ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଶ୍ରମଦାନ ଶିବିର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପବିତ୍ର ମହାଶିବରାତ୍ରି ପରେ ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ଏକ ସ୍ୱେଚ୍ଛାକୃତ ଶ୍ରମଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାଶିବରାତ୍ରିରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଛାଡ଼ି ଯାଇଥିବା ଦୀପ, ବେଲପତ୍ର, ଫୁଲ, କୁଡ଼ୁଆ, ପଲିଥିନ୍ ଆଦିକୁ ମନ୍ଦିର ପରିସର ମଧ୍ୟରୁ ସ୍ୱେଚ୍ଛାସେବୀ ମାନେ ପରିଷ୍କାର ପରିଚ୍ଛନ୍ନ କରିଥିଲେ । ଶ୍ରମଦାନ ଶିବିରକୁ ଇତିମଧ୍ୟରେ ପୂରିଛି ୨୩ ବର୍ଷ । ସୂଚନାଯୋଗ୍ୟ, ଝାଡ଼ୁ ଓ ଝୁଡ଼ିର ଏ ନିଆରା ନିରନ୍ତର, ନିରବଚ୍ଛିନ୍ନ ସେବା ୨୦୦୩-୨୦୨୫ ମସିହା ଦୀର୍ଘ ବର୍ଷ ଧରି ଜାରି ରହିଛି । ପରିବେଶ, ପରିମଳ ଏବଂ ଜାତୀୟ ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ସହ ଆଧ୍ୟାତ୍ମିକ ଚିନ୍ତାଧାରାରେ ଜନସାଧାରଣଙ୍କୁ ଉଦ୍ରେକ କରିବା ଉଦ୍ଦେଶ୍ୟରେ ସାମାଜିକ କର୍ମୀ ସୁଶାନ୍ତ ସାହୁ ବିଭିନ୍ନ ସାମାଜିକ ସଙ୍ଗଠନର ସଦସ୍ୟମାନଙ୍କୁ ଏକତ୍ରିତ କରି ଏହି ଶ୍ରମଦାନ ଶିବିର ଆୟୋଜନ କରିଆସୁଛନ୍ତି । ଚଳିତବର୍ଷ ଧଉଳି ଚାରୁକଳା ମହାବିଦ୍ୟାଳୟର ଏନ୍.ଏସ୍.ଏସ୍ର ଛାତ୍ରଛାତ୍ରୀ, ମିସିଂ ଫାଉଣ୍ଡେସନ୍, ସୁରେନ୍ଦ୍ର ନାଥ ଜେନା ଟ୍ରଷ୍ଟ, ବୁଲ୍ସଆଇ, ଚିନ୍ମୟୀ ଫାଉଣ୍ଡେସନ୍, ମାଇଣ୍ଡ ଏମ୍ପାୱାରମେଣ୍ଟ ଫାଉଣ୍ଡେସନ୍ ସମେତ ମାର୍ୱାଡ଼ି ମହିଳା ସମିତି, ଜୁନାଗଡ଼ର କର୍ମୀମାନେ ସାମିଲ୍ ହୋଇଥିଲେ । ଶିବିରକୁ ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ, ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଚନ୍ଦନ କୁମାର ସାମଲ, ସାମାଜିକ କର୍ମୀ ଗୋପୀମୋହନ ପଟ୍ଟନାୟକ, ତ୍ରିଲୋଚନ ବେଉରା, ପ୍ରିୟବ୍ରତ ପଣ୍ଡା, ଶୁଭ୍ରାଂଶୁ ମହାନ୍ତି, ସନ୍ତୋଷୀ ଜୈନ, ପ୍ରତାପ ଚନ୍ଦ୍ର ପ୍ରଧାନ, ସାଇ ସେବକ ନାରାୟଣ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସ୍ୱେଚ୍ଛାସେବୀ ମାନଙ୍କ ଏତାଦୃଶ କାର୍ଯ୍ୟ ଓ ନିରନ୍ତର ସେବାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଥିବାର ଜଣାପଡ଼ିଛି ।


