ଶ୍ରେଣୀଗୃହ ମରାମତି ଓ ନିର୍ମାଣ ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତରଙ୍ଗ ହାଇସ୍କୁଲ ଶ୍ରେଣୀ ଗୃହର ତୁରନ୍ତ ମରାମତି କରାଯିବା ସହ ନୂତନ ଶ୍ରେଣୀଗୃହ ନିର୍ମାଣ କରାଯିବାକୁ ଛାତ୍ରାଭିଭାବକ ଓ ଗ୍ରାମବାସୀମାନେ ବୁଧବାର ଅପରାହ୍ନରେ କୁତରଙ୍ଗ ସରପଂଚ ସୀତାସୁନ୍ଦରୀ ମଲ୍ଲିକଙ୍କ ନେତୃତ୍ୱରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ନିବେଦନ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ୧୯୮୦ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ହାଇସ୍କୁଲକୁ ୧୯୮୫ରେ ସରକାରୀ ଅନୁମତି ଓ ୧୯୮୬ରେ ସରକାରୀ ସ୍ୱୀକୃତି ମିଳିଥିଲା । ସେହି ହାଇସ୍କୁଲଟି ଏବେ ସରକାରଙ୍କ ଦ୍ୱାରା ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲ ଭାବରେ ସ୍ୱୀକୃତି ଲାଭ କରିଥିବା ବେଳେ ଏହା ମଧ୍ୟରେ ସ୍କୁଲର ୩୪୩ଟି ବ୍ୟାଚ ମାଟ୍ରିକ ପରୀକ୍ଷା ଦେଇ ସାରିଲେଣି । କିନ୍ତୁ ଏହି ବିଦ୍ୟାଳୟଟିରେ ଅଧ୍ୟାପନା ନିମନ୍ତେ ସୁରକ୍ଷୀତ ଶ୍ରେଣୀ ଗୃହ ଓ ଅଫିସ ଗୃହ ନଥିବାରୁ ଛାତ୍ରଛାତ୍ରୀମାନେ ବହୁ ଅସୁବିଦାର ସମ୍ମୁଖୀନ ହେଉଛନ୍ତି । ଏତଦଭିନ୍ନ ବିଦ୍ୟାଳୟରେ ତୃତୀୟ ଭାଷା ଅଧ୍ୟାପନା ପାଇଁ ପାଠାଗାର ନଥିବା ସହ ବିଜ୍ଞାନ ପରୀକ୍ଷାଗାର ନିମନ୍ତେ ସ୍ୱତନ୍ତ୍ର ଗୃହ ନାହିଁ । ବର୍ଷାଦିନେ ଅତ୍ୟନ୍ତ ଅସୁବିଧାରେ ସ୍କୁଲର ପାଠପଢା ଚାଲୁଥିବା ବେଳେ ଏ ସମ୍ପର୍କରେ ପୂର୍ବରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ସେମାନେ କହିଛନ୍ତି । ସ୍କୁଲର ନୂତନ ଶ୍ରେଣୀଗୃହ ନିର୍ମାଣ,ଅଫିସ ଗୃହ ନିର୍ମାଣ ସମେତ ଅସମ୍ପୂର୍ଣ୍ଣ ଶ୍ରେଣୀ ଗୃହ କୁ ସମ୍ପୂର୍ଣ୍ଣ କରାଯିବା ନିମନ୍ତେ ଛାତ୍ରାଭିଭାବକ ତଥା ଗ୍ରାମବାସୀଙ୍କ ପକ୍ଷରୁ ସରପଂଚ ସୀତାସୁନ୍ଦରୀ ମଲ୍ଲିକ, ସମିତିସଭ୍ୟ ଅଙ୍କୁର ମଲ୍ଲିକ, ଯୁବନେତା ନରୋତ୍ତମ ମଲ୍ଲିକ, ଅଭିମନ୍ୟୁ ମହାନ୍ତି, ରାଜନ ପ୍ରସାଦ ଥାଟୋଇ, ପ୍ରସନ୍ନ କୁମାର ପଣ୍ଡା, ଅଶୋକ କୁମାର ଜେନା, ଦୁଃଶାସନ ମଲ୍ଲିକ, ମଥୁରୀ ମଲ୍ଲିକ, କେଶବ ସାହୁ ପ୍ରମୁଖ ଶତାଧିକ ଲୋକ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।