ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ମାଧବ ମନ୍ଦିର ରୁ ଶ୍ରୀମନ୍ଦିର ଗଲା ପୋଢୁଆଁ ଭାର
ନିମାପଡ଼ା, (ସନ୍ତୋଷ ଦାଶ):ରାତି ପାହିଲେ ପୋଢୁଆଁଷ୍ଠମୀ। ପ୍ରାଚୀ ଉପତ୍ୟକା ର ମାଧବ ଗ୍ରାମ ର ମାଧବାନନ୍ଦ ଜିୟୁ ମନ୍ଦିର ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ଭାବେ ଲୋକ ମୁଖରେ ପରିଚିତ। ଏହି ମନ୍ଦିର ରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଚତୁର୍ଦ୍ଧାମୂର୍ତ୍ତି ଙ୍କ ପୋଢୁଆଁ ପାଇଁ ନବ ବସ୍ତ୍ର, ଫଳ, ମୂଳ, ତୁଳସୀ ଭାର ଶ୍ରୀ କ୍ଷେତ୍ର ପୁରୀ କୁ ପଠାଯାଇଛି। ମାଧବ ବିକାଶ ପରିଷଦ, ଛତିଶା ନିଯୋଗ ସେବକ ସଂଘ, ସ୍ଥାନୀୟ ଯାଦବ ସଂଘ ର ଶହଶହ ମହିଳା, ପୁରୁଷ ଭକ୍ତ ଓ ଶ୍ରଦ୍ଧାଳୁ ହେଡ ଟ୍ରଷ୍ଟି ପ୍ରଶାନ୍ତ କୁମାର ଦେବ ଗୋସ୍ୱାମୀ, ନ୍ୟାୟବ୍ରତ ରାଉତ, ପୂର୍ଣ୍ଣଚନ୍ଦ୍ର ପୁଷ୍ପାଳକ, ତ୍ରିଲୋଚନ ପୁଷ୍ପାଳକ, ପ୍ରଶାନ୍ତ ପୁଷ୍ପାଳକ, ଯାଦବ ସଂଘ ସଭାପତି ଅକ୍ଷୟ ବେହେରା ଙ୍କ ନେତୃତ୍ୱ ରେ ପ୍ରାତଃ ରୁ ମାଧବାନନ୍ଦ ମନ୍ଦିର ରୁ ସଙ୍କୀର୍ତ୍ତନ ମଣ୍ଡଳୀ ସହ ପୁରୀ ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ବାଟରେ ଭକ୍ତମାନେ ହରିବୋଲ, ହୁଳହୁଳି ପକାଇ ଏହି ଭାରୁଆ ମାନଙ୍କୁ ସ୍ଵାଗତ କରିଥିବା ବେଳେ ଫଳ, ମୂଳ, ତୁଳସୀ, ଫୁଲ ପ୍ରଭୁତି ପ୍ରଦାନ କରିଥିଲେ। ଶାନ୍ତି ଶୃଙ୍ଖଳା ର ସହ ଯାତ୍ରା ପାଇଁ ନିଆଳି ଥାନା ପୋଲିସ ଓ ଚାରିଛକ ଫାଣ୍ଡି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଭାର କାନ୍ଧେଇଥିବା ପଦଯାତ୍ରୀ ଦଳ ସଙ୍କୀର୍ତ୍ତନ ମଣ୍ଡଳୀ ସହ ପୁରୀ ରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରା ରେ ଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀ ମନ୍ଦିର ଯାଇ ଭାର କୁ ଶ୍ରୀ ମନ୍ଦିର ପ୍ରଶାସନ କୁ ପ୍ରଦାନ କରିବେ। ଏହି ଭାର ରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ପାଇଁ
ନବ ଖଣ୍ଡୁଆ ପାଟ ବସ୍ତ୍ର, ତୁଳସୀ, ଫଳ ମୂଳ ପ୍ରଭୁତି ରହିଛି। ଏଥିପାଇଁ ମାଧବ ଠାରୁ ପୁରୀ ପର୍ଯ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଜୟ ଜଗନ୍ନାଥ ଧ୍ଵନୀ ରେ ପ୍ରକମ୍ପିତ ହୋଇପଡ଼ିଥିଲା ପ୍ରାଚୀ ଉପତ୍ୟକା ଓ ଶ୍ରୀ ଜଗନ୍ନାଥ ସଡ଼କ।