ଶ୍ରୀ ଜୀୟୁ ମାନଙ୍କୁ ହେଲା ଚିତାଲାଗି : ଘରେଘରେ ଭୋଗହେଲା ଚିତଉପିଠା
ନିମାପଡା, (ସନ୍ତୋଷ ଦାଶ ) :ଆଜି ଶ୍ରାବଣ ମାସ ର ପବିତ୍ର ଅମାବାସ୍ୟା ତିଥି ।ପାରମ୍ପରିକ ପ୍ରଥାନୁସାରେ ପୁରୀ ବଡଦେଉଳ ରେ ଶ୍ରୀ ଜୀୟୁ ମାନଙ୍କୁ ଲାଗି ହୋଇଛି ରତ୍ନଚିତା l ଗତ ସ୍ନାନପୂର୍ଣ୍ଣିମା ଦିନ ଶ୍ରୀ ଜୀୟୁ ମାନଙ୍କ ମସ୍ତକ ରୁ ରତ୍ନଚିତା ଖୋଲାଯାଇଥିଲା l ଆଜି ଵିଧି ଅନୁସାରେ ଶ୍ରୀ ଜଗନ୍ନାଥ ଙ୍କ ମସ୍ତକ ରେ ହୀରା ଖଚିତ ଧଳାଚିତା, ଶ୍ରୀ ବଳଭଦ୍ର ଙ୍କ ମସ୍ତକ ରେ ନୀଳା ଖଚିତ ଚିତା, ମା ସୁଭଦ୍ରା ଙ୍କ ମସ୍ତକ ରେ ମାଣିକ ଖଚିତ ନାଲିଚିତା ଲାଗି କରାଯାଇଥିଲା l ଏହି ଚିତା ଗୁଡିକ ଆସନ୍ତାବର୍ଷ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀ ଜୀୟୁ ମାନଙ୍କ ମସ୍ତକ ରେ ଶୋଭା ପାଇବ l ଚିତା ଲାଗି ପରେ ଶ୍ରୀ ଜିୟୁ ମାନଙ୍କୁ ଚିତଉ ପିଠା ଭୋଗ ଲାଗି କରାଯାଇଥିଲା । ଏଥିପାଇଁ ମନ୍ଦିର ରେ ସର୍ବ ସାଧାରଣ ଙ୍କ ଦର୍ଶନ କୁ ବନ୍ଦ ରଖାଯାଇଥିଲା। ଅପରପକ୍ଷରେ ପୁରୀ ଜିଲ୍ଲା ର ସମସ୍ତ ଗାଁ ର ଘରେ ଘରେ ଚିତଉ ପିଠା ପ୍ରସ୍ତୁତ କରାଯାଇ ବୃନ୍ଦାବତୀ(ଚଉରା), ଗ୍ରାମ ଦେବତୀ, ଗ୍ରାମରେ ପୂଜା ପାଉଥିବା ଦେବଦେବୀ ଙ୍କ ନିକଟରେ ଭୋଗ ଲାଗି କରାଯାଇଥିଲା l କିଛି ଚିତଉ ପିଠା କୁ ପିଲାମାନେ ଧାନବିଲ, ପୋଖରୀ କୁ ନେଇ ଗେଣ୍ଡା (ଗେଂଡେଇସୁଣୀ ) ଙ୍କ ଉଦେଶ୍ୟରେ ପକାଇଥିଲେ l ବିଶ୍ୱାସ ରହିଛି ଗେଣ୍ଡା ଙ୍କୁ ଆଜି ଚିତଉ ପିଠା ଖାଇବାକୁ ଦେଲେ ବର୍ଷା ଋତୁ ରେ ଗେଣ୍ଡା ମାନେ ଚାଷ କାର୍ଯ୍ୟ ସମୟରେ ଚାଷୀ ର ଗୋଡ, ହାତ, ଆଣ୍ଠୁ କୁ କାଟନ୍ତିନାହିଁ l ଏହାଏକ କୃଷିଭିତିକ ପର୍ବ,ସେଥିପାଇଁ ଗାଁ ଗଣ୍ଡା ରେ ଆଜିର ଦିନକୁ ଚିତଉ ଅମାବାସ୍ୟା ବୋଲି କୁହାଯାଇଥାଏ । ଚିତଉ ଅମାବାସ୍ୟା ପାଇଁ ସମସ୍ତ ଗାଁ ଉତ୍ସବ ମୁଖର ହୋଇ ପଡ଼ିଥିଲା ।