ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଉନ୍ନତିକରଣ ପାଇଁ ଅନୁଦାନ ଘୋଷଣା

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଗତ ଜୁନମାସ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଛାପୁରସ୍ଥିତ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିଦର୍ଶନ ସମୟରେ ସେବାୟତମାନଙ୍କ ସହ ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ । ସେହି ଅନୁଯାଇ ମଙ୍ଗଳବାର ସନ୍ଧ୍ୟାରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀବଳଦେବଜୀଉଙ୍କ ମନ୍ଦିରର ଉନ୍ନତିକରଣ ପାଇଁ ସାଂସଦ,ବିଧାୟକ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କ୍ରମେ ୮କୋଟି ୫୦ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ମଞ୍ଜୁର କରିଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀ ବଳଦେବଜୀଉଙ୍କ ମନ୍ଦିର,ରଥଦାଣ୍ଡ,ମାଉସୀ ମା ମନ୍ଦିରର ଉନ୍ନତି କରଣ ଉପଲକ୍ଷେ ପାୱାର ପଏଂଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ସହ ମନ୍ଦିରର ପର୍ଯ୍ୟଟନ ଓ ଐତିହ୍ୟର ଉନ୍ନତିକରଣ ନିମନ୍ତେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ପ୍ରତ୍ୟେକ ବର୍ଷ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରକୁ ଲକ୍ଷାଧିକ ଭକ୍ତ ଦର୍ଶନ କରିବାକୁ ଆସିଥାନ୍ତି । ଏହା ଏକ ୩ଶହବର୍ଷର ପୁରାତନ ମନ୍ଦିର ହୋଇଥିବାରୁ ଏହାର ଧାର୍ମିକ ପରିପାଟିର ଉନ୍ନତି କରଣ ସହ ଏକ ଶିଶୁ ଉଦ୍ୟାନର ଉନ୍ନତିକରଣ,ନିକଟରେ ଥିବା ପୁଷ୍କରିଣୀର ଉନ୍ନତିକରଣ ଏବଂ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ ପାଇଁ ନୈାକା ବିହାରର ଉପଲବ୍ଧ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିରିକୃତ କରାଯାଇଛି । ଏହାସହିତ ମନ୍ଦିରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଚର୍ତୁପାଶ୍ୱର୍ରେ ଥିବା ସମସ୍ତ ଜବରଦଖଲ ଉଛେଦ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ମନ୍ଦିରରେ ଆକର୍ଷଣୀୟ ଆଲୋକ ସଜ୍ଜା ସହ ସି.ସି.ଟିଭି ଏବଂ ଅଗ୍ନିନିର୍ବାପକ ବ୍ୟବସ୍ଥା କରାଯିବ । ଭକ୍ତମାନଙ୍କ ରହଣି ନିମନ୍ତେ ଅତିଥି ଭବନ ନିର୍ମାଣ କରାଯିବ । ଶ୍ରୀବଳଦେବଜୀଉଙ୍କ ମନ୍ଦିରର ସମସ୍ତ ପୁରାତନ ଐତିହ୍ୟ ଓ ସଂସ୍କୃତିର ପୁନରୁଦ୍ଧାର କରାଯିବ । ଏସମସ୍ତ କାର୍ଯ୍ୟର ପ୍ରସ୍ତୁତି ଓ ଡିଜାଇନ ଆର୍ଚିଟେକଚରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ପୂର୍ତ୍ତ ବିଭାଗକୁ ନିର୍ମାଣ ପାଇଁ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ସହ ସାଂସଦ ଅନୁଭବ ମହାନ୍ତି, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚି ନାୟକ, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଡି.ଆର.ଡି.ଏ.ପି.ଡି.ଦିଲ୍ଲିପ କୁମାର ପରିଡା, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ, କେନ୍ଦ୍ରାପଡା ପୋରସଂସ୍ଥା ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ବଳଦେବଜୀଉ ଦେବୋତ୍ତର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତି, ଟ୍ରଷ୍ଟ ବୋର୍ଡ ସଦସ୍ୟ ଧିରେନ ସାହୁ, ରଞ୍ଜନ କୁମାର ପୃଷ୍ଟି, ସେବାୟତ ବଳରାମ ସୁଆର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ