ଶ୍ରୀ କ୍ଷେତ୍ରରେ ଚନ୍ଦନ ଯାତ୍ରା
ସନ୍ତୋଷ କୁମାର ଦାଶ
ନିଦାଘର ତପ୍ତ ରୌଦ୍ରରେ ପୃଥିବୀ ସହ ଗଗନ, ପବନ ତାତି ଉଠେ। ପ୍ରତ୍ୟେକ ଙ୍କ ପ୍ରାଣ ଶୀତଳ ଛାୟା, ଜଳଧାର ଓ ଶୀତଳ ଉପଚାର ଖୋଜିଥାଏ। ସୁଶୀତଳ ଚନ୍ଦନ ପ୍ରଲେପ ଶରୀର ସହ ଆତ୍ମା କୁ ଥଣ୍ଡା ର ପରଶ ଦେଇ ବିମୋହିତ କରି ଦେଇଥାଏ। ଗ୍ରୀଷ୍ମ ଋତୁରେ ମଣିଷ ଏସବୁ ଉପଚାର କରୁଥିବାବେଳେ
ପୁରୀ ଶ୍ରୀ ମନ୍ଦିରରେ ମାନବୀୟ ଲୀଳା ପ୍ରଦର୍ଶନ କରୁଥିବା ମହାପ୍ରଭୁ
ଶ୍ରୀ ଜଗନ୍ନାଥ ବା କିପରି ଏଥିରୁ ଦୁରେଇ ରହିଥାନ୍ତେ ? ଚନ୍ଦନ ଚର୍ଚ୍ଚିତ
ମହାପ୍ରଭୁ ଶ୍ରୀ ଜଗନ୍ନାଥ ମଧ୍ୟ ଗ୍ରୀଷ୍ମ ପ୍ରକୋପ ରୁ ଆଶ୍ୱସ୍ତି ପାଇବା ପାଇଁ ଚନ୍ଦନ ଲାଗି ହେବା ସହିତ ଜଳ କ୍ରୀଡା କରିଥାନ୍ତି। ମହାପ୍ରଭୁ ଙ୍କ ଏହି
ଲୀଳା ପ୍ରସିଦ୍ଧ ଦ୍ଵାଦଶ ଯାତ୍ରା ର ଅନ୍ତିମ ଯାତ୍ରା ଓ ଶ୍ରୀ ମନ୍ଦିର ରେ ପାଳିତ ଉତ୍ସବ ମଧ୍ୟରେ ଦୀର୍ଘ ଦିନ ଧରି ପାଳିତ ହେଉଥିବା ଉତ୍ସବ ଭାବେ ପରିଗଣିତ ହୋଇ ଆସିଛି। ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନ ଅର୍ଥାତ ଅକ୍ଷୟ ତୃତୀୟା ଦିନ ଏହି ଉତ୍ସବ ବା ଯାତ୍ରା ର ଶୁଭାରମ୍ଭ ହୋଇଥାଏ। ଯାହା ମହାପ୍ରଭୂ ଙ୍କ ଚନ୍ଦନ ଯାତ୍ରା ଭାବେ ପରିଚିତ ହୋଇ ଆସିଛି। ଏହି ଯାତ୍ରା ଦୁଇ ଭାଗ ରେ ବିଭକ୍ତ। ପ୍ରଥମ ୨୧ ଦିନ କୁ ବାହାର ଚନ୍ଦନ ଯାତ୍ରା ଓ ଶେଷ ୨୧ ଦିନ କୁ ଭିତର ଚନ୍ଦନ ଯାତ୍ରା ଭାବେ ଗ୍ରହଣ କରାଯାଇଛି। ଶ୍ରୀ ମନ୍ଦିର ସ୍ୱତ୍ଵଲିପି ରୁ ଜଣାଯାଏ ଯେ, ଅକ୍ଷୟ ତୃତୀୟା ଦିନ ସକାଳ ଧୂପ ଶେଷ ହେବା ପରେ ପଣ୍ଡା, ପତି,
ମୁଦିରସ୍ତ ଓ ମଇଲମ ନୀତି କରିଥିବା ତିନି ଜଣ ପୁଷ୍ପାଳକ ପୂର୍ବଦିନ ରାତି ରେ ଚନ୍ଦନ ଅଧିବାସ ହୋଇ ରହିଥିବା ଭୋଗ ମଣ୍ଡପ ଘର କୁ ଯାଇଥାନ୍ତି। ସେମାନେ ପିଙ୍ଗଣ ମାନଙ୍କୁ ଘଣ୍ଟା, ଛତା ଓ କାହାଳୀ ସହ
ପଟୁଆର କରାଇ ବଡ଼ଦେଉଳ କୁ ତିନିଥର ପରିକ୍ରମା କରାନ୍ତି ଓ ଠାକୁର ମାନଙ୍କୁ ସିଂହାସନ ଉପରେ ତିନି ବାଡ଼ରେ ରଖିଥାନ୍ତି। ତିନି ଜଣ ପଣ୍ଡା ପଞ୍ଚୋପଚାର ରେ ଶୀତଳ ଭୋଗ ଅର୍ପଣ କରିଥାନ୍ତି। ଏଥିରେ ଟେରା ପଡ଼େ ନାହିଁ। ତାପରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଭୂ ଦେବୀ, ଶ୍ରୀ ଦେବୀ ଓ
ମାଧବ ଙ୍କୁ ଅଳଙ୍କାର ଲାଗି କରାଯାଏ ଓ ବେଶ ଅନୁଷ୍ଠିତ ହୋଇଥାଏ। ଚନ୍ଦନ ସର୍ବାଙ୍ଗ ବଢିବା ପରେ ଦକ୍ଷିଣ ଘରେ ଥିବା ମଦନ ମୋହନ ଓ ରାମକୃଷ୍ଣ ଦେବ ଙ୍କୁ ମହାଜନେ ଭିତର ସିଂହାସନ କୁ ବିଜେ କରାଇଥାନ୍ତି। ପୁଜାପଣ୍ଡା ଭୋଗ ମଣୋହି କରିବା ପରେ ତିନି ବାଡ଼ରେ ପଣ୍ଡା, ପତି ଓ ମୁଦିରସ୍ତ
ବନ୍ଦାପନା କରିଥାନ୍ତି। ମହାଜନେ ଚଳନ୍ତି ପ୍ରତିମା ମାନଙ୍କୁ ହାତରେ ବିଜେ କରାଇ ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କି ରେ ରାମ କୃଷ୍ଣ ଦୁଇ ଦେବ ଙ୍କୁ ଓ ବିମାନ ରେ ମଦନ ମୋହନ, ଶ୍ରୀ ଦେବୀ ଓ ଭୂଦେବୀ ଙ୍କୁ
ବିଜେ କରାନ୍ତି । ରୁନ୍ଧା ବଢିବା ପରେ ମାଳ ଫୁଲ ଲାଗି ହୋଇ ବିଜେ କାହାଳୀ ବାଜେ। ବିମାନଗଡୁ ସେବକ ମାନେ ଘଣ୍ଟ, ଛତା, କାହାଳୀ ସହ ସିଂହଦ୍ଵାର ରେ ନରେନ୍ଦ୍ର ଚକଡା଼ କୁ ଚନ୍ଦନ ଯାତ୍ରା ପାଇଁ ଠାକୁର ମାନଙ୍କୁ ବିଜେ କରାନ୍ତି।
ମହାପ୍ରଭୁ ଙ୍କ ଚଳନ୍ତି ପ୍ରତିମା ମଦନ ମୋହନ, ଲକ୍ଷ୍ମୀ, ସରସ୍ବତୀ ନରେନ୍ଦ୍ର ପୋଖରୀ କୁ ଯାଆନ୍ତି। ତାଙ୍କ ପଛ ରେ ପଞ୍ଚ ମହାଦେବ ଙ୍କ ବିମାନ ଯାଇଥାଏ। ବଡ଼ଦାଣ୍ଡ ର ବିଭିନ୍ନ ସ୍ଥାନ ରେ ଛାମୁଣ୍ଡିଆ ନିର୍ମାଣ ହୋଇଥାଏ। ଏହି ଛାମୁଣ୍ଡିଆ ତଳେ ଠାକୁର ମାନେ ବିଶ୍ରାମ କରନ୍ତି। ଠାକୁର ଓ ଦେବୀ ମାନେ ନରେନ୍ଦ୍ର ପୁଷ୍କରିଣୀ ଠାରେ ପହଞ୍ଚି ପୁଷ୍କରିଣୀ ଜଳରେ ସୁ ସଜ୍ଜିତ
ଚାପ ( ଡଙ୍ଗା) ରେ ବିହରଣ କରନ୍ତି।
ଦୁଇଟି ନୌକା ରେ ଗୋଟିଏ ଚାପ ତିଆରି ହୋଇ ଏହାର ଚାରିଆଡ଼େ ଚାରୋଟି ଖମ୍ବ ଥାଏ। ଏହା ଉପରେ ମଣ୍ଡପ ତିଆରି ହୋଇଥାଏ। ଚନ୍ଦନ ମଣ୍ଡପ ରେ ଠାକୁର ମାନଙ୍କ ପାଇଁ ସ୍ବତନ୍ତ୍ର ଚନ୍ଦନ କୁଣ୍ଡ ତିଆରି ହୋଇ ଥାଏ। ଦିବସ ଚାପ ପରେ ଠାକୁର ମାନଙ୍କୁ ନିଜ ନିଜ ଚନ୍ଦନ କୁଣ୍ଡକୁ ବିଜେ କରାଯାଇ ଜଳ କ୍ରୀଡା କରାଯାଏ। ଏହା ପରେ ରାତି ଚାପ ହୁଏ ଓ ରାତ୍ରୀ ଚାପ ପରେ ଠାକୁର ମାନେ ମନ୍ଦିର କୁ ଫେରି ଆସନ୍ତି।
ପ୍ରଥମ ଦଶ ଦିନ ଚାପ ପରେ ଏଗାର ଦିନ ଠାରୁ ଠାକୁର ଙ୍କ ବେଶ ପରିବର୍ତ୍ତନ କରାଯାଇଥାଏ। ଶେଷ ଦଶ ଦିନ ଠାକୁର ମାନେ କୃଷ୍ଣାବତାର ବେଶ ରେ ସଜ୍ଜିତ ହୋଇଥାନ୍ତି। ଏହି ୨୧ ଦିନ ଚାପ କୁ
ବାହାର ଚନ୍ଦନ ଯାତ୍ରା ବୋଲି କୁହାଯାଏ। ଶେଷ ଦିନ ୨୧ ଥର ଚାପ ବୁଲା ଭଉଁରୀ ଅନୁଷ୍ଠିତ ହୋଇଥାଏ। ଅବଶିଷ୍ଟ ୨୧ ଦିନ ମନ୍ଦିର ଭିତରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏହାକୁ ଭିତର ଚନ୍ଦନ ଯାତ୍ରା ବୋଲି କୁହାଯାଏ। ପୁରାଣ ର ବର୍ଣ୍ଣନା ଅନୁସାରେ ଦ୍ଵାପର ଯୁଗରୁ ଏହି ଚନ୍ଦନ ଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇ ଆସୁଛି। ଘୋଷ ଯାତ୍ରା ଓ ଦୋଳ ଯାତ୍ରା ପରି ଚନ୍ଦନ ଯାତ୍ରା ର ମହତ୍ତ୍ଵ ରହିଛି। ଏଣୁ ଶାସ୍ତ୍ର ରେ କୁହାଯାଇଛି ଯେ,” ଦୋଳେ ଚ ଦୋଳ ଗୋବିନ୍ଦମ, ଚାପେ ଚ ମଧୁସୂଦନମ। ରଥେ ତୁ ବାମନମ ଦୃଷ୍ଟ୍ବା ପୁନଃ ଜନ୍ମ ନ ବିଦ୍ୟତେ।।”
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ଚନ୍ଦନଯାତ୍ରା ପାଳନ ର ସମୟ ସମ୍ପର୍କ ରେ କୌଣସି ସଠିକ୍ ଐତିହାସିକ ତଥ୍ୟ ନାହିଁ ତେବେ ଏକ ସୁନ୍ଦର କିମ୍ବଦନ୍ତୀ ରହିଛି। ଦ୍ଵାପର ଯୁଗର କଥା। ପାଣ୍ଡବମାନେ ବିରାଟ ରାଜା ଙ୍କ ନଅର ରେ ଏକବର୍ଷ ଅଜ୍ଞାତବାସ ପୂର୍ଣ୍ଣ କରିବାପରେ ରାଜା ବିରାଟ ସମସ୍ତ ପାଣ୍ଡବ ଙ୍କ ପରିଚୟ ପାଇ ଆନନ୍ଦିତ ହେଲେ। ବିରାଟ ଜାଣିଥିଲେ ଯେ, ଭଗବାନ ଶ୍ରୀ କୃଷ୍ଣ ପାଣ୍ତବ ମାନଙ୍କର ଆତ୍ମୀୟ ଅଟନ୍ତି। ସେ ଶ୍ରୀ କୃଷ୍ଣ ଙ୍କ ଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରି ପାଣ୍ତବ ମାନଙ୍କୁ ଏକ ପ୍ରସ୍ତାବ ଦେଲେ। ସେ ସମୟ ଥିଲା ଗ୍ରୀଷ୍ମ ଋତୁ। ବିରାଟ ରାଜ୍ୟ ର ଏକ ବଡ଼ ସରୋବର ( ପୁଷ୍କରିଣୀ) ରେ ଭବ୍ୟ ଜଳ କ୍ରୀଡା ର ଆୟୋଜନ ହେବ। ଏହି କ୍ରୀଡା ରେ ଯୋଗ ଦେବାକୁ ଶ୍ରୀ କୃଷ୍ଣ ଓ ବଳରାମ ଦୁଇ ଭାଇ ଙ୍କୁ ନିମନ୍ତ୍ରଣ କରାଯିବ। ବିରାଟ ରାଜ୍ୟ ର ପ୍ରଜା ମାନେ ଏହି ସୁଯୋଗରେ ଭଗବାନ ଶ୍ରୀ କୃଷ୍ଣ ଓ ବଳରାମ ଙ୍କ ଦର୍ଶନ ପାଇ ପାରିବେ। ସେହି ଅନୁସାରେ ଜଳ କ୍ରୀଡା ର ଆୟୋଜନ ହେଲା ଆଉ ଶ୍ରୀ କୃଷ୍ଣ ଓ ବଳରାମ ଙ୍କୁ ଜଳ କ୍ରୀଡା ରେ ଭାଗ ନେବାକୁ ବିରାଟ ରାଜା ନିମନ୍ତ୍ରଣ ପଠାଇଲେ। ନିଜ ଆତ୍ମୀୟ ପାଣ୍ତବ ମାନଙ୍କୁ ଅନେକ ଦିନ ହେବ ଶ୍ରୀ କୃଷ୍ଣ ଓ ବଳରାମ
ସାକ୍ଷାତ କରି ନ ଥିବାରୁ ସେମାନଙ୍କର ମଧ୍ୟ ଇଚ୍ଛା ହେଲା ଜଳ କ୍ରୀଡା ରେ ଭାଗ ନେବା ସହିତ ବିରାଟ ରାଜ୍ୟ ରେ ଥିବା ପାଣ୍ତବ ମାନଙ୍କୁ ସାକ୍ଷାତ କରିବାକୁ। ପବିତ୍ର ଅକ୍ଷୟ ତୃତୀୟା ଦିନ ଏହି ଜଳ କ୍ରୀଡା ଆରମ୍ଭ ହୋଇଥିଲା। କୃଷ୍ଣ ବଳରାମ ଦୁଇ ଭାଇ ଆସି ବିରାଟ ରାଜା ଙ୍କ ନଅର ରେ ପହଞ୍ଚିଲେ। ପାଣ୍ତବ ମାନଙ୍କୁ ସାକ୍ଷାତ କରି ସେମାନଙ୍କ ଭଲ ମନ୍ଦ ବୁଝି ଜଳ କ୍ରୀଡା ରେ ଯୋଗ ଦେଇଥିଲେ। ଏହି ଜଳକ୍ରୀଡା ୨୧ ଦିନ ଧରି ଚାଲିଥିଲା।
ବିରାଟ ରାଜ୍ୟ ର ରାଜା ଓ ପ୍ରଜା ସମୂହ ଶ୍ରୀ କୃଷ୍ଣ ଙ୍କ ଦର୍ଶନ ଲାଭ କରି କୃତାର୍ଥ ହେଲେ। ଏହି ସ୍ମୃତି କୁ ମନେ ପକାଇବା ପାଇଁ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଶ୍ରୀ କୃଷ୍ଣ ବୋଲି ବିବେଚନା କରାଯାଇ ପୁରୀ ଶ୍ରୀ କ୍ଷେତ୍ର ରେ ଚନ୍ଦନଯାତ୍ରା ଆରମ୍ଭ ହୋଇଥିବା କୁହା ଯାଇଥାଏ। ଅନେକ ଙ୍କ ମତରେ ଗଜପତି ପ୍ରତାପରୁଦ୍ର ଙ୍କ ସମୟ ରେ ମହାପ୍ରଭୁ ଙ୍କ ର ଏହି ପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିଲା। ସେ ଯାହା ହେଉନା କାହିଁକି ବୈଶାଖ ମାସ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଠାରୁ
୪୨ ଦିନ ବ୍ୟାପୀ ଅନୁଷ୍ଠିତ ହୋଇ ଆସୁଥିବା ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା
ବେଶ ଲୋକପ୍ରିୟ ହୋଇପାରିଛି। ଜୟ ଜଗନ୍ନାଥ ସ୍ଵାମୀ।।
ତୁଳସୀପୁର। ପୁରୀ।।
୯୪୩୯୩୬୧୮୮୮।