ଶ୍ରୀ ଜଗନ୍ନାଥ ଙ୍କ ମାମୁଁଘର ମାଧବ ମନ୍ଦିର ରୁ ଶ୍ରୀମନ୍ଦିର ଗଲା ପୋଢୁଆଁ ଭାର
ନିମାପଡ଼ା, (ସନ୍ତୋଷ ଦାଶ):ପ୍ରାଚୀ ଉପତ୍ୟକା ର ମାଧବ ଗ୍ରାମ ର ମାଧବାନନ୍ଦ ଜିୟୁ ମନ୍ଦିର ଶ୍ରୀ ଜଗନ୍ନାଥ ଙ୍କ ମାମୁଁଘର ଭାବେ ଲୋକମୁଖ ରେ ପରିଚିତ। ଏହି ମନ୍ଦିର ରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଚତୁର୍ଦ୍ଧାମୂର୍ତ୍ତି ଙ୍କ ପାଇଁ ପୋଢୁଆଁ ଭାର ଆଜି ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ମଧ୍ୟ ରେ ଯାଇଛି। ମାଧବାନନ୍ଦ ଜୀୟୁ ମନ୍ଦିର ହେଡ୍ ଟ୍ରଷ୍ଟି ପ୍ରଶାନ୍ତକୁମାର ଦେବ ଗୋସ୍ୱାମୀ, ମାଧବ ବିକାଶ ପରିଷଦ, ସେବକ ସମିତି,ବିଭିନ୍ନ ଗଡ଼ ର ସାମନ୍ତ ମାନଙ୍କ ନେତୃତ୍ୱ ରେ ଶହ ଶହ ପୁରୁଷ ମହିଳା ଭକ୍ତ, ଶ୍ରଦ୍ଧାଳୁ ଆଜି ଏହି ପୋଢୁଆଁ ଭାର ଶୋଭାଯାତ୍ରା ରେ ସାମିଲ ହୋଇଥିଲେ। ପୋଢୁଆଁ ଭାର ରେ ଚତୁର୍ଦ୍ଧାମୂର୍ତ୍ତି ଙ୍କ ପାଇଁ ଖଣ୍ଡୁଆପାଟ,ନବବସ୍ତ୍ର , ଫୁଲ, ତୁଳସୀ, ଫଳ ମୂଳ, ଚନ୍ଦନ ପ୍ରଭୃତି ଯାଇଥିବା କହିଛନ୍ତି ମାଧବାନନ୍ଦ ଠାକୁର ଙ୍କ ପୂଜକ ତ୍ରିଲୋଚନ ପୁଷ୍ପାଳକ ।ପ୍ରାତଃ ରୁ ମାଧବାନନ୍ଦ ମନ୍ଦିର ରୁ ସଙ୍କୀର୍ତ୍ତନ ମଣ୍ଡଳୀ ସହ ପୋଢୁଆଁ ଭାର କୁ ନେଇ ଭକ୍ତ, ସେବକ ମାନେ ନ୍ୟାୟବ୍ରତ ରାଉତ, ରାଜେନ୍ଦ୍ର ପଣ୍ଡା, ଡଲି ରାଉତ, ପିତାମ୍ବର ରାଉତ, ତ୍ରିନାଥ ପଟ୍ଟନାୟକ, ପ୍ରମୋଦ ମଲ୍ଲିକ, ଯୋଗେନ୍ଦ୍ର ଦାସ, ପ୍ରସନ୍ନ କୁମାର ମଲ୍ଲିକ ଙ୍କ ନେତୃତ୍ଵ ରେ ଚାରିଛକ, ଗୋପ, ବାଲିଘାଇ ଦେଇ ପୁରୀ ନେଇ ଯାଇଥିଲେ। ଶ୍ରୀ ଗୁଣ୍ଡିଚା ମନ୍ଦିର ଠାରୁ ଏକ ଶୋଭାଯାତ୍ରା ରେ ଭାର ସବୁକୁ ଶ୍ରୀ ମନ୍ଦିର ନିଆଯାଇ ଚତୁର୍ଦ୍ଧାମୂର୍ତ୍ତି ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଥିଲା। ଭାର ଯାତ୍ରୀ ମାନେ ଶାନ୍ତିଶୃଙ୍ଖଳା ର ସହ ଯେପରି ଯାତ୍ରାକରିବେ ସେଥିଲାଗି ନିଆଳି ଥାନା ପୋଲିସ ଓ ଚାରିଛକ ଫାଣ୍ଡି ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା।