ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କ ଦର୍ଶନ ଓ ନାମ ସଂକୀର୍ତ୍ତନ

ପରମ ଯୋଗୀ, ଜ୍ଞାନୀ, ପରମ ତାନ୍ତ୍ରୀକ ଠାକୁର ନିଗମାନନ୍ଦ ପରମହଂସ ଦେବଙ୍କ ଦର୍ଶନ ହେଉଛି- ଶଙ୍କରଙ୍କର ମତ ଓ ଗୌରାଙ୍ଗଙ୍କର ପଥ । ଶଙ୍କରଙ୍କ ମତ ହେଉଛି ବିଶ୍ଳେଷଣର ମାର୍ଗ । ଅର୍ଥାତ୍ ବିଶ୍ଳେଷଣ କରି କରି ଭଗବାନଙ୍କୁ ଜାଣିବା । ଚୈତନ୍ୟଙ୍କ ପଥ ହେଉଛି ସଂଶ୍ଲେଷଣ ମାର୍ଗରେ ଭଗବାନଙ୍କୁ ଚିହ୍ନିବା । ଗୌରାଙ୍ଗଙ୍କର ପଥ ହେଉଛି- ଭକ୍ତିଭାବର ପଥ । ଭଗବନାଙ୍କୁ ଲାଭ କରିବା ନିମିତ୍ତ ସ୍ୱୟଂ ଭଗବାନ ନରରୂପ ଧାରଣ କରି ନିଜେ ଆଚରଣ କରିବା ପୂର୍ବକ ଶିକ୍ଷାଦେବେ କିପରି ତାଙ୍କୁ (ଭଗବାନଙ୍କୁ) ପାଇହେବ । ସେଥିପାଇଁ ଚୈତନ୍ୟ ଚରିତାମୃତରେ କୁହାଯାଇଛିା- ଆପନେ ନା କୈଲେ ଶିଖାନା ପାୟ । ଏଇତ ସିଦ୍ଧାନ୍ତ ଗୀତା ଭାଗବତେ ଗାୟ । ଅନ୍ୟକୁ ଶିକ୍ଷା ଦେବାକୁ ହେଲେ ସର୍ବପ୍ରଥମେ ନିଜେ ଆରଚଣ କରିବା ଦରକାର । ତେଣୁ ସ୍ୱୟଂ ଭଗବାନ ହିଁ ଶ୍ରୀଗୌରାଙ୍ଗ ରୂପରେ ଅବତୀର୍ଣ୍ଣହେଲେ । ଗୌରାଙ୍ଗଙ୍କ ପଥର ବିଶେଷତ୍ୱ ଏବଂ ତାଙ୍କ ଆବିର୍ଭାବର ବିଶେଷ ମାହାତ୍ମ୍ୟ ହେଉଛି- ନାଜାନି ରାଧାର ପ୍ରେମେ ଆଛେ କତ ବଳ । ଯେ ବଳେ ଆମାରେ କରେ ସର୍ବଦା ବିହ୍ୱଳ । ରାଧିକାର ପ୍ରେମ ଗୁରୁ ଆମିଶିଷ୍ୟ ନଟ,
ଭଗବାନ ଭକ୍ତର ପ୍ରେମାଧିନ । ପ୍ରେମ ନିକଟରେ ଭଗବାନଙ୍କୁ ହାର ମାନିବାକୁ ହୋଇଛି । ରାଧିକା ତାଙ୍କର ପ୍ରେମର ଗୁରୁ । ପ୍ରେମର ବିଷୟ ହେଉଛନ୍ତି ସ୍ୱୟଂ ଭଗବାନ କିନ୍ତୁ ପରମ ଆଶ୍ରୟ ହେଲେ ଭକ୍ତ ଶ୍ରୀରାଧିକା । ଭଗବାନଙ୍କୁ ଭଲପାଇ ଶ୍ରୀରାଧିକାଙ୍କର ଯେଉଁ ଦିବ୍ୟ ସୁଖ ଅନୁଭୂତ ହୁଏ, ଜଣେ ଯଦି ଶ୍ରୀରାଧାଙ୍କ ଅବସ୍ଥାକୁ ନ ଆସିବ ତେବେ ସେହି ଅନୁଭୂତି କିପରି ହୃଦୟଙ୍ଗମ କରିବ ! ତେଣୁ ଭଗବାନ ସ୍ୱୟଂ ସିଦ୍ଧାନ୍ତରେ ଉପନୀତ ହୋଇ କହିଛନ୍ତି- କତୁନାଦି ଏଇ ପ୍ରେମାର ହଇବୁ ଆଶ୍ରୟ, ତେବେ ଏଇ ପ୍ରେମାନନ୍ଦେର ଅନ୍ୱଭାବ  ଆଶ୍ରୟ ଜାତୀୟ ସୁଖାନୁଭୂତି ନିମିତ୍ତ ଜୀବ ସହ ଲୀଳାକରିବା ପାଇଁ ଭଗବାନ ସ୍ୱୟଂ ଭକ୍ତରୂପ ନିଅନ୍ତି । ଭକ୍ତିଭାବ ଅଙ୍ଗିକାର କରିବା ହିଁ ଗୌରାଙ୍ଗଙ୍କର ପଥ । ଭଗବାନଙ୍କୁ ପାଇବାର ପଥ ସ୍ୱୟଂ ଭଗବାନ ନଦେଖାଇଲେ ହତଭାଗ୍ୟ ଜୀବ କିପରି ଉଦ୍ଧାର ହେବ ! ଭକ୍ତି ପଥରେ ଭଗବନାଙ୍କୁ ଲାଭ କରିବା ହେଲା ଗୌରାଙ୍ଗଙ୍କ ପଥ । ଏହି ପଥ ମହାପ୍ରଭୁ ସ୍ୱୟଂ ଆଚରଣ କରି ଦେଖାଇଯାଇଛନ୍ତି । ଭକ୍ତର ପ୍ରାଣରେ ଭଗବାନଙ୍କ ଦର୍ଶନ ନିମିତ୍ତ ଅତ୍ୟନ୍ତ ବ୍ୟାକୁଳତା ଜାଗ୍ରତ ହୁଏ । “ସଖୀ ହେ, ଗୋପାଲ କୃଷ୍ଣ କରାଓ ଦରଶନ, କ୍ଷଣକେ ଯାଁହାର ମୁଖ ନାଦେଖିଲେ, ଫାଟେ ବୁକୁ ଶୀଘ୍ର ଦେଖାଓ ନା ରହେ ଜୀବନ । ହାହା ସଖି କି କରି ଉପାୟ, କହାଁ କରୋ ଅହାଁ ଯାଉଁ, କୃଷ୍ଣ ବିନୁ ପ୍ରାଣ ମୋର ଯାୟ ।’ ଗୌରାଙ୍ଗଙ୍କ ପଥରେ ଏହି ବିରହଉନ୍ମାଦନା ଅବସ୍ଥା ଫୁଟିଉଠେ । ତାଙ୍କୁ ଲାଭ ନକଲେ ତାହା ଅଭିଷପ୍ତ ଜୀବନ ହେବ ।
ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ଗୌରାଙ୍ଗଙ୍କର ପଥକୁ ହିଁ ଆଦର୍ଶ ପଥରୂପେ ମାନିନେଇଥିଲେ । ଗୌରାଙ୍ଗଙ୍କର ପଥ ଭୋଗ ବିଳାସର ପଥ ନୁହେଁ । କ୍ଷୁରଧାରର ପଥ । ସମ ମନସ୍କ ସଦା ଶୂଚି ଅବସ୍ଥାରେ ଚଳିପାରିଲେ ଭଗବାନଙ୍କ ବିରହ ଜାଗେ । ଗୌରାଙ୍ଗଙ୍କ ପଥରେ ବିରହ ବ୍ୟାକୁଳତା ପରେ ଭଗବତ୍ କୃପା ବା ଗୁରୁକୃପା ଲାଭ ହୋଇଥାଏ । ପୁଲକ, ଅଶ୍ରୁ, ସ୍ୱେଦ, କମ୍ପନ, ଉଦ୍ଦୀପନା, ପ୍ରଭୃତି ବିରହ ଭାବ । ସ୍ୱୟଂ ଗୌରଙ୍ଗଦେବ ନାମ ନେବା ସମୟରେ ତାଙ୍କର ବାହ୍ୟ ଦଶା, ଅର୍ଦ୍ଧବାହ୍ୟଦଶା ଓ ଅନ୍ତର୍ଦଶା ହେଉଥିଲା । ଭକ୍ତି ପଥରେ ପ୍ରଥମେ ଚିତ୍ତ ମଳ ବିଦୂରିତ ହେବ । ପରେ ଚିତ୍ତ ଦର୍ପଣ ମାର୍ଜିତ ହେବା ଆବଶ୍ୟକ । ଭକ୍ତିପଥରେ ଚକ୍ଷୁର ଜଳ ଚିତ୍ତର ମଳ ଦୂର କରିବାରେ ସମର୍ଥ ହୁଏ । ଭଗବନ୍ନାମ କରିବା ଦ୍ୱାରା ପାପ ବିଦୂରିତ ହୁଏ । ନାମର ମହିମା ଅପାର । ନାମ ଭକ୍ତି ପଥରେ ଯେପରି ପ୍ରୟୋଜନ, ଜ୍ଞାନ ପଥରେ ସେହିପରି ଅତ୍ୟାବଶ୍ୟକ । ଜ୍ଞାନୀ ସନ୍ଥମାନେ ମହାବାକ୍ୟର ସ୍ମରଣ ମନନ କରିଥା’ନ୍ତି । ଚିତ୍ତ ଶୁଦ୍ଧି ସକଳ ମତ ଓ ପଥର ସ୍ୱୀକୃତ ସାଧନ ପଥ । ଚିତ୍ତ ଶୁଦ୍ଧିର ତାରତମ୍ୟରେ ଇଷ୍ଟଲାଭ ହୋଇଥାଏ । କୃଷ୍ଣ ପ୍ରେମ ନିତ୍ୟସିଦ୍ଧ, ଏହା ଯେପରି ଭକ୍ତି ସିଦ୍ଧାନ୍ତ, ସେହିପରି ବେଦାନ୍ତ ସିଦ୍ଧାନ୍ତ ମଧ୍ୟ ।”ଗୁରୁକୃଷ୍ଣ ଏକ ବୋଲି ଜାଣ, ଯେଇ ଗୁରୁ ସେହି କୃଷ୍ଣ , ଜୀବେର ନିସ୍ତାର ଲାଗି ନନ୍ଦସୁତ ହରି, ଆପନି ଅବତାର ହନ ଗୁରୁରୂପ ଧରିଦ’ ଠାକୁର ନିଗମାନନ୍ଦ କହିଛନ୍ତି ତେଣୁ କୃଷ୍ଣଙ୍କ ସ୍ଥାନରେ ଗୁରୁଙ୍କୁ ସ୍ଥାପନ କରିଜାଣ । କାରଣ ଉଭୟେ ଶଙ୍କର ଓ ଗୌରାଙ୍ଗ ଗୁରୁବନ୍ଦନା କରନ୍ତି । ଶଙ୍କରଙ୍କ ମତରେ- ‘ଯାବତ ଆୟୁ ସ୍ତ୍ରୟୋ ବନ୍ଦ୍ୟୋ ବେଦାନ୍ତ ଗୁରୁ ଈଶ୍ୱର ।’ “ସର୍ବବେଦାନ୍ତ ସିଦ୍ଧାନ୍ତ ଗୋଚର ତମ ଗୋଚର ଗୋବିନ୍ଦ ପରମାନନ୍ଦ ତସ୍ମୈଶ୍ରୀ ଗୁରବେ ନମଃ। ତେଣୁ ଗୁରୁ ଗୋବିନ୍ଦ ଗାନ ଓ ପରମାନନ୍ଦ ଭଜନ ଅଭିନ୍ନ । ସେହିପରି ଚୈତନ୍ୟଙ୍କ ପଥରେ ଗୁରୁ ଏବଂ କୃଷ୍ଣ ଏକ । ତେଣୁ କଳିହତ ମାନବର ଉଦ୍ଧାର ନିମିତ୍ତ ପ୍ରଭୁ ସ୍ୱୟଂ କିପରି ନାମ କରିଥିଲେ ତାହାର ଦୃଷ୍ଟାନ୍ତ ହେଉଛି- ନୟନଂ ଗଳଦାଶ୍ରୁ ଧାରୟା, ବଦନଂ ଗଦ୍ଗଦ୍ ରୁଦ୍ଧୟାଗିରା ପୁଲକୈନଚିତ୍ୱଂ ବପୂ କଦା ତବ ନାମ ଗ୍ରହଣେ ଭବିଷ୍ୟତି । ‘ ହେ ଭଗବାନ, ଆପଣଙ୍କର ନାମ ଗ୍ରହଣ କରିବା ବେଳେ ମୋର ନୟନ ଦ୍ୱୟ ବିଗଳିତ ଅଶ୍ରୁଧାରାରେ ଆପ୍ତହେଉ, ମୁଖ ମଣ୍ଡଳ ଗଦ୍ ଗଦ୍ ବାକ୍ୟରେ ରୁଦ୍ଧହେଉ ଏବଂ ପୁଲକାବଳୀରେ ଯେପରି ପରିବ୍ୟାପ୍ତ ହେବ ଏହି ପ୍ରାର୍ଥନା କରେ । ଭକ୍ତି ହେଉଛି ଜୀବର ଏକ ଅବିଚ୍ଛେଦ୍ୟ ଅଙ୍ଗ । ତେଣୁ ଶ୍ରୀ ଶ୍ରୀ ଠାକୁର ସ୍ୱହସ୍ତ ଲିଖିତ ପ୍ରେମିମକଗୁରୁ ଗ୍ରନ୍ଥରେ ନାମ ସଂକୀର୍ତ୍ତନ ଉପରେ ଗୁରୁତ୍ତ୍ୱାରୋପ କରି କହିଛନ୍ତି ଯେ ନାମ ସଂକୀର୍ତ୍ତନ ଦ୍ୱାରା ଚିତ୍ତ ଦର୍ପଣ ମାର୍ଜିତ ହୁଏ । ଚିତ୍ତର ସମସ୍ତ କଳଙ୍କ ଦୂରୀଭୂତ ହୁଏ ଯେଉଁ ବିଷୟ ବାସନା ମହାଦାବାଗ୍ନି ଭଳି ମନୁଷ୍ୟକୁ ନିରନ୍ତର ଦଗ୍ଧ କରୁଛି, ସେହି ବିଷୟ ବାସନା ନିର୍ବାପିତ ହୁଏ । ଚନ୍ଦ୍ରାଲୋକରେ ଯେପରି କୁମୁଦ ଫୁଟିଉଠେ, ସେହିପରି ଭଗବାନଙ୍କ ନାମ ସଂକୀର୍ତ୍ତନରେ ଆତ୍ମା ରୂପକ କୁମୁଦ ପ୍ରସ୍ଫୁଟିତହୁଏ । ନାମ ସଂକୀର୍ତ୍ତନ ଦ୍ୱାରା ମନୁଷ୍ୟ ପ୍ରେମ ରସରେ ମଜ୍ଜିଯାଇ ଆତ୍ମହରା ହୋଇଯାଏ । କ୍ରମାଗତ ଭାବରେ ନାମ ସଂକୀର୍ତ୍ତନ କରିବା ଦ୍ୱାରା ଭକ୍ତିଲାଭ ହେବା ସହିତ ମନୁଷ୍ୟ ପରମ ପଦଲାଭ କରି ତା’ର ଜୀବନକୁ କୃତାର୍ଥକରେ । “ଯେଇ ନାମ ସେଇ କୃଷ୍ଣ ଭଜ ନିଷ୍ଠା କରି, ନାମେର ସହିତ ଆଛେ ଆପନି ଶ୍ରୀହରି’ ଚିତ୍ତ ଶୁଦ୍ଧିର ସାଧନ, ସାଧୁ ସଙ୍ଗ ଓ ନାମ ସଂକୀର୍ତ୍ତନ କରିବା ଦ୍ୱାରା ଆପେ ଆପେ ଭକ୍ତି ଉଦୟ ହୁଏ । ତେଣୁ ଭକ୍ତି, ଭକ୍ତ ଓ ଭଗବାନ ଏକ ।

ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ ଅଧ୍ୟକ୍ଷ, ଶ୍ରୀ ନିଗମାନନ୍ଦ ଶାନ୍ତିଆଶ୍ରମ, ଚହଟା, ବିଡାନାସୀ, କଟକ, ଦୂରଭାଷ : ୦୬୭୧-୨୫୦୩୧୧୯

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ