ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥ ନନ୍ଦିଘୋଷ

ସନ୍ତୋଷ କୁମାର ଦାଶ

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା କୁ ଆଉ ଅଳ୍ପ ଦିନ ବାକି।ଆସନ୍ତୁ ଜାଣିବା ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ରଥ ନନ୍ଦିଘୋଷ ସମ୍ପର୍କ ରେ। କୁହାଯାଏ ଯେ, ନନ୍ଦି ଆଉ ଘୋଷ। ଏ ଦୁଇ ଶବ୍ଦର ମିଶ୍ରଣରେ ସୃଷ୍ଟିହୋଇଛି ନନ୍ଦିଘୋଷ। ‘ନନ୍ଦି’ ହେଉଛନ୍ତି ଭଗବାନ ଶିବଙ୍କ ବାହନ ଓ ‘ଘୋଷ’ ହେଉଛି ଗର୍ଜନ। ନନ୍ଦିଙ୍କ ଗର୍ଜନ ରୁ ରଥର ନାମ ହୋଇଛି ‘ନନ୍ଦିଘୋଷ’। ତ୍ରେତୟା ଯୁଗର ଏକ କଥା ସହ ନନ୍ଦିଘୋଷ ଶବ୍ଦଟି ଜଡ଼ିତ। ରାବଣ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ଭଗବାନ ରାମଙ୍କ ସହ ଥିବା ବାନର ଓ ଭଲ୍ଲୁକମାନେ, ଯୁଦ୍ଧର ରଣନୀତି ପ୍ରସ୍ତୁତ କରୁଥାନ୍ତି। ଏହି ସମୟରେ ଇନ୍ଦ୍ର ଦେବତା ମଧ୍ୟ ଭଗବାନ ରାମ ଙ୍କୁ ସହାୟତା କରିବା ପାଇଁ ଚିନ୍ତା କରନ୍ତି। ପ୍ରଭୁ ରାମ ବନବାସୀ ହୋଇଥିବାରୁ ତାଙ୍କ ପାଖରେ ରଥ ନ ଥାଏ। ଏଣୁ ରଥଟିଏ ପ୍ରଦାନ କରନ୍ତି ଦେବରାଜ ଇନ୍ଦ୍ର। ହେଲେ ରାବଣର ସୈନ୍ୟଙ୍କୁ ପରାସ୍ତ କରିବା ରାମଙ୍କ ପକ୍ଷେ ସମ୍ଭବ ହୁଏ ନାହିଁ। ଏହି ସମୟରେ ବିଷ୍ଣୁ ରୂପୀ ଶ୍ରୀରାମ ଙ୍କୁ ସହାୟତା କରିବା ପାଇଁ ଭଗବାନ ଶିବ ନିଜ ବାହନ ‘ନନ୍ଦି’ଙ୍କୁ ପ୍ରେରଣ କରନ୍ତି। ନନ୍ଦିଙ୍କୁ ଧାରଣ କରିବାର ଶକ୍ତି କାହାର ନ ଥିବାରୁ ବିଷ୍ଣୁଙ୍କ ସୁଦର୍ଶନ ଚକ୍ରରେ ସ୍ଥାପିତ ହୁଅନ୍ତି ନନ୍ଦି। ଦୁଇ ମହା ଶକ୍ତି ଏକାଠି ହୁଏ। ସୁଦର୍ଶନଙ୍କ ଘୂର୍ଣ୍ଣନ ବେଳେ ନନ୍ଦିଙ୍କ ଅବସ୍ଥାନ ଯୋଗୁଁ ନନ୍ଦି ଭୀଷଣ ଗର୍ଜନ କରନ୍ତି। ସେହି ଗର୍ଜନ ଫଳରେ ରାବଣ ର ଅର୍ଦ୍ଧାଧିକ ସୈନ୍ୟ ପ୍ରାଣ ହରାନ୍ତି ଓ ଶ୍ରୀରାମଙ୍କ ବିଜୟପଥ ସୁଗମ ହୁଏ। ଏଣୁ ଇନ୍ଦ୍ରଙ୍କ ପ୍ରଦତ୍ତ ଏହି ରଥର ନାମ ହୁଏ ‘ନନ୍ଦିଘୋଷ’।ପୁରୀ ରେ ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥ ବିରାଜମାନ କରୁଥିବା ଏହି ରଥରେ ମହାପ୍ରଭୁଙ୍କ ବିଗ୍ରହ ସହ ତାଙ୍କ ପ୍ରମୁଖ ଚଳନ୍ତି ପ୍ରତିମା ମଦନମୋହନ ମଧ୍ୟ ଶ୍ରୀ ଗୁଣ୍ଡିଚା ଯାତ୍ରା କରିଥାନ୍ତି। ନନ୍ଦିଘୋଷ ରଥ କୁ ଗରୁଡ଼ ଧ୍ୱଜ ,ଚକ୍ରଧ୍ୱଜ , କପିଧ୍ୱଜ ରଥ ମଧ୍ୟ କୁହାଯାଇଥାଏ। ନନ୍ଦିଘୋଷ ରଥ ରେ ୭୪୨ ରୁ ୮୩୧ ଖଣ୍ଡ କାଠ ବ୍ୟବହୃତ ହେଉଥିବା ବେଳେ ଏହାର ଉଚ୍ଚତା ୪୪ ଫୁଟ ୩ ଇଞ୍ଚ ବା ୩୩ ହାତ ୫ ଆଙ୍ଗୁଳି । ରଥ ର ଚକ ସଂଖ୍ୟା ୧୬ ଓ ଚକ ସବୁର ବ୍ୟାସ ୭ ଫୁଟ। ପୀତ ଲୋହିତ ରଙ୍ଗ କପଡ଼ା ରେ ରଥ କୁ ଆବରଣ କରା ଯାଉଥିବାବେଳେ ରଥ ର ଅଧୀଶ୍ଵର ହେଉଛନ୍ତି ସ୍ଵୟଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ତାଙ୍କ ସହିତ ଶ୍ରୀ ମଦନମୋହନ ମଧ୍ୟ ରଥ ରେ ଆରୋହଣ କରିଥାନ୍ତି। ରଥ ର ସାରଥୀ ଦାରୁକ ହୋଇ ଥିବାବେଳେ
ରଥ ର ରକ୍ଷକ ହେଉଛନ୍ତି ଗରୁଡ଼ ଓ ଇନ୍ଦ୍ର। ରଥ ଦେବତା ନୃସିଂହ ବୋଲି କୁହାଯାଉ ଥିବା ବେଳେ ରଥ ର ଦେବୀ ହେଉଛନ୍ତି ଯୋଗମାୟା। ରଥ ଦଉଡ଼ି ର ନାମ ଶଙ୍ଖଚୁଡ଼ ହୋଇଥିବା ବେଳେ ରଥ ର ୪ ଅଶ୍ୱ ହେଉଛନ୍ତି ଶଙ୍ଖ, ବଳାହକ,ଶ୍ୱେତ ଓ ହରିଦ୍ୱାଶ। ନନ୍ଦିଘୋଷ ରଥ ନେତ ( ପତାକା) ର ନାମ ତ୍ରିଲୋକ୍ୟ ମୋହିନୀ ହୋଇଥିବାବେଳେ ରଥ ର ଦ୍ଵାରପାଳ ହେଉଛନ୍ତି ଜୟ ଓ ବିଜୟ। ରଥ ର
ଋଷି ପଟାରେ ଋଷି ନାରଦ , ବ୍ୟାସ, ଦେବଳ,ଶୁକଦେବ , ପରାଶର , ବିଶିଷ୍ଟ , ବିଶ୍ଵାମିତ୍ର ଓ ମାର୍କଣ୍ଡେୟ ସ୍ଥାନ ପାଇଥାନ୍ତି।
ରଥ ଧ୍ବଜା ରେ ହନୁମାନ ବିରାଜିତ ହୋଇ ଥିବାବେଳେ ରଥ ଶୂନ୍ୟ ଚକ୍ର ର ନାମ ସୁଦର୍ଶନ । ରଥ ଶୀର୍ଷ ରେ ଥିବା ଦୁଇ ଓଲଟ ଶୁଆ ଙ୍କୁ ଜୀବ ଓ ପରମ ବୋଲି ବିବେଚନା କରାଯାଇଥାଏ। ମହାପ୍ରଭୂ ଙ୍କ ନନ୍ଦିଘୋଷ ରଥ ରେ ଉର୍ବଶୀ , ଫୁଲ ମୋଚି,
କନକ ମଞ୍ଜରୀ କାମମଞ୍ଜରୀ, ପ୍ରେମ ମଞ୍ଜରୀ ,ଚମ୍ପକ ମଞ୍ଜରୀ, ଅନଙ୍ଗ ମଞ୍ଜରୀ ,ଭ୍ରମର ମଞ୍ଜରୀ ନାମକ ଅଷ୍ଟ ଅପସରା ସ୍ଥାନ ପାଇଥାନ୍ତି। ନନ୍ଦିଘୋଷ ରଥ ର ପାଶ୍ଵ ଦେବତା ଭାବେ ହରିହର, ପଣ୍ଡୁ, ନୃସିଂହ, ଗିରି ଗୋବର୍ଦ୍ଧନଧାରୀ, ଚିନ୍ତାମଣି କୃଷ୍ଣ, ଚତୁର୍ଭୁଜ ନାରାୟଣ, ପଞ୍ଚମୁଖି ହନୁମାନ, ରାବଣ, ରାମ, ଛତ୍ରଭଙ୍ଗ, ମଧୁସୂଦନ ସ୍ଥାନ ପାଉଥିବାବେଳେ ରଥ ୧୬ ଚକର ନାମ ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆଶକ୍ତ, ରତି, କେଳି, ସତ୍ୟ, ସୁସ୍ୱସ୍ତି, ଜାଗୃତି, ତୁରୀୟ, ଆମ ଓ ନିର୍ବାଣ। ଶିଳ୍ପଶାସ୍ତ୍ର ଅନୁଯାୟୀ ଭକ୍ତି ଭାବ ଓ ନିଷ୍ଠା ର ସହିତ ମହାରଣା ସେବକ ମାନେ ଅନ୍ୟ ସେବକ ମାନଙ୍କ ସାହାଯ୍ୟ ସହଯୋଗ କ୍ରମେ ରଥ ନିର୍ମାଣ କାର୍ଯ୍ୟ କରିଥାନ୍ତି।
ଜୟ ଜଗନ୍ନାଥ ସ୍ଵାମୀ।
ତୁଳସୀପୁର। ପୁରୀ।
୯୪୩୯୩୬୧୮୮୮।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ