ଶ୍ୟାମସୁନ୍ଦର ଜୀଉଙ୍କୁ ଚନ୍ଦନ ଯାତ୍ରାର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା):କରୋନା ପାଇଁ ଦୁଇବର୍ଷ ଧରି ବିଧିରକ୍ଷା ପାଳିତ ହୋଇଥିବା ଦାମୋଦରପୁର ଶ୍ରୀ ଶ୍ୟାମସୁନ୍ଦର ଜୀଉ ସାର୍ବଜନୀନ ଚନ୍ଦନ ଯାତ୍ରାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଚଳିତ ବର୍ଷ ଶ୍ୟାମସୁନ୍ଦର ଯୁବକ ସଂଘର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ସୁବର୍ଣ୍ଣଜୟନ୍ତୀ ଚନ୍ଦ୍ରନଯାତ୍ରାକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ସବ କମିଟି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଯୁବକ ସଂଘ ସଭାପତି ଆଲୋକ କୁମାର ଦାସ, ସମ୍ପାଦକ ରାଜେଶ ବର୍ଦ୍ଧନ ଓ ଅନ୍ୟାନ୍ୟ କର୍ମକର୍ତ୍ତା ତଥା ଗ୍ରାମବାସୀଙ୍କୁ ନେଇ ଏକ ଚନ୍ଦନ କମିଟି ଗଠନ କରାଯାଇଛି । ସୁରଝଙ୍କାର ସେଠୀ ଏହି କମିଟିର ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ସୁଶାନ୍ତ ରଣା ଉପ-ସଭାପତି, ସଞ୍ଜୀବ ସେଠୀ ସମ୍ପାଦକ, ଅଭିରାମ ଅମାରି ଯୁଗ୍ମ ସମ୍ପାଦକ, ଜିତେନ୍ଦ୍ର ବେହେରା ସହ-ସମ୍ପାଦକ, ସ୍ନିଗ୍ଧସୌରଭ କଷାଧକ୍ଷ ଓ ଉପଦେଷ୍ଟା ଭାବେ ଲକ୍ଷ୍ମୀନାରାୟଣ ଘୋଷ, ରଞ୍ଜନ ରଣା, ତାରାପଦ ଦେ, ପ୍ରୀତମରଣା, ଜଗନ୍ନାଥ ମହାରଣା, ଜିତେନ୍ଦ୍ର ହୋତା, ଦେବ କିଶୋର ରଣା, ରାଜକିଶୋର ରଣା, ବିଜୟ କିଶୋର ରଣା, ଆଲୋକ ପଣ୍ଡା, ଅନନ୍ତ ଚାନ୍ଦ ପ୍ରମୁଖ ଦାୟିତ୍ୱ ତୁଲାଉଛନ୍ତି । ଏ ବର୍ଷ ମେ ମାସ ୧ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ମୁଖ୍ୟ ଆକର୍ଷଣ ଭାବେ ଶ୍ୟାମସୁନ୍ଦର ପୋଖରୀ ଉପରେ ଅବିକଳ ହାୱଡା ପୋଲ ଶୋଭାପାଇବ । ସୁକୁମାର ମାଇତିଙ୍କ ଦ୍ୱାରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ଆଲୋକ ସଜ୍ଜାରେ ପୋଖରୀ ଚାରିପଟେ ବନ୍ଦେ ଭାରତ ଟ୍ରେନ ଓ ଅତ୍ୟାଧୁନିକ ଆଲୋକ ତରଣମାନ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବ । ପ୍ରତ୍ୟେକ ସନ୍ଧ୍ୟାରେ ପୋଖରୀ ତୁଠରେ ଗଙ୍ଗାଘାଟ ଆଳତୀକୁ ଶ୍ରଦ୍ଧାଳୁମାନେ ଦେଖିପାରିବେ । ୭ଦିନ ଧରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ଗ୍ରାମର ଯୁବକଙ୍କ ଦ୍ୱାରା ଏକ ନାଟକ ମଧ୍ୟ ମଞ୍ଚସ୍ଥ ହେବ । ସୁବର୍ଣ୍ଣ ଜୟନ୍ତୀ ଚନ୍ଦ୍ରନ ଯାତ୍ରାରେ ଖର୍ଚ୍ଚର ଅଟକଳ ପ୍ରାୟ ୨୦ ଲକ୍ଷ ରହିଥିବା ବେଳେ ସମସ୍ତଙ୍କ ହାତଖୋଲା ସହଯୋଗରେ ଏହା ଭରଣା କରାଯାଉଛି ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ୧୯୭୦ ମସିହାରେ ଆରମ୍ଭ ହୋଇଥିବା ଏହି ଚନ୍ଦନ ଯାତ୍ରା ସମସ୍ତଙ୍କ ସହଯୋଗ କ୍ରମେ ଚଳିତ ବର୍ଷର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆକର୍ଷଣୀୟ ହେବ ବୋଲି ସାମ୍ବାଦିକସମ୍ମିଳନୀରେ ସମସ୍ତେ ଆଶା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ