ଶ୍ରୀ ବଳଦେବଜୀଉଙ୍କ ପ୍ରଳମ୍ବାସୁର ବଧ ନିମନ୍ତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଟବସ୍ତ୍ର ପ୍ରଦାନ

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ପ୍ରଳମ୍ବାସୁର ବଧ ବେଶ ଆସନ୍ତା ଶୁକ୍ରବାର ଦିନ କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥି ଅବସରରେ ଅନୁଷ୍ଠିତ ହେବ । ପୂର୍ବ ବର୍ଷ ଭଳି ଆଜି ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀ ବଳଦେବଜୀଉ, ସାନୁଜ ଜଗନ୍ନାଥ ଓ ଭଗ୍ନୀ ସୁଭଦ୍ରାଙ୍କ ପାଇଁ ଯଥାକ୍ରମେ ଘନନୀଳ, ପୀତବର୍ଣ୍ଣ ଓ ରକ୍ତବର୍ଣ୍ଣର ତିନି ଖଣ୍ଡ ପାଟ ଶାଢୀ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ସରୋଜ କୁମାର ରାୟ, ନାଜିର ବିମଳ କୁମାର କାମିଲା, ସତ୍ୟନାରାୟଣ ପାତ୍ର ଓ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଆଣି ଶ୍ରୀ ବଳଦେବଜୀଉଙ୍କ ଦେବୋତ୍ତର କାର୍ଯ୍ୟାଳୟରେ ପହଁଚିଥିଲେ । ଦେବୋତ୍ତର କାର୍ଯ୍ୟାଳୟ ନିକଟରୁ ସେହି ତିନି ଖଣ୍ଡ ପାଟ ଶାଢୀକୁ ଏକ ସୁସଜ୍ଜିତ ରୂପା ଥାଳିରେ ରଖାଯାଇ ସେଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ସଙ୍କୀର୍ତ୍ତନ ମଣ୍ଡଳି, ବାଜା, ଘଣ୍ଟ, ଘଣ୍ଟା, ଶଙ୍ଖ, ମଶାଲ ସହ ଶ୍ରୀଜୀଉଙ୍କ ମନ୍ଦିରକୁ ନିଆଯାଇ ମନ୍ଦିର ମଧ୍ୟରେ ବଡ ପଣ୍ଡା ମାଧବ ଚନ୍ଦ୍ର ପତ୍ରିଙ୍କୁ ପ୍ରଦାନ କରାଯାଇଥିଲା । ଏହାପରେ ପାଟବସ୍ତ୍ରକୁ ଶ୍ରୀଜୀଉଙ୍କ ପାଖରେ ଭେଟ କରାଯାଇ ଭଣ୍ଡାର ଘରେ ରଖାଯାଇଥିଲା । ଏହି ପବିତ୍ର କାର୍ଯ୍ୟକ୍ରମକୁ ଟ୍ରଷ୍ଟ ବୋର୍ଡର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ବୋର୍ଡ ସଦସ୍ୟ ଧିରେନ ସାହୁ, ଯଯାତୀ କେଶରି ମହାନ୍ତି, ରଞ୍ଜନ କୁମାର ପୃଷ୍ଟି, ବଳରାମ ସୂଆର ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ଦିର ସୁପଭାଇଜର, କର୍ମଚାରୀ, ସେବାୟତ ଓ ଶ୍ରଦ୍ଧାଳୁ ଭକ୍ତମାନେ ଅଂଶଗ୍ରହଣ କରିଥିଲେ । ଏହି ପାଟବସ୍ତ୍ରକୁ ଏକାଦଶୀ ତିଥିର ବେଶରେ ଶ୍ରୀଜୀଉଙ୍କୁ ଲାଗି କରାଯିବ । ଶ୍ରୀ ବଳଦେବଜୀଉ ଦେବୋତ୍ତର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସାଧୁବାଦ ଜ୍ଞାପନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ