ଶ୍ରୀ ଶ୍ରୀ ନୃସିଂହଜୀଉଙ୍କୁ ଦର୍ଶନ କଲେ ଖାଦ୍ୟ ଓ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ବଣିଆମାଳସ୍ଥିତ ଶ୍ରୀ ଶ୍ରୀ ନୃସିଂହଜୀଉଙ୍କୁ ଦର୍ଶନ କରି କୃପା ଭିକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଏହା ଏକ ପୁରାତନ ମନ୍ଦିର ହୋଇଥିବା ସ୍ଥଳେ ଏହାର ବିକାଶ କାର୍ଯ୍ୟରେ ସେଭଳି ପ୍ରଗତି ହୋଇନଥିବାର ଅନୁଭବ କରି ଏ ସମ୍ପର୍କରେ ସେ ଉପସ୍ଥିତ ଶ୍ରୀ ଜୀଉଙ୍କ ଶ୍ରଦ୍ଧାଳୁମାନଙ୍କ ସହିତ ବିଚାର ବିମର୍ଶ କରିଥିଲେ । ଚଳିତ ବର୍ଷ ସରକାରୀ ଆର୍ôଥକ ଅନୁଦାନକୁ କିଭଳି ସୁବାରୁରୂପେ ବିନିଯୋଗ କରାଯାଇପାରିବ ସେଥିପ୍ରତି ଆବଶ୍ୟକ ଧ୍ୟାନ ଦେବାକୁ ସେ ନୂତନ ଭାବେ ନିଯୁକ୍ତି ପାଇଥିବା ଟ୍ରଷ୍ଟିମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ଗୁଣନିଧି ଜଗତି, ଟ୍ରଷ୍ଟି ବ୍ରହ୍ମାନନ୍ଦ ତ୍ରିପାଠୀ, ବିଶ୍ୱଜିତ୍ ରାୟ, ମନୋରଞ୍ଜନ ପାତ୍ର, ଶ୍ରୀଧର ନାଥ, ଶଶିକାନ୍ତ ବଳ, ସନ୍ତୋଷ ତ୍ରିପାଠୀ, ମୁରଲୀଧର ମହାନ୍ତି ଓ ଜିତେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରେ ଟ୍ରଷ୍ଟ ବୋର୍ଡର ମୁଖ୍ୟ ଉପଦେଷ୍ଟା ତଥା ବରିଷ୍ଠ ବିଜେଡି ନେତା ଶରତ କୁମାର ବେହୁରାଙ୍କ ବଣିଆମାଳସ୍ଥିତ ବାସଭବନକୁ ମନ୍ତ୍ରୀ ଶ୍ରୀ ନାୟକ ଯାଇ ତାଙ୍କ ସହ କେନ୍ଦ୍ରାପଡାର ସାଂପ୍ରତିକ ରାଜନୀତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ଅବସରରେ ପତିତପାବନ କ୍ଲବର କର୍ମକର୍ତ୍ତା ଓ ସଭ୍ୟଗଣ ଏବଂ ୧୯ ଓ ୨୦ ନଂ ୱାର୍ଡର ବହୁ ମହିଳା ଓ ସାଧାରଣ ଲୋକମାନେ ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ଆଗାମୀ ଦିନରେ ନବୀନ ପଟ୍ଟନାୟକଙ୍କ ସରକାରର ଲୋକାଭିମୂଖୀ ଯୋଜନା ଗୁଡିକର ସଫଳ ରୂପାୟନ ନିମନ୍ତେ ମନ୍ତ୍ରୀଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ । ମନ୍ତ୍ରୀ ଶ୍ରୀ ନାୟକ ସମସ୍ତଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ ।