ଶ୍ରୀ ମନ୍ଦିରରେ ରେଖା ପଞ୍ଚମୀ

ସନ୍ତୋଷ କୁମାର ଦାଶ

ଆଜି ପବିତ୍ର ଭାଦ୍ରବ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଅର୍ଥାତ୍ ରେଖାପଞ୍ଚମୀ। ଏହି ଅବସରରେ ଶ୍ରୀମନ୍ଦିର ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଲାଗି ହେବ ରାହୁ ରେଖା। ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ ପ୍ରସ୍ତୁତ ରାହୁ ରେଖା କୁ ଚତୁଃର୍ଦ୍ଧାମୂର୍ତ୍ତୀଙ୍କୁ ଲାଗି କରାଯିବ। ମହାପ୍ରଭୁଙ୍କର ଅନେକ ଗୁପ୍ତନୀତି ମଧ୍ୟରୁ ଏହା ଅନ୍ୟତମ ଗୁପ୍ତନୀତି ହୋଇଥିବାରୁ ଦଇତାପତି ସେବାୟତ ମାନେ ଗୋଷ୍ଠିଗତ ଭାବେ ଏହି ନୀତିକୁ ନିଷ୍ଠାର ସହ ସମ୍ପାଦନ କରିବେ। ପ୍ରଥମ ଭୋଗମଣ୍ଡପ ସରିବା ପରେ ରାହୁରେଖା ଲାଗି ନୀତି ଆରମ୍ଭ ହେବ। ଏହା ଏକ ଗୁପ୍ତନୀତି ହୋଇଥିବାରୁ ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାଇ ଆଜି ଅପରାହ୍ନ ୨ ଟା ୩୦ ମି ରୁ ସନ୍ଧ୍ୟା ୬ ଟା ୩୦ ମି ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ସ୍ନାନ ପୂର୍ଣ୍ଣୀମା ଦିନ ୧୦୮ ଗରା ଜଳରେ ସ୍ନାନ କରି ଥଣ୍ଡା ଜ୍ୱରରେ ପୀଡ଼ିତ ହେବା ପରେ ଶ୍ରୀଜିଉଙ୍କ ଶ୍ରୀମୁଖରୁ ରାହୁରେଖାକୁ କାଢି ଦିଆଯାଇଥିଲା। ତେବେ ପୁନର୍ବାର ଆଜି ଦେଉଳକରଣ, ତଢଉ କରଣ, ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ଭଣ୍ଡାର ଘରୁ ରାହୁ ରେଖା କୁ କଢାଯିବ। ପ୍ରଥମ ଭୋଗମଣ୍ଡପ ସରିବା ପରେ ପୁଷ୍ପାଳକ ସେବାୟତ ଝୋବାକଣ୍ଠି, ମଇଲମ କରିବା ସହ ମହାଜନ ସେବାୟତ ମାନେ ଭୂଦେବୀ ଏବଂ ଶ୍ରୀଦେବୀଙ୍କୁ ଖଟଶେଜ ଘରେ ବିରାଜମାନ କରାଇବେ। ଏହାପରେ ପତି ମହାପାତ୍ର ସେବାୟତ ଏହି ରାହୁରେଖାକୁ ସଂସ୍କାର କରିସାରିବା ପରେ ୪ ବାଡ଼ର ବାଡଗ୍ରାହୀ ଓଷୁଅ ଏବଂ କନା ଦ୍ୱାରା ଚତୁଃର୍ଦ୍ଧାମୂର୍ତ୍ତୀଙ୍କ ଶ୍ରୀମୁଖରେ ରାହୁ ରେଖାକୁ ଲାଗି କରାଇବେ। ରାହୁ ରେଖା ନୀତି ସମାପ୍ତ ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ।
ଅପର ପକ୍ଷରେ ପୁରୀ ଜିଲ୍ଲା ର ସମସ୍ତ ବ୍ରାହ୍ମଣ ଶାସନ ରେ ଏହି ଦିନ
ପ୍ରତି ପରିବାର ପକ୍ଷରୁ କୁଶ ରେ ନିର୍ମିତ ପଣ୍ଡୁଅ କୁ ପୂଜା କରାଯାଇ ଗୃହ ର ପ୍ରବେଶ ପଥ ରେ ଟଙ୍ଗା ଯାଇଥାଏ। ବିଶ୍ଵାସ ରହିଛି ଯେ, ଏହା ଦ୍ବାରା ଗୃହ କୁ ଆଉ କୌଣସି
ଅଶୁଭ ଶକ୍ତି ପ୍ରବେଶ କରି ପାରେ ନାହିଁ। ଗୃହକୁ ରାହୁ ଓ କେତୁ ଗ୍ରହଙ୍କ ଦୃଷ୍ଟି ପଡ଼େ ନାହିଁ। ଶ୍ରୀ ଜିଉ ମାନଙ୍କ ରେଖା ପଞ୍ଚମୀ କୁ ଆମ ଓଡ଼ିଆ ଙ୍କ ଘରେ ଘରେ ରକ୍ଷାପଞ୍ଚମୀ ଭାବେ ପାଳନ କରାଯାଇ ଆସୁଛି କାହିଁ କେତେ କାଳରୁ।

ତୁଳସୀପୁର। ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ