ଶ୍ରୀ ମନ୍ଦିର ରେ ଚକ୍ରବୁଲା ଏକାଦଶୀ
ନିମାପଡ଼ା, (ସନ୍ତୋଷ ଦାଶ) :ଶ୍ରୀ ଜଗନ୍ନାଥ ଓଡିଶା ର ଗଣ ଦେବତା । ପୁରୀ ଶ୍ରୀ ମନ୍ଦିର ରେ ବାର ମାସରେ ତେର ପର୍ବ ପର୍ବାଣୀ ପାଳିତ ହୋଇଥାଏ । ତା ମଧ୍ୟରୁ ଶ୍ରାବଣ ମାସ କୃଷ୍ଣ ଏକାଦଶୀ ଅନ୍ୟତମ । ଆଜି ପରମ୍ପରାନୁସାରେ ଶ୍ରୀ ମନ୍ଦିର ରେ ଚକ୍ରବୁଲା ଏକାଦଶୀ ନୀତି ପାଳିତ ହୋଇଛି । ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କୁ ଅନେକ ଚକ୍ରୀ ବୋଲି କୁହା ଯାଇ ଥାଏ । କାରଣ ସେ ସଦାସର୍ବଦା ଚକ୍ର ଧାରଣ କରିଥାନ୍ତି । ବାମନ ପୁରାଣ ର ବର୍ଣ୍ଣନାନୁସାରେ ଦୁର୍ଦ୍ଦାନ୍ତ ଅସୁର ମାନଙ୍କୁ ବଧ କରିବାକୁ ଏକ ବିଶେଷ ଶକ୍ତି ଦରକାର ବୋଲି ବିଷ୍ଣୁ ସବୁ ଦେବତା ଙ୍କୁ କହିଥିଲେ । ଦେବତା ମାନେ ମିଳିତ ଭାବେ ସମସ୍ତ ଙ୍କ ଶକ୍ତି କୁ ଏକତ୍ରିତ କରିବାରୁ ସୁଦର୍ଶନ ଚକ୍ର ସୃଷ୍ଟି ହୋଇଥିଲା । ଦେବତା ମାନେ ଉକ୍ତ ଚକ୍ର କୁ ବିଷ୍ଣୁ ଙ୍କୁ ପ୍ରଦାନ କରି ଥିଲେ। ସେହିଦିନ ଠାରୁ ସୁଦର୍ଶନ ଚକ୍ର ଶ୍ରୀ ବିଷ୍ଣୁ ଙ୍କ ଆୟୁଧ ଭାବେ ରହିଆସିଛି । କିନ୍ତୁ ମତ୍ସ୍ୟ ପୁରାଣ ରେ ବର୍ଣ୍ଣନା ହୋଇଛି ଯେ, ସୂର୍ଯ୍ୟ ଦେବତା ନିଜର ତେଜ ଶକ୍ତି କୁ କିଛି କମାଇବାକୁ ଚାହିଁବାରୁ ଦେବତା ମାନେ ସୂର୍ଯ୍ୟ ଦେବତା ଙ୍କ ଠାରୁ କିଛି ତେଜ ଶକ୍ତି ଆଣି ତାକୁ ୩ଭାଗ ରେ ବିଭକ୍ତ କରିଥିଲେ । ଗୋଟିଏ ଭାଗ ରୁ ସୁଦର୍ଶନ ଚକ୍ର, ଦ୍ୱିତୀୟ ଭାଗ ରୁ ତ୍ରିଶୂଳ, ତୃତୀୟ ଭାଗ ରୁ ବଜ୍ର ନିର୍ମାଣ କରାଯାଇ ସୁଦର୍ଶନ ଚକ୍ର କୁ ବିଷ୍ଣୁ ଙ୍କୁ, ତ୍ରିଶୂଳ କୁ ମହାଦେବ ରୁଦ୍ର ଙ୍କୁ ଓ ବଜ୍ର କୁ ଦେବରାଜ ଇନ୍ଦ୍ର ଙ୍କୁ ପ୍ରଦାନ କରା ଯାଇଥିଲା । ସେହିଦିନ ଠାରୁ ସୁଦର୍ଶନ ଚକ୍ର ବିଷ୍ଣୁ ଙ୍କ ଆୟୁଧ ଭାବେ ରହି ଆସିଛି । ଏହି ଚକ୍ର ବିଷ୍ଣୁ ଙ୍କ ଆଦେଶ କୁ ପାଳନ କରିଥାଏ । ପ୍ରଭୁ ବିଷ୍ଣୁ ଏହି ଚକ୍ର ଦ୍ବାରା ସମସ୍ତ ପାପୀ, ଦୁଷ୍ଟ, ଅସୁର ଙ୍କୁ ବିନାଶ କରିଥାନ୍ତି । ଏହା ସର୍ବଶକ୍ତିମାନ ଆୟୁଧ ଯାହା ମହାପ୍ରଭୂ ଙ୍କ ବାମ ପାର୍ଶ୍ୱରେ ରତ୍ନ ସିଂହାସନ ଉପରେ ପୂଜା ପାଉଥିବା ବେଳେ କେହି କେହି ମନ୍ଦିର ଉପରେ ନୀଳଚକ୍ର ଭାବେ ପୂଜା ପାଉଥିବା କହିଥାନ୍ତି । ଶ୍ରୀ ଜଗନ୍ନାଥ ଙ୍କ ପୂଜା ନୀତି ଓ ପର୍ବ ପର୍ବାଣୀ ପୁସ୍ତକ ରେ ବର୍ଣ୍ଣନା ହୋଇଛି ଯେ,ଶ୍ରାବଣ କୃଷ୍ଣ ଏକାଦଶୀତିଥି ରେ ମଧ୍ୟାହ୍ନ ଧୂପ ପରେ ମଇଲମଓ ଶାଢ଼ୀ ଖଣ୍ଡୁଆ ଲାଗି ହୋଇ ଝଡ଼ାଆଳତୀ ବଢିବା ପରେ ସର୍ବାଙ୍ଗ ନୀତି ପାଳିତ ହୋଇଥାଏ । ଏହା ପରେ ଶ୍ରୀ ମଦନ ମୋହନ ବେଶ ହୋଇ ଆଜ୍ଞାମାଳ ପାଇ ଏକାଦଶୀ ବେଢ଼ା କୁ ବିଜେ କରିଥାନ୍ତି । ଏଥିସହିତ ସୁନାବେଶ ରେ ମହାପ୍ରଭୂ ଧାରଣ କରୁଥିବା ସୁବର୍ଣ୍ଣ ସୁଦର୍ଶନ ଚକ୍ର ଆଜ୍ଞାମାଳ ପାଇ ବିମାନ କୁ ବିଜେ କରନ୍ତି । ଉକ୍ତ ବିମାନ କୁ ବିମାନବଡୁ ସେବାୟତ ସ୍କନ୍ଦ ରେ ବହନ କରି ସିଂହଦ୍ଵାର ଦେଇ ଶ୍ରୀ ନଅର ନିକଟକୁ ଆସିଥାନ୍ତି । ସେଠାରେ ପନ୍ତି ଭୋଗ ଲାଗି ହେବା ପରେ ଶ୍ରୀକ୍ଷେତ୍ର ର ପ୍ରାଚୀନ ଚାରି ଆଶ୍ରମ ଯଥା ମାର୍କଣ୍ଡେୟ ଆଶ୍ରମ, ଅଙ୍ଗିରା ଆଶ୍ରମ, ଭୃଗୁ ଆଶ୍ରମ, କଣ୍ଡୁ ଆଶ୍ରମ କୁ ସୁବର୍ଣ୍ଣ ସୁଦର୍ଶନ ଚକ୍ର ବିଜେ ହୋଇଥାନ୍ତି । ପ୍ରତି ଆଶ୍ରମ ରେ ଶୀତଳ ଭୋଗ, ବନ୍ଦାପନା ହୋଇ ନଗର ପରିକ୍ରମା ପରେ ସୁବର୍ଣ୍ଣ ସୁଦର୍ଶନ ଚକ୍ର ଶ୍ରୀ ମନ୍ଦିର କୁ ବାହୁଡା ବିଜେ କରିଥାନ୍ତି । ଏହାକୁ ଚକ୍ରବୁଲା ଏକାଦଶୀ କୁହାଯାଇଥାଏ। ଶ୍ରୀ ଜଗନ୍ନାଥ ଯେପରି ରହସ୍ୟମୟ , ତାଙ୍କ ପୂଜା ନୀତି ମଧ୍ୟ ସେମିତି ରହସ୍ୟମୟ । ଜୟ ଜଗନ୍ନାଥ।


