ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ଚକଡା ଲାଗିଲା
କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) : ଗୁରୁବାର ଶ୍ରୀଗୁଣ୍ଡିଚା ଅବସରରେ ଅପରାହ୍ନ ୫ଟା ୨୭ମିନିଟରେ ଶ୍ରୀଜୀଉଙ୍କ ବ୍ରହ୍ମତାଳଧୂଜ ରଥ ଟଣାଯାଇ ଦେବୋତ୍ତର କାର୍ଯ୍ୟାଳୟ ନିକଟରେ ପହଁଚିବାପରେ ସେଠାରେ ରଥ ଅଟକି ରହିଥିଲା । ଦ୍ୱିତୀୟ ଦିବସରେ ପୂନର୍ବାର ସେଠାରୁ ରଥ ଟଣାଯାଇ ପ୍ରାୟ ସନ୍ଧ୍ୟା ୬ଟା ସମୟରେ ମାଉସୀମା ମନ୍ଦିର ନିକଟରେ ରଥ ଚକଡା ଲାଗିଥିଲା । ଏହି ଦ୍ୱିତୀୟ ଦିବସର ରଥଯାତ୍ରାରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି,କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ପୂର୍ବତନ କାଉନସିଲର ରଞ୍ଜିତ ସାହୁ,କାଳି ପ୍ରସାଦ ମିଶ୍ର,ଶିକ୍ଷାବିତ ଶ୍ରୀଧର ବେହେରା,ରାଜେଶ ପଣ୍ଡା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁଣ କୁମାର ଜେନା, କେନ୍ଦ୍ରାପଡା ଏସ.ଡି.ପି.ଓ.ରାଜୀବଲୋଚନ ପଣ୍ଡା,ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି,ଦେବୋତ୍ତର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ,ଟ୍ରଷ୍ଟବୋର୍ଡ ସଦସ୍ୟ ରଞ୍ଜନ କୁମାର ପୃଷ୍ଟି,ଯଯାତୀ କେଶରୀ ମହାନ୍ତି ପ୍ରମୁଖ ଶ୍ରୀ ଜୀଉଙ୍କ ରଥ ଟାଣିଥିଲେ । ଜିଲ୍ଲା ପୋଲିସ ପକ୍ଷରୁ ଏକ କଂଟ୍ରୋଲ ରୁମ ଖୋଲାଯାଇ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା । ରଥଯାତ୍ରା ଓ ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ବ୍ୟାପକ ପୋଲିସ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା । ଏହି ଅବସରରେ ତୁଳସୀକ୍ଷେତ୍ରର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ସୂଚନା ପୁସ୍ତିକା ରଥଦାଣ୍ଡରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଖୋଲାଯାଇଥିବା ଷ୍ଟଲରେ ଲୋକମାନଙ୍କୁ ବଂଟାଯାଇଥିଲା । ବର୍ଷା ସତ୍ୱେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା । ଆଜି ପ୬ାୟ ୨୦ହଜାରରୁ ଉଦ୍ଧ୍ୱର୍ ଜନସମାଗମ ହୋଇଥିବାର ଦେଖାଯାଇଥିଲା । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ,ବଜରଙ୍ଗଦଳ ପକ୍ଷରୁ ଜନସାଧାରଣଙ୍କୁ ପିଇବା ପାଣି ପ୍ରଦାନ କରାଯିବା ସହ ସ୍ୱେଛାସେବକ କାର୍ଯ୍ୟ ନିର୍ବାହ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ,ପୈାରନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ପୈାରସଂସ୍ଥା ପକ୍ଷରୁ ମଧ୍ୟ ଏକ ଷ୍ଟଲ ରଥଦାଣ୍ଡରେ ଖୋଲାଯାଇ ରଥଯାତ୍ରା ଦେଖିବାକୁ ଆସିଥିବା ଲୋକମାନଙ୍କୁ ଦହିପାଣି ବିତରଣ କରାଯାଇଥିଲା ।