
।। ସଙ୍କଟମୋଚନ ଭଗବାନ ମହାବୀର ।।
ମନୋଜବଂ ମାରୁତ ତୁଲ୍ୟବେଗଂ ଜିତେନ୍ଦ୍ରିୟଂ ବୁଦ୍ଧିମତାଂ ବରିଷ୍ଠମ୍ ବାତାତ୍ମଜଂ ବାନରଯୁଥ ମୁଖ୍ୟଂ ଶ୍ରୀରାମଦୂତଂ ଶରଣଂ ପ୍ରପଦ୍ୟେ
ତ୍ରେତାଯୁଗରେ ତିନିପୁରକୁ ଥରହର କରୁଥିବା ରାବଣର ନିଧନ ପାଇଁ ଦେବତା ଋଷିଗଣ କାକୁସ୍ତକଣ୍ଠରେ ବୈକୁଣ୍ଠପତିଙ୍କୁ ଡାକଛାଡ଼ିଲେ । ଆର୍ତ୍ତତ୍ରାଣ ମହାବିଷ୍ଣୁ ମହାଲକ୍ଷ୍ମୀଙ୍କୁ କହିଲେ ମର୍ତ୍ତ୍ୟରେ ରାବଣର ଉତ୍ପୀଡ଼ନ ବୃଦ୍ଧିପାଉଛି । ଏବେ ମୋତେ ଅବତାର ଗ୍ରହଣ କରିବାକୁ ପଡ଼ିବ । ମୁଁ ଫେରିବା ପର୍ଯ୍ୟନ୍ତ ବୈକୁଣ୍ଠପୁରର ଦାୟୀତ୍ୱ ତୁମେ ସମ୍ଭାଳିବ । ତହିଁପରେ ଶୁଭବେଳାରେ ପ୍ରଭୁ ଶ୍ରୀରାମରୂପରେ ଅଯୋଧ୍ୟାରେ ପ୍ରକଟ ହେଲେ । ବିଷ୍ଣୁ ଅବତାର ଗ୍ରହଣ କରିବା ପରେ ହରହରମହାଦେବ ଆନନ୍ଦରେ ଉଲ୍ଲସିତ ହୋଇପଡ଼ିଲେ । ଆରାଧ୍ୟଦେବତା ଶ୍ରୀରାମଙ୍କ ସେବାରେ ନିୟୋଜିତ ହେବା ପାଇଁ ବ୍ୟାକୁଳ ଚିତ୍ତରେ ପ୍ରଭୁଙ୍କୁ ଡାକିଲେ । ଯେମିତି ହେଲେ ବି ଶ୍ରୀରାମଙ୍କ ମର୍ତ୍ତ୍ୟଲୀଳାରେ ସହାୟତା କରିବା ପାଇଁ ମହାଦେବ ଚିନ୍ତିତ ହୋଇପଡ଼ିଲେ । କେଉଁରୂପ ଧାରଣ କରି ଶ୍ରୀରାମଙ୍କ ନିକଟତର ହେବେ ସେନେଇ ଭାଳିହେଲେ । ମାତା ପାର୍ବତୀ ମହାଦେବଙ୍କ ଚିନ୍ତିତ ଭାବଦେଖି ପଚାରିଲେ-ସ୍ୱାମୀ, ଏବେ କିଛି ଦିନ ହେଲା ଏତେ ଚିନ୍ତିତ ହୋଇପଡ଼ୁଛ କାହିଁକି? କ’ଣ ହୋଇଛି? ମୋର ସେବାରେ କିଛି ତ୍ରୁଟି ରହିଛି କି ଯେଉଁଥିରେ ଏତେ ଦୁଃଖପାଉଛ? ଦୟାକରି ମନର କଥା ଖୋଲି କହିଲେ କୃତାର୍ଥ ହେବି । ମୋର ଭୁଲଥିଲେ ସଂଶୋଧନ କରାଇ ଦିଅ ସ୍ୱାମୀ । ତୁମ ଶାନ୍ତ, ସରଳ ହସହସ ମୁଖ ଦର୍ଶନ କରିବା ପାଇଁ ମୁଁ ବ୍ୟାକୁଳ ହୋଇପଡ଼ୁଛି ।
ମହାଦେବ କହିଲେ-ନା ପ୍ରିୟେ, ତୁମ ସେବାରେ କୌଣସି ତ୍ରୁଟି ନାହିଁ । ମୋର ଇଷ୍ଟଦେବ ପ୍ରଭୁ ଶ୍ରୀରାମ ମର୍ତ୍ତ୍ୟଲୀଳା ନିମନ୍ତେ ଅଯୋଧ୍ୟାର ରାଜାଦଶରଥଙ୍କ ପ୍ରାସାଦରେ ଜନ୍ମଗ୍ରହଣ କରିଛନ୍ତି । ଯେଉଁ ମଙ୍ଗଳ ଉଦ୍ଦେଶ୍ୟରେ ପ୍ରଭୁ ଅବତରୀଛନ୍ତି ତାଙ୍କୁ ସହାୟତା କରିବା ମୋର ପରମକର୍ତ୍ତବ୍ୟ । ତୁମେ ତ ଜାଣିଛ, ଶିବ ଓ ବିଷ୍ଣୁଙ୍କ ଶକ୍ତିରେ ମର୍ତ୍ତ୍ୟଜଗତ ଆତଜାତ ହେଉଛି । ଉଭୟଙ୍କ ଶକ୍ତି ଏକତ୍ର ନହେଲେ ଆସୁରୀକବଳକୁ ଦମନ କରିବା ସମ୍ଭବ ହୋଇପାରେ ନାହିଁ । ଏହି କାରଣରୁ ମୋତେ ମର୍ତ୍ତ୍ୟଭୂମିରେ ପାଦଥାପିବାକୁ ପଡ଼ିବ । ପାର୍ବତୀ କହିଲେ-ଏହା କିପରି କଥା । ତୁମଙ୍କୁ ଛାଡ଼ି ମୁଁ କ୍ଷଣେ ମାତ୍ର ବଞ୍ଚିପାରିବି ନାହିଁ । ତୁମେ ମର୍ତ୍ତ୍ୟରେ କେତେକାଳ ବିତାଇବ ଜାଣି ନାହିଁ । ସେତେକାଳ ପର୍ଯ୍ୟନ୍ତ ମୁଁ ଧୈର୍ଯ୍ୟଧରି ରହିପାରିବି ନାହିଁ । ମୋତେ କ୍ଷମାକର ସ୍ୱାମୀ । ମୋତେ ଛାଡ଼ି ଚାଲିଯାଅ ନାହିଁ । ଅନ୍ୟ ଉପାୟରେ କିପରି ଶ୍ରୀରାମଙ୍କ ସହଭାଗୀ ହେବ ସେ ପଥ ନିର୍ଦ୍ଧାରଣ କର । ମହାଦେବ କହିଲେ ଠିକ୍ ଅଛି । ମୁଁ ତୁମ ପାଖରେ ରହିବି, କିନ୍ତୁ ଅନ୍ୟଏକ ରୂପରେ ମୋର ଶକ୍ତି ଶ୍ରୀରାମଙ୍କ କାର୍ଯ୍ୟରେ ବିନିଯୋଗ କରିବି । ପାର୍ବତୀ ଏହି ପ୍ରସ୍ତାବରେ ରାଜି ହୋଇଗଲେ ।
ପାର୍ବତୀଙ୍କ ଦୁଃଖମୋଚନ ପରେ ମହାଦେବ ବାୟୁଦେବଙ୍କୁ ସ୍ମରଣ କଲେ । ବାୟୁଦେବ ପହଞ୍ଚିବାକ୍ଷଣି ଶିବ କହିଲେ-ବାୟୁଦେବ, ତୁମେ ବ୍ରହ୍ମଜ୍ଞାନୀ । ଏକରୁ ଅଣଚାଶ ଭାଗହୋଇ ମଧ୍ୟ ତୁମେ ଅଭିନ୍ନ । ଶ୍ରୀରାମଙ୍କ ଜାଗତିକଲୀଳାରେ ଭାଗନେବା ପାଇଁ ମୁଁ ଏକ ଶରୀର ଧାରଣ କରିବା ପାଇଁ ଇଚ୍ଛାକରୁଛି । ତୁମେ ମୋର ପିତୃରୂପରେ ବାନରୀ ଅଞ୍ଜନାଙ୍କ ଶରୀରରୁ ମୋତେ ଜନ୍ମଦେବ । ଅଞ୍ଜନା ଜଣେ ଅପ୍ସରା । ଇନ୍ଦ୍ରଙ୍କ ଅଭିଶାପରେ ବାନରୀ ହୋଇଥିଲେ ବି ନିଜର ପତିବ୍ରତାବଳରେ ମାନବୀରୂପରେ ପରିବର୍ତ୍ତିତ ହୋଇପାରିବେ । ତୁମେ ଏଇ କାର୍ଯ୍ୟ ଅବଶ୍ୟ ସଂପାଦନ କରିବ । ବାୟୁଦେବ ରାଜିହୋଇ ଶିବଙ୍କ ଜଟାରୁ ଏକ ଚୁଟି ନେଇ ଫେରିଗଲେ । ଅଞ୍ଜନା ବାନରରାଜା କେଶରୀଙ୍କୁ ବିବାହ କରିଥିଲେ । ଦିନେ କେଶରୀ ଓ ଅଞ୍ଜନା ମେରୁପର୍ବତ ଶୃଙ୍ଗରେ କ୍ରୀଡ଼ାରତ ଥିବାବେଳେ ବାୟୁଦେବ ଅଞ୍ଜନାଙ୍କ ପଣତକାନି ଉଡ଼ାଇ ଦଲକାଏ ଥଣ୍ଡା ପବନରେ ତାଙ୍କୁ ଦୋହଲାଇ ଦେଲେ । ପାଖରେ ରଖିଥିବା ଶିବଙ୍କ ଜଟାର କେଶ ଅଞ୍ଜନାଙ୍କ ଶରୀରକୁ ନିକ୍ଷେପ କଲେ । ଜଟାର ଚୁଳ ଶରୀରରେ ଲାଗିବା ମାତ୍ରେ ଭଗବାନ ଶଙ୍କରଙ୍କ ସୂକ୍ଷ୍ମଅଂଶ ଅଞ୍ଜନାଙ୍କ କର୍ଣ୍ଣଗହ୍ୱରରେ ପ୍ରବେଶ କରି ଗର୍ଭାଧାନରେ ରହିଲା । କାଳକ୍ରମେ ଅଞ୍ଜନା ଗର୍ଭବତୀ ହେଲେ । ପରବର୍ତ୍ତୀକାଳରେ ଜ୍ୟୋତିଷ ଗଣନା ଅନୁଯାୟୀ ବୈଶାଖମାସ ମହାବିଷୁବ ସମ-କ୍ରାନ୍ତୀ, ମଙ୍ଗଳବାର ପ୍ରାତଃବେଳାରେ ଅଞ୍ଜନା ମହାବୀର ହନୁମାନଙ୍କୁ ଜନ୍ମ ଦେଇଥିଲେ । ବାନରୀ ମାନବୀରୂପରେ ଗର୍ଭଧାରଣ କରିଥିବାରୁ ମନୁଷ୍ୟ ଶରୀରରେ ବାନରମୁଖ ଧରି ହନୁମାନ ଜନ୍ମହୋଇଥିଲେ । ହନୁମାନଙ୍କ ଜନ୍ମଉତ୍ସବ କେଶରୀ ଓ ଅଞ୍ଜନା ମହାଆଡ଼ମ୍ବରରେ ପାଳନ କଲେ ।
ହନୁମାନ ବାଲ୍ୟକାଳରୁ ବହୁ ବୀରତ୍ୱ ପ୍ରକାଶ କରି ମୁନିଋଷିମାନଙ୍କୁ ବିସ୍ମିତ କରି ଦେଇଥିଲେ । ହନୁମାନ ଯୁବକ ହେବାପରେ ବାନରରାଜା ସୁଗ୍ରୀବଙ୍କ ସହିତ କିସ୍କିନ୍ଧା ପର୍ବତରେ ରହୁଥିଲେ । ଶ୍ରୀରାମଙ୍କ ବନବାସକାଳରେ ମାତାସୀତାଙ୍କୁ ରାବଣ ହରଣ କରିନେଲା । ଏହି ସମସ୍ୟା କାଳରେ ଶ୍ରୀରାମ ଓ ହନୁମାନଙ୍କର ପ୍ରଥମ ଭେଟ ହୋଇଥିଲା । ଶ୍ରୀରାମଙ୍କ ସହିତ ସାକ୍ଷାତ ହେବାପରେ ହନୁମାନଙ୍କର ମହାବୀରରୂପ ପ୍ରକଟ ହେଲା । ଶ୍ରୀରାମ ସ୍ୱୟଂବିଷ୍ଣୁ ଜାଣିବା ପରେ ହନୁମାନ ପ୍ରଭୁଙ୍କ ସେବାରେ ମଜ୍ଜିଗଲେ । ରାମ ରାବଣ ଯୁଦ୍ଧବେଳେ ରାବଣ ଶିବଭକ୍ତ ହୋଇଥିବାରୁ ହନୁମାନ ରାବଣକୁ କେବେ ବି ପ୍ରହାର କରିନଥିଲେ । ମାତ୍ର ରାମଙ୍କ ବାଣରେ ବଧହେବା ପାଇଁ ସମସ୍ତ ସହାୟତା ପ୍ରଦାନ କରିଥିଲେ । ରାବଣର ମୃତ୍ୟୁପରେ ଶ୍ରୀରାମ ଲଙ୍କାରୁ ସୀତାଙ୍କୁ ଆଣି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କଲେ । ସିଂହାସନ ଆରୋହଣ କରି ପ୍ରଜାପାଳନରେ ମନୋନିବେଶ କଲେ । ରାମରାଜ୍ୟ ପରିଚାଳନାରେ ହନୁମାନଙ୍କ ଅବଦାନଥିଲା ଅତୁଳନୀୟ । ପ୍ରଜାମାନଙ୍କର ବିପଦକାଳରେ ସେ ପହଞ୍ଚୁଥିଲେ ଓ ସମସ୍ତ ସମସ୍ୟାକୁ ତୁରନ୍ତ ସମାଧାନ କରୁଥିଲେ । ପ୍ରତ୍ୟେକ ପ୍ରାଣୀଙ୍କର ସଙ୍କଟ ପରିସ୍ଥିତିକୁ ହନୁମାନ ମୁକାବଲା କରୁଥିଲେ । ଜ୍ଞାନ, ବଳ, ବୁଦ୍ଧି, ଗୁଣଗ୍ରାହୀ ମଙ୍ଗଳକର୍ତ୍ତା ମହାବୀର ହନୁମାନଙ୍କୁ ଯିଏ ଯେତେବେଳେ ବିପଦରେ ପଡ଼ି ପ୍ରାର୍ଥନା କରୁଥିଲେ ସେ ତୁରନ୍ତ ପହଞ୍ଚି ସୁରକ୍ଷା ଦେଉଥିଲେ । କର୍ତ୍ତବ୍ୟକର୍ମରେ ଧୁରନ୍ଧର ହନୁମାନ ଶ୍ରୀରାମଙ୍କ କୃପାଲାଭ କରି ଯୁଗ ଯୁଗଧରି ରାମଦରବାରରେ ସ୍ଥାନ ଅଳଙ୍କୃତ କଲେ ।
ଏକାଦଶରୁଦ୍ରଙ୍କ ଅବତାର ହନୁମାନ ଜିତେନ୍ଦ୍ରିୟ ବ୍ରହ୍ମଚାରୀ ଅଟନ୍ତି । ତେଜିୟାନ୍ ବପୁ ଓ ବଳରେ ଜଗତର ସମସ୍ତ ବଳବାନ ଅସୁରଙ୍କୁ ନିପାତ କରନ୍ତି । ଶ୍ରୀରାମଙ୍କର ଦୈବୀଗୁଣକୁ ଧାରଣ କରି କାର୍ଯ୍ୟ ତୁଲାଉଥିଲେ । ଶ୍ରୀରାମ ବୈକୁଣ୍ଠପୁରକୁ ପ୍ରତ୍ୟାବର୍ତ୍ତନ କରିବା ବେଳେ ହନୁମାନଙ୍କୁ ଅମରବର ପ୍ରଦାନ କରି ରାମରାଜ୍ୟ ପ୍ରତିଷ୍ଠାରେ ମନୋନିବେଶ କରିବା ପାଇଁ ପରାମର୍ଶ ଦେଇ ଯାଇଥିଲେ । ଶ୍ରୀରାମଙ୍କ ବଚନ ରକ୍ଷାକରି ମହାବୀର ହନୁମାନ ଦୁଷ୍ଟଙ୍କୁ ସଂହାର ଓ ସାଧୁ ସ୍ୱଭାବର ମନୁଷ୍ୟଙ୍କ ସଙ୍କଟମୋଚନ ନିମନ୍ତେ ଏବେ ବି ଜଗତବୁକୁରେ ବିଚରଣ କରୁଛନ୍ତି । ଯେଉଁ ସାଧୁବ୍ୟକ୍ତି ବିପଦକାଳରେ ହନୁମାନଙ୍କର ଶରଣାପନ୍ନ ହୁଅନ୍ତି ସେମାନଙ୍କୁ ହନୁମାନ ନିଶ୍ଚୟ ସହାୟତା କରନ୍ତି । ରୋଗ, ଶୋକ, ପରିତାପରୁ ରକ୍ଷାକରନ୍ତି । ନାଶୈ ରୋଗ ହେରୈ ସବ ପୀରା, ଜପତ ନିରନ୍ତର ହନୁମତ ବୀରା । ଭୂତ ପିଶାଚ ନିକଟ ନହିଁ ଆୱେ, ମହାବୀର ଜବ ନାମ ସୁନାୱୈ । ହନୁମାନଙ୍କ ଶରଣରେ କାଳଯାପନ କରୁଥିବା ମନୁଷ୍ୟଙ୍କୁ ସର୍ବସଂକଟରୁ ଉଦ୍ଧାର କରନ୍ତି । ଯେଉଁ ସ୍ଥାନରେ ଶ୍ରୀରାମଙ୍କର ଗୁଣଗାନ, ଯଜ୍ଞ, ନାମଜପ ହେଉଥାଏ ସେଠାରେ ହନୁମାନ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନରେ ଭାଗୀଦାର ହୁଅନ୍ତି । ଦୁଷ୍ଟଜନଙ୍କକ୍ରୋଧରୁ ସାଧୁଜନଙ୍କୁ ହନୁମାନ ସର୍ବଦା ରକ୍ଷାକରନ୍ତି । ରାମନାମ ଜପକରୁଥିବା ମନୁଷ୍ୟଙ୍କର ବନ୍ଧୁ ଅଟନ୍ତି । ହନୁମାନ କ୍ଷମାଶୀଳ, ଦୟାଶୀଳ ଶ୍ରୀରାମଙ୍କ ଗୁଣଧାରୀ କୃପାଳୁମହାରାଜ । ମହାବଳୀୟାନ ପବନପୁତ୍ରଙ୍କ ଜୟନ୍ତୀରେ ପ୍ରତ୍ୟେକ ମନୁଷ୍ୟ ତାଙ୍କ ଶରଣାପନ୍ନ ହୋଇ ସତ୍ୟ, ନ୍ୟାୟ, ଧର୍ମର ରାମରାଜ୍ୟ ପ୍ରତିଷ୍ଠା ଦିଗରେ ସହାୟକ ହୋଇପାରିଲେ ମହାବୀରଙ୍କ କୃପା ଅବଶ୍ୟ ମିଳିବ । ଜୟ ଶ୍ରୀରାମ ।
ଯୋଗୀ ଗଣେଶ୍ୱର
ମିଶନ ଭାଗବତ
ଦୂରଭାଷ-୯୬୬୮୬୩୧୨୫୭