ଶ୍ରୀରାମ ନବମୀରେ ରାମଚରିତ ମାନସ ପଠନ ଓ ପୂଜାର୍ଚ୍ଚନା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ହିଞ୍ଜିଳିକାଟୁ ଓ ଗ୍ରାମାଞ୍ଚଳରେ ପ୍ରତିଷ୍ଠିତ ହନୁମାନ ମନ୍ଦିର ପରିସର ବେଦ ମନ୍ତ୍ରପାଠ, ପୂଜାର୍ଚ୍ଚନା ସହ ସମଗ୍ର ଅଞ୍ଚଳରେ ଚଳଚଞ୍ଚଳ ପରିବେଶ ସୃଷ୍ଟି ହୋଇଛି। ଏହି କ୍ରମରେ ହିଞ୍ଜିଳି ଗ୍ରାମରେ ପ୍ରତିଷ୍ଠିତ ରଘୁନାଥ ମଠରେ ପୂଜିତ ସୀତା, ଲକ୍ଷ୍ମଣ ଓ ହନୁମାନଙ୍କ ସହ ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ ଭଗବାନଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ଦିନ ତମାମ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଭିଡ ଲାଗି ରହିଥିଲା। ମହାପ୍ରଭୁ ଶ୍ରୀରାମଙ୍କ ଜାତବେଦ ଠାରୁ ଆରମ୍ଭ କରି ଯଥାବିଧି ହୋମ ଯଜ୍ଞ,ପୂଜାର୍ଚ୍ଚନା, ଆରତି, ମାନସ ପାରାୟଣ ସହ ଭଜନ କିର୍ତ୍ତନ ଦ୍ୱାରା ପାରମ୍ପରିକ ଉତ୍ସବ ପାଳନ କରାଯାଇଥିଲା । ମଠର ମହନ୍ତ ମହାରାଜ ଲକ୍ଷ୍ମୀ ନାରାୟଣ ପଣ୍ଡା ପ୍ରତ୍ୟକ୍ଷ ଭାବେ ଶ୍ରୀରାମ ନବମୀ ଉତ୍ସବ ପରିଜାଳନା କରିଥିଲେ । ପାବନ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଓ ଭୋଗାର୍ପଣ ପାଇଁ ପ୍ରାତଃରୁ ବଡ ସିଂହାର ବେଶ ପର୍ଯ୍ୟନ୍ତ ଗହଳ ଚହଳ ଲାଗି ରହିଥିଲା । ସ୍ଥାନୀୟ ପୌରାଞ୍ଚଳ ଆଙ୍କୋରଡା, ନୁଆଁଗଡ ସମେତ ସ୍ଥାନୀୟ ବ୍ଳକର ବୁରୁପୋଡା, ସିକରି ସମେତ ନିକଟବର୍ତ୍ତୀ ଅଞ୍ଚଳର ବିଭିନ୍ନ ରଘୁନାଥ ମନ୍ଦିର ଓ ମଠ ଗୁଡିକରେ ମହାଆଡମ୍ବରରେ ଶ୍ରୀରାମ ନବମୀ ଉତ୍ସବ ପାଳନ କରାଯାଇଛି । ଉପର ରେଗିଡି ଚାରିଛକ ସ୍ଥିତ ଶ୍ରୀ ସଙ୍କଟ ମୋଚନ ହନୁମାନ ମନ୍ଦିର ଓ ବଜରଙ୍ଗ ଦଳ ତରଫରୁ ଯୁଗ ପୁରୁଷ ପ୍ରଭୁ ଶ୍ରୀରାମଙ୍କ ତୈଳ ପ୍ରତିକୃତି ସହର ସାରା ପରିକ୍ରମା କରି ଜୟ ଶ୍ରୀରାମ ଧ୍ଵନୀ ସହରରେ ମୁଖରିତ ହୋଇଥିଲା। ରାମ ନବମୀ ଉତ୍ସବରେ ସହସ୍ରାଧିକ ମହିଳା ଓ ପୁରୁଷ ଭକ୍ତ, ଶ୍ରଦ୍ଧାଳୁ, ସଦସ୍ୟ ସାମୁହିକ ଭାବେ ପଦଯାତ୍ରା ଓ ବାଦ୍ୟ ବାଜଣାରେ ସାମିଲ ହୋଇ ବିରାଟ ଵୋଭାଯାତ୍ରାରେ ନଗର ପରିକ୍ରମା କରିବା ସହ ଉତ୍ସାହର ସହ ପାଳନ କରିଥିଲେ। ପୋଚିଲିମ୍ମା ସ୍ଥିତ ସାଇ ସୁନ୍ଦର ଧାମ ଭବ୍ୟ ମନ୍ଦିର ଠାରେ ସ୍ଥାପିତ ପରମପୂଜ୍ୟ ଶ୍ରୀ ସାଇଙ୍କ ଭବ୍ୟ ଓ ଦିବ୍ୟ ପ୍ରତିମୂର୍ତ୍ତୀରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରି ବିଭୂକୃପା କାମନା କରିଥିଲେ। ପ୍ରାତଃରୁ ରାତ୍ରୀ ଯାଏଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଲାଗି ରହିଥିଲା। ଦେବ ଓ ମନ୍ତ୍ରପାଠ ସହ ଭଜନ କୀର୍ତ୍ତନରେ ସମଗ୍ର ଅଞ୍ଚଳ ମୁଖରିତ ହୋଇଥିଲା।ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ହିଞ୍ଜିଳି ପୁଲିସ୍ ପ୍ରଶାସନ ପକ୍ଷରୁ ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ନେତୃତ୍ୱରେ ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ସହ ସମସ୍ତ ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରା ଯାଇଥିଲା।