ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ମନରେଗା ପ୍ରକଳ୍ପରେ ବ୍ୟାପକ ଦୁର୍ନିତୀ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା(ମନରେଗା)ର ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ବ୍ୟାପକ ଦୁର୍ନିତୀ ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସେହି ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମର ଶ୍ମଶାନ ପାଖଦେଇ ୫ନମ୍ବର(କ) ଜାତୀୟ ରାଜପଥକୁ ଥିବା ରାସ୍ତାକୁ ସ୍ଥାନୀୟ ସରପଞ୍ଚ ଗତ ମଇମାସ ୨୪ତାରିଖ ବିଳମ୍ବିତ ରାତିରେ ଜେସିବି ଲଗାଇ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ସେହି ରାସ୍ତାଟି ପୂର୍ବ ସରପଞ୍ଚଙ୍କ ବେଳେ ମନରେଗା ଯୋଜନାରେ କରାଯାଇ ବିଲ ପେମେଣ୍ଟ ହୋଇଥିବା ବେଳେ ପୁନର୍ବାର ପଞ୍ଚାୟତର ଆକ୍ସନ ପ୍ଲାନରେ ନଥାଇ ସେହି ପ୍ରକଳ୍ପଟିକୁ ନାମକୁ ମାତ୍ର ଉପରୁ ମାଟି ତାଞ୍ଛିଦେଇ ବିଲ କରିନେବାକୁ ମସୁଧା ଚାଲିଥିବା ଅଭିଯୋଗ ହୋଇଛି । ସେହିପରି ପଞ୍ଚାୟତର ମରଡପୁର ଗ୍ରାମ ତ୍ରୀନାଥ ମନ୍ଦିର ନିକଟରେ ଥିବା ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଗତ ମଇମାସ ୨୮ତାରିଖ ରାତିରେ ଜେସିବି ମେସିନ ସାହାଯ୍ୟରେ କରାଯାଇଥିବା ଅଭିଯୋଗ ହୋଇଛି । ସେହି ସମୟରେ ମରଡପୁର ଗ୍ରାମର କେତେକ ଜବକାର୍ଡଧାରୀ ପ୍ରକଳ୍ପ କାର୍ଯ୍ୟ ମେସିନରେ ହେଉଥିବା ସମୟର ଭିଡିଓ ରେକର୍ଡିଂ କରିଥିବା ବେଳେ ସେହି ପ୍ରକଳ୍ପ କାର୍ଯ୍ୟରେ ସଂପୃକ୍ତ ସରପଞ୍ଚଙ୍କ କେତେକ ସମର୍ଥକ ଅଭିଯୋଗକାରୀଙ୍କୁ ଧମକଚମକ ଦେଥିଲେ । ଫଳରେ ଏସମ୍ପର୍କରେ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ବେଆଇନ କାର୍ଯ୍ୟକୁ ବନ୍ଦ କରିଦେଇଥିଲା । ସରକାରଙ୍କ ନିୟମ ଅନୁଯାୟୀ ପ୍ରତ୍ୟେକ ଆର୍ଥିକ ବର୍ଷରେ ପଞ୍ଜିକୃତ ଜବକାର୍ଡଧାରୀ ଶ୍ରମିକମାନଙ୍କୁ ଅନ୍ୟୁନ୍ୟ ଏକଶହ ଦିନର କାମ ଯୋଗାଇ ଦିଆଯିବା କଥା । କିନ୍ତୁ ପଞ୍ଚାୟତ ପକ୍ଷରୁ ଜବକାର୍ଡଧାରୀମାନଙ୍କୁ ମନରେଗା ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ କରାନଯାଇ ମେସିନରେ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗକାରୀମାନଙ୍କୁ ସ୍ଥାନୀୟ ସରପଞ୍ଚ ଧମକ ଦେଇ କହିଛନ୍ତି ଯେ ତାଙ୍କର ଜିଲ୍ଲା କାର୍ଯ୍ୟାଳୟରେ ସମ୍ପର୍କ ଅଛି ତାଙ୍କର କେହି କିଛି କରିପାରିବେ ନାହିଁ । ଏହି ଘଟଣାର ବିଧିବଦ୍ଧ ତଦନ୍ତ ପୂର୍ବକ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜବକାର୍ଡଧାରୀଙ୍କ ପକ୍ଷରୁ ଗୋଲେଖ ସେଠୀ, ଶ୍ରୀଧର ସେଠୀ, ଭଜହରି ସେଠୀ, ବନମାଳୀ ସେଠୀ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଥିସହିତ ଅଭିଯୋଗ କାରୀମାନେ କେନ୍ଦ୍ରାପଡା ବିଡିଓ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଓ ଦୁର୍ନିତୀ ନିବାରଣ ବିଭାଗକୁ ଏହି ଅଭିଯୋଗର ନକଲ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ।