ଶ୍ରୀ କ୍ଷେତ୍ର ର ପଞ୍ଚ ତୀର୍ଥ

ନିମାପଡା, (ସନ୍ତୋଷ ଦାଶ):ଏବେ ଚାଲିଛି ପବିତ୍ର କାର୍ତ୍ତିକ ମାସ। ଶହ ଶହ ଶ୍ରଦ୍ଧାଳୁ ପୁରୀ ଶ୍ରୀ କ୍ଷେତ୍ର ରେ ଭକ୍ତି ଓ ନିଷ୍ଠା ର ଶହ ପାଳୁଛନ୍ତି କାର୍ତ୍ତିକ ବ୍ରତ। ଏହି ସମୟ ରେ ହଜାର ହଜାର ଭକ୍ତ ଶ୍ରୀ କ୍ଷେତ୍ର ଆସି ମହାପ୍ରଭୂ ଙ୍କ ରାଇ ଦାମୋଦର ବେଶ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରୁଛନ୍ତି। କାର୍ତ୍ତିକ ମାସର ପ୍ରତ୍ୟୁଷ ରେ ପଞ୍ଚ ତୀର୍ଥ ରେ ବୁଡ଼ ପକାଇ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ଵାସ ରହିଛି।ହିନ୍ଦୁଧର୍ମାବଲମ୍ବୀ ମାନେ ପୁରୀରେ ଥିବା ପବିତ୍ର ପଞ୍ଚ ତୀର୍ଥରେ ବୁଡ଼ ପକାଇଲେ ପୁରୀକୁ କରିଥିବା ତୀର୍ଥଯାତ୍ରା ସଫଳ ହୁଏ ବୋଲି ବିଶ୍ଵାସ ରଖନ୍ତି । ସେହି ପାଞ୍ଚଟି ପବିତ୍ର ଜଳାଶ୍ରୟ ହେଉଛି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ, ରୋହିଣୀକୁଣ୍ଡ, ମାର୍କଣ୍ଡେୟ ପୁଷ୍କରିଣୀ, ଶ୍ଵେତଗଙ୍ଗା ପୁଷ୍କରିଣୀ ଏବଂ ମହୋଦଧି ବା ସମୁଦ୍ର।ବ୍ରହ୍ମପୁରାଣ ରେ ଏହି ପଞ୍ଚତୀର୍ଥ ହେଲା ମାର୍କଣ୍ଡେୟ ପୁଷ୍କରିଣୀ, ବଟମନ୍ଦିର କୃଷ୍ଣ (ଅର୍ଥାତ୍ ଜଗନ୍ନାଥ), ରୋହିଣେୟ (ବଳଭଦ୍ର), ମହୋଦଧି ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ। ସ୍କନ୍ଦପୁରାଣ ରେ ଲେଖାଅଛି ମାର୍କଣ୍ଡେୟ, କଳ୍ପବୃକ୍ଷ, ଦାରୁବ୍ରହ୍ମ, ମହୋଦଧି ଓ ଇନ୍ଦ୍ରଦ୍ୟୁମ୍ନ ସରୋବର । ମୁକ୍ତି ଚିନ୍ତାମଣି ଓ ହଳଧରକୃତ ସ୍ମ‌ରତି ଦର୍ପଣ ଅନୁସାରେ ପଞ୍ଚତୀର୍ଥ ହେଲା ମାର୍କଣ୍ଡେୟ ପୁଷ୍କରିଣୀ, ଶ୍ୱେତଗଙ୍ଗା, ରୋହିଣୀକୁଣ୍ଡ, ମହୋଦଧି ଓ ଇନ୍ଦ୍ରଦ୍ୟୁମ୍ନ ସରୋବର । ସାରଳା ଦାସଙ୍କ ମହାଭାରତ (ବନପର୍ବ)ରେ ଉଲ୍ଲେଖ ପ୍ରକାରେ ପଞ୍ଚତୀର୍ଥ ହେଉଛି ମହୋଦଧି, ରୋହିଣୀକୁଣ୍ଡ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟମ୍ନ ଓ ମାର୍କଣ୍ଡେୟ ସରୋବର । ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ସମୁଦ୍ର ସ୍ୱର୍ଗଦ୍ୱାର, ଚକ୍ରତୀର୍ଥ ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀକୁ ପଞ୍ଚତୀର୍ଥ କୁହାଯାଇଛି । ପଞ୍ଚ ତୀର୍ଥ ହେଉଛି ଶ୍ଵେତଗଙ୍ଗା, ମାର୍କଣ୍ଡ,ଇନ୍ଦ୍ରଦ୍ୟୁମ୍ନ, ରୋହିଣୀକୁଣ୍ଡ, ମହୋଦଧି । ପୁରୀ ଶ୍ରୀ କ୍ଷେତ୍ର କୁ ଆସୁଥିବା ଭକ୍ତମାନେ ପଞ୍ଚ ତୀର୍ଥ ପରିଭ୍ରମଣ ମଧ୍ୟ କରୁଛନ୍ତି। ଜୟ ଜଗନ୍ନାଥ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ