ଷଷ୍ଠତମ ଶ୍ରାଦ୍ଧବାର୍ଷିକୀରେ କାଳୀପ୍ରସାଦ ସାମନ୍ତରାୟଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବହୁମୁଖୀ ପ୍ରତିଭାଦୀପ୍ତ, ବିଶିଷ୍ଟ ସମାଜସେବୀ, ପରିବେଶବିତ୍‌, ଭାଷାପ୍ରାଣ ତଥା ବିଜୁ ପଟ୍ଟନାୟକ କଲେଜ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ ସୋସିଆଲ ୱାର୍କ, କମ୍ପ୍ୟୁଟର ଏକାଡ଼େମୀ ଓ ଦି ମଦର ପବ୍ଲିକ ସ୍କୁଲ୍‌ର ପ୍ରତିଷ୍ଠାତା ସ୍ୱର୍ଗତ କାଳୀପ୍ରସାଦ ସାମନ୍ତରାୟଙ୍କ ଷଷ୍ଠତମ ଶ୍ରାଦ୍ଧବାର୍ଷିକୀ ସମାବେଶ ଜଗନ୍ନାଥ ନଗରସ୍ଥିତ ଶିକ୍ଷାନୁଷ୍ଠାନ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଓ ମଦମୁକ୍ତି ଓଡ଼ିଶା ଅଭିଯାନର ଉଦ୍ୟୋକ୍ତା ପ୍ରଦ୍ୟୁମ୍ନ ଶତପଥୀ ଅନୁଷ୍ଠାନ ପ୍ରାଙ୍ଗଣସ୍ଥିତ ସ୍ୱର୍ଗତ ସାମନ୍ତରାୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ କହିଲେ ଯେ, ଝାଡ଼ଖଣ୍ଡ ଭଳି ରାଜ୍ୟରେ ଓଡ଼ିଆଭାଷାକୁ ଦ୍ୱିତୀୟ ରାଜଭାଷା କରିବାରେ ତାଙ୍କର ଅବଦାନକୁ ଓଡ଼ିଆଜାତି ଭୁଲିପାରିବ ନାହିଁ । ଏହି ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଅଧ୍ୟକ୍ଷତା କରି ବିଜୁ ପଟ୍ଟନାୟକ ଶିକ୍ଷାନୁଷ୍ଠାନ ତଥା ଉତ୍କଳ ନ୍ୟାସମଣ୍ଡଳର ସଭାପତି ସୀତାବଲ୍ଲଭ ମହାପାତ୍ର ସ୍ୱର୍ଗତ ସାମନ୍ତରାୟଙ୍କୁ ଜଣେ ଯୋଗଜନ୍ମା ପୁରୁଷ ବୋଲି କହିଥିଲେ । ଅନ୍ୟତମ ବିଶିଷ୍ଟ ଅତିଥି, ବେଦବିତ୍ ଓ ସମାଜ ସଂସ୍କାରକ ଡକ୍ଟର ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଦୀର୍ଘ ୪୦ ବର୍ଷ ତଳେ ଅମଣାକୁଦ ଭଳି ଏକ ପଲ୍ଲୀଗ୍ରାମରୁ ସ୍ୱର୍ଗତ ସାମନ୍ତରାୟଙ୍କୁ ସେବା ଦଳର ଜଣେ କର୍ମୀ ଭାବେ କଂଗ୍ରେସ ଦଳ ବାଛିଥିଲା । କଂଗ୍ରେସ ଦଳ ପାଇଁ ତାଙ୍କର ତ୍ୟାଗ ଅବିସ୍ମରଣୀୟ । ଅନ୍ୟତମ ଅତିଥି ବିଶିଷ୍ଟ କଳାକାର ଶ୍ରୀରାମ ଚନ୍ଦ୍ର ଭୋଳ, ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଶେଷଦେବ ବଳିୟାରସିଂ ପ୍ରମୁଖ ସ୍ୱର୍ଗତ ସାମନ୍ତରାୟଙ୍କ ସମାଜସେବା, ନିଆରା ବ୍ୟକ୍ତିତ୍ୱ ତଥା ତ୍ୟାଗ ଓ କର୍ମନିଷ୍ଠାର ସ୍ମୃତିଚାରଣ କରିଥିଲେ । ଏହି ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କିଛି ସମାଜସେବା ମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସଭାକାର୍ଯ୍ୟ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟକ୍ଷ ଶ୍ରୀ ରାଷ୍ଟ୍ର ରଞ୍ଜନ ମହାନ୍ତି । କାର୍ଯ୍ୟକ୍ରମରେ ସ୍ୱର୍ଗତ ସାମନ୍ତରାୟଙ୍କ ଧର୍ମପତ୍ନୀ ଶ୍ରୀମତୀ ସୁଜାତା ସାମନ୍ତରାୟ ସମସ୍ତ ଅତିଥିଙ୍କୁ କୃତଜ୍ଞତା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ