ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସାତପୁରୀ ଅମାବାସ୍ୟା
ସନ୍ତୋଷ କୁମାର ଦାଶ
ଆମ ଓଡ଼ିଆ ସଂସ୍କୃତି ରେ ରହିଛି ବାର ମାସରେ ତେର ପର୍ବ। ଭାଦ୍ରବ ମାସ ଅମାବାସ୍ୟା କୁ ସାତପୁରୀ ଅମାବାସ୍ୟା ବୋଲି କୁହା ଯାଇଥାଏ।
ପୁରୀ ଶ୍ରୀ ମନ୍ଦିର ଓ ଭୁବନେଶ୍ବର ର ଶ୍ରୀ ଲିଙ୍ଗରାଜ ମନ୍ଦିର ରେ ଏହି ଅମାବାସ୍ୟା ଧୁମ୍ ଧାମରେ ପାଳିତ ହୋଇଥାଏ। ଭାଦ୍ରବ କୃଷ୍ଣ ଚତୁର୍ଦଶୀ ରେ ମା ପାର୍ବତୀ ଉପବାସ ବା ଓଷା କରିଥାନ୍ତି।ଏହି ଦିନରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଙ୍କର ଟେରା ପିଠା ଭୋଗ ପରେ, ସପ୍ତପୁରୀ ଭୋଗ ପାଇଁ ସେବକମାନେ, ମେଘ ଡମ୍ବରୁ, ଘଣ୍ଟ ନେଇ ଗମନ କରନ୍ତି କପିଳେଶ୍ୱର ମନ୍ଦିର ନିକଟସ୍ଥ କୁମ୍ଭାର ସାହିକୁ। ସେଠାରେ ଅପେକ୍ଷାରତ କୁମ୍ଭକାର ମାନେ ପଲମ, ହାଣ୍ଡି, ଟିପେଇ ଓ ତାଡ଼ ଆଦି ମାଟିପାତ୍ର ସବୁ କୁ ମୁଣ୍ଡରେ ମୁଣ୍ଡାଇ ଏକ ବିରାଟ ଶୋଭାଯାତ୍ରା ରେ ଆଣି ଶ୍ରୀ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ପାଳିଆ ମହସୁଆର ସେବକ ଙ୍କୁ ହସ୍ତାନ୍ତର କରନ୍ତି। ବିଧି ଅନୁସାରେ ମହାସୁଆର ମାନେ ମାଟି ପାତ୍ର ସବୁ କୁ ଛୁଇଁବା ପରେ ସେ ସବୁକୁ କୁମ୍ଭାର ମାନେ ତଳେ ଥୋଇଥାନ୍ତି। ଅମାବାସ୍ୟା ରେ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ସେବାୟତଙ୍କର ସ୍ଥିରିକୃତ ନିର୍ଦ୍ଧିଷ୍ଟ ପ୍ରାପ୍ୟ, ନଡ଼ିଆ ଓ ସାତପୁରୀ ଆକାରରେ ବଣ୍ଟନ କରାଯାଏ। ମହାସୁଆର ସେବାୟତ ଙ୍କର ପ୍ରାପ୍ୟ ବାଦ,୨୩ ଗୋଟି ନଡ଼ିଆ ମା ପାର୍ବତୀ ଙ୍କ ଓଷା ଉଦଯାପନ ପାଇଁ ପ୍ରସ୍ତୁତ ହେଉଥିବା ସାତପୁରୀ ପିଠା ଉଦ୍ଦେଶ୍ୟ ରେ ଦିଆଯାଏ। ବୁଟ, ହରଡ଼, ରାଶି, ନଡ଼ିଆ, ଜିରା ଓ ଗୋଲମରିଚ ଆଦି ମିଶ୍ରଣରେ ପ୍ରସ୍ତୁତ ହୁଏ ପୁର। ନୂତନ ମାଟି ପାତ୍ର ଓ ଅସ୍ଥାୟୀ ଚୁଲିରେ ପ୍ରଥମେ ବିଶୋଇ ସେବାୟତ ଏହାକୁ ନୃସିଂହ ମନ୍ଦିର ସମ୍ମୁଖରେ ଭାଜି ପୁର ପ୍ରସ୍ତୁତ କରିଥାନ୍ତି। ପରେ ମହାସୁଆର ସେବକ ରୋଷଶାଳା ରେ ପୂର୍ଣ୍ଣ କୁମ୍ଭ ବସାଇ, କୋଠ ଚୁଲିକୁ ବନ୍ଦାପନା କରି ଉକ୍ତ ୨୩ ଟି ନଡ଼ିଆ ଭାଙ୍ଗି, ସେହି ଚୁଲିରେ ୭ ଗୋଟି ସାତପୁରୀ ପିଠା ଓ ଚରୁ ଅନ୍ନ ପ୍ରସ୍ତୁତ କରନ୍ତି। ଚତୁର୍ଦଶୀ ବେଢ଼ା ପରେ ଯାହାକୁ ପୂଜାପଣ୍ଡା ମା’ ପାର୍ବତୀଙ୍କୁ ଭୋଗ ଲଗାଇ ମା’ଙ୍କର ଓଷା ବା ବ୍ରତକୁ ଉଦଯାପନ କରିଥାଆନ୍ତି। ଅମାବାସ୍ୟା ଦିନ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ପ୍ରତି ଭୋଗରେ ଏହି ସାତପୁରୀ ଭୋଗ ଲାଗି କରାଯାଏ। ଏହାର ପ୍ରସ୍ତୁତି ପାଇଁ, ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ସାମଗ୍ରୀ ଯଥା ଅଟା, ନଡ଼ିଆ, ଫାଳ ବୁଟ, ହରଡ଼ ରାଶି, ଗୁଡ, ଗୋଲମରିଚ ଓ ଘିଅ ଆଦି ପୂର୍ବରୁ ଯୋଗାଇ ଦିଆଯାଇ ଥାଏ। ରଥ ନିର୍ମାଣକାରୀ ମହାରଣା ପାଳିଆ ନଡ଼ିଆ ଭାଙ୍ଗନ୍ତି। ସାତପୁରୀ
ପୁର ଦିଆ ପିଠା ଭୋଗ ପ୍ରସ୍ତୁତ ହେବା ପରେ ତାହା ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଙ୍କ ପାଖରେ ଭୋଗ ଲାଗି ହୋଇଥାଏ। ଓଁ ନମଃ ଶିବାୟଃ।
ତୁଳସୀପୁର। ପୁରୀ
୯୪୩୯୩୬୧୮୮୮