ଶ୍ରୀ ଲିଙ୍ଗରାଜ ମନ୍ଦିରରୁ ବାହାରିଲା ପୁଳା ପୁଳା ପାନ : ଗୁଟ୍ଖାର ପିକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ସ୍ୱଚ୍ଛତା ହିଁ ପବିତ୍ରତା । କଥାରେ ଅଛି ଯେଉଁଠି ସ୍ୱଚ୍ଛତା ନାହିଁ ସେଠି ପବିତ୍ରତା ନାହିଁ । ସ୍ୱଚ୍ଛତାକୁ ନେଇ ସାରା ଦେଶରେ ଚାଲିଛି ସ୍ୱଚ୍ଛ ଭାରତ ଅଭିଯାନ । ହେଲେ ଏକାମ୍ରକ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି । ସ୍ୱଚ୍ଛତାରେ ଦେଖାଦେଇଛି ବ୍ୟତିକ୍ରମ । ଯାହାର ଚିତ୍ର ସାମ୍ନାକୁ ଆସିଛି । ମନ୍ଦିର ଭିତରୁ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ସଫା କରାଯାଇଛି ପୁଳା ପୁଳା ପାନ, ଗୁଟ୍ଖାର ପିକ । ଏଥିପାଇଁ ଦାୟୀ କିଏ? ଯାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଐତିହ୍ୟ, କୀର୍ତ୍ତିରାଜି ମଣ୍ଡିତ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ଭିତରେ ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ଦେଖିବାକୁ ମିଳୁଥିଲେ ହେଁ ଏଥିପ୍ରତି କାହାରି ଟିକେ ନିଘା ନଥିବା ପରି ମନେହୁଏ । ଏ ନେଇ ଭକ୍ତ, ଶ୍ରଦ୍ଧାଳୁ, ସାମାଜିକ କର୍ମୀମାନେ ଚିନ୍ତାପ୍ରକଟ କରିଛନ୍ତି । ଏ ନେଇ ମନ୍ଦିର ପ୍ରଶାସନ, ସେବାୟତମାନେ ଆଲୋଚନା କରନ୍ତୁ । ଏଥିପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ସହ କଟକଣା ଜାରି କରନ୍ତୁ ବୋଲି ସାମାଜିକ କର୍ମୀ ସୁଶାନ୍ତ ସାହୁ, ଗୋପୀମୋହନ ପଟ୍ଟନାୟକ, ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା ପ୍ରମୁଖ ଦାବି କରିଛନ୍ତି ।


