ଆମ ସମସ୍ତଙ୍କୁ ଜଣା ଯେ, ପ୍ରଭୂ ଶ୍ରୀରାମ ଏବଂ ଅଯୋଧ୍ୟାର ଭାରତୀୟ ସଂସ୍କୃତି, ପରମ୍ପରା, ଐତିହ୍ୟ ଏବଂ ଆଦର୍ଶ ଉପରେ ଗଭୀର ପ୍ରଭାବ ରହିଛି । ଭବିଷ୍ୟତରେ ବହୁ ଭକ୍ତ ଶ୍ରୀରାମ ଲାଲାଙ୍କୁ ଶ୍ରଦ୍ଧାସୁମନ ଜଣାଇବା ପାଇଁ ଅଯୋଧ୍ୟା ଆଗମନ କରିବେ । ଏହାକୁ ଦୃଷ୍ଟିରେ ରଖି ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯାଉଛି । ଏହା ନିଷ୍ପତି ହୋଇଛି ଯେ, ସମସ୍ତ ୬୭.୭୦୩ ଏକର ଜମିକୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ନାମରେ କରିଦିଆଯିବ । ସୁପ୍ରିମ କୋର୍ଟଙ୍କ ଅଯୋଧ୍ୟା ରାୟ ପରେ ଶାନ୍ତି ଓ ସୌହାର୍ଦ୍ଦ ବଜାୟ ରଖିବା ଲାଗି ଦେଶବାସୀଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତବାସୀ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ପ୍ରକ୍ରିୟା ଉପରେ ଯେଉଁ ଗଭୀର ଆସ୍ଥା ପ୍ରଦର୍ଶନ କରିଛନ୍ତି ସେଥିପାଇଁ ମୁଁ ୧୩୦ କୋଟି ଭାରତୀୟଙ୍କୁ ଅଭିବାଦନ ଜଣାଉଛି । ସମସ୍ତ ଭାରତୀୟ ଗୋଟିଏ ପରିବାର ସଦୃଶ । ଏହାହିଁ ଭାରତର ମହାନ ପରମ୍ପରା । ଆମେ ସମସ୍ତ ଭାରତୀୟଙ୍କ ଖୁସି ଓ ସମୃଦ୍ଧି କାମନା କରୁ । ଆମେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ମନ୍ତ୍ର ନେଇ ପ୍ରତ୍ୟେକ ନାଗରିକର ବିକାଶ ଦିଗରେ କାର୍ଯ୍ୟରତ । ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ଦିଗରେ କାର୍ଯ୍ୟ କରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ