ଷତାକ୍ତ ଷଣ୍ଢର ସେବା କାର୍ଯ୍ୟରେ ଧାବକ ସୌରଭ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଗ୍ରାମର ଉଦୟନାଥ ସେଠୀଙ୍କ ପୁତ୍ର ସୌରଭ ସେଠୀ । ଗତ ଫେବୃଆରୀ ମାସରେ ବନ୍ତରୁ ପୁରୀ ପର୍ଯ୍ୟନ୍ତ ୨୩୦ କିମି ରାସ୍ତା ଦୌଡି ସମଗ୍ର ରାଜ୍ୟରେ ଚର୍ଚ୍ଚାର ପରିସରକୁ ଆସିଥିଲେ । ସେହି ଯୁବ ପ୍ରତିଭା ଏବେ ପ୍ରାଣୀ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ଗତ ୧୦ ଦିନ ତଳେ ବନ୍ତ ବଜାରର ଏକ ବୁଲା ଷଣ୍ଢକୁ କୌଣସି ବ୍ୟକ୍ତି ଧାରୁଆ ଅସ୍ତ୍ରରେ ଆଘାତ କରିବା ଦ୍ୱାରା ଷଣ୍ଢଟିର ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଷଣ୍ଢଟିର ଏଭଳି ଅବସ୍ଥା ଦେଖି ସୌରଭଙ୍କ ମନ ତରଳି ଯାଇଥିଲା । ସେ ଷଣ୍ଢଟିକୁ ବନ୍ତ ପୁରୁଣା ବଜାରସ୍ଥିତ ଶାନ୍ତି ୟୁଥ୍ କ୍ଲବ ପରିସରକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ । ପରେ ପ୍ରାଣୀ ଚିିକିତ୍ସା ବିଭାଗକୁ ଖବର କରିବା ପରେ ଚିକିତ୍ସା ବିଭାଗ କର୍ମଚାରୀ ମାନେ ଷଣ୍ଢଟିର ଅସ୍ତ୍ରୋପଚାର କରିଥିଲେ । ଏବେ ଷଣ୍ଢଟି ସୁସ୍ଥ ଥିବା ଦେଖାଯାଇଛି । ଏହି ସେବା କାର୍ଯ୍ୟରେ ଶାନ୍ତି ୟୁଥ୍ କ୍ଲବର ସଭ୍ୟ ମାନେ ସହଯୋଗ କରିଥିଲେ । ସୌରଭଙ୍କର ଏଭଳି ସେବା ମନୋବୃତ୍ତି ପାଇଁ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟାପକ ଡଃ.ସୁଧାଂଶୁ ନାୟକ ଓ ଜିଲା ପରିଷଦ ସଭ୍ୟା ରେବତୀ ନାୟକ ତାଙ୍କୁ ଖୁବ୍ ପ୍ରଶଂସା କରିଥିବା ଜଣାଯାଇଛି । ଅପରପକ୍ଷେ ଭାରତୀୟ ସେନା ବାହିନୀରେ ଯୋଗ ଦେବାର ଲକ୍ଷ୍ୟ ରଖିଥିବା ସୌରଭ ମାଟ୍ରିକ୍ ପଢିବା ଠାରୁ ଦୌଡିବା ଅଭ୍ୟାସ ଆରମ୍ଭ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଯଦି ତାଙ୍କୁ ଆବଶ୍ୟକ ତାଲିମ ଏବଂ ପ୍ରୋତ୍ସାହନ ଯୋଗାଇ ଦିଆଯାଇ ପାରନ୍ତା ତେବେ ସେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ସୁନାମ ଅର୍ଜ୍ଜନ କରିପାରନ୍ତେ ବୋଲି କହିଛନ୍ତି ।