ଷଷ୍ଠୀ ଓଷା
ବିପିନ ବିହାରୀ ମହାନ୍ତି
ଭାଦ୍ରବ ମାସର ଶୁକ୍ଲପକ୍ଷ ଷଷ୍ଠୀଦିନ ଷଷ୍ଠୀଓଷା କରାଯାଏ । କେହି କେହି ଏହାକୁ ଷଠୀ ବୁଢ଼ୀ ବା ଷଠୀ ଠାକୁରାଣୀ କି ଦେବୀ ପୂଜା ବୋଲି କୁହନ୍ତି । ଏହା ମୁଖ୍ୟତଃ ଏକ ବନ୍ଦାପନାର ପର୍ବ । ବିଶେଷକରି ଠାକୁରାଣୀ ସହ ଘରର ପିଲାମାନଙ୍କୁ ବନ୍ଦାପନା କରାଯାଏ ।
ଷଠୀ ଦେବୀ ଶିଶୁମାନଙ୍କର ସୁରକ୍ଷା କବଚ । ସେ ସେମାନଙ୍କର ବୟସ ନିର୍ଦ୍ଧାରିତ କରିଥାଏ । ସେଥିପାଇଁ କୁହନ୍ତି : ଷଠୀବୁଢ଼ୀ ଯାହାକୁ ଯେତିକି ବୟସ ଦେଇଛି ନା’ । ଛୁଆଟିଏ ଭୂମିଷ୍ଟ ହେଲାମାତ୍ରେ ଏନ୍ତୁଡ଼ିଶାଳରୁ ହିଁ ଷଠୀ ବୁଢ଼ୀର କାମ ଆରମ୍ଭ ହୁଏ । କେହି କେହି ଷଠୀ ଦେବୀଙ୍କୁ ସନ୍ତୋଷ କରିବା ନିମନ୍ତେ କାନ୍ଥରେ ବିଶେଷ କରି ପୋଖତୀ ଘରେ ଷଠୀ ଘର ଅଙ୍କନକରି ତା’ର ପୂଜା କରାଯାଏ । ଖାଲି ସେତିକି ନୁହେଁ, ମା’ମାନେ ସନ୍ତାନମାନଙ୍କର ଦୀର୍ଘଜୀବନ, ନୀରୋଗ ଓ ନିରାମୟ ଜୀବନ କାମନାକରି ଷଠୀବ୍ରତ କରନ୍ତି ଏବଂ ଷଠୀ ପୂଜା କରନ୍ତି ଏବଂ ତାକୁ ଏହିପରି ପ୍ରାର୍ଥନା କରନ୍ତି ।
ଓଁ ଷଷ୍ଠୀ ଦେବୀ ନାମସ୍ତୁଭ୍ୟଂ ସୂତିକଗୃହ ଶାୟିନି,
ପୂଜିତା ପରାୟା ଭକ୍ତ୍ୟା ଦୀଘାମାୟଃ ପ୍ରଯଚ୍ଛମେ ।ା
ଗହ୍ମାବେଦୀମାଟି ଓ ହଳଦୀରେ ଚାରେଟି ଷଠୀ ମୂର୍ତ୍ତି ତିଆରି କରାଯାଇ ହଳଦିଆ କନାରେ ପିନ୍ଧାଇ ଦିଆଯାଏ । ଏହାପରେ ଫୁଲ, ଚନ୍ଦନ, ଧୂପ, ଦୀପ ଓ ଅଗୁର ଇତ୍ୟାଦି ଦେଇ ଗୋଟିଏ ପିଢ଼ାପରେ ରଖାଯାଏ । ଛ’ପ୍ରକାର ତରକାରୀ ବଢ଼ାଯାଏ । ଆଇଁଷ ଭୋଗ ବି ଦିଆଯାଏ । ଧାନଗଛ, ଓଲୁଅ, ସାରୁ, ଅଁଳା, ବଜ୍ରମୂଳି, ବାଉଁଶ, ବରକୋଳି ଓ ଆମ୍ବଡାଳ ଇତ୍ୟାଦି ଏକାଠିକରି ଦେବୀଙ୍କ ପାଖରେ ସ୍ଥାପନ କରାଯାଏ । ଏସବୁ କାର୍ଯ୍ୟ ପରିବାରର ଜଣେ ବୟସ୍କ ବା ମାତୃସ୍ଥାନୀୟ ମହିଳା ସଂପାଦନ କରନ୍ତି । ଏଥୁଅନ୍ତେ ଠାକୁରାଣୀଙ୍କ ସାମ୍ନାରେ ଝୋଟି ଓ ଚିତା ପକା ଯାଏ । ଏହାପରେ ଦେବୀଙ୍କୁ ଧୂପ, ଦୀପ, ନୈବେଦ୍ୟ ଇତ୍ୟାଦି ସମର୍ପଣ ପୂର୍ବକ ବନ୍ଦାପନା କରାଯାଏ । ଭୋଗବଢ଼ାଯାଏ । ଠାକୁରାଣୀଙ୍କ ଭୋଗକୁ ପିଲାଙ୍କୁ ଖାଇବାକୁ ଦେଲାପରେ, ଦେବୀ ସାମ୍ନାରେ ସେମାନଙ୍କୁ ବନ୍ଦାପନା କରାଯାଏ । ଏହାପରେ ସମର୍ପିତ ଡାଳ,ମୂଳ ବିଡ଼ା ବା ଷଠୀ ବିଡ଼ାରେ ସାତଥର ବାଡ଼େଇ ଝାଡ଼ି ଦିଆଯାଏ ଏବଂ ସେମାନେ ଦୀର୍ଘାୟୁ ହେବା ଏବଂ ଶରୀର ବଜ୍ରତୁଲ୍ୟ ହୋଇଯାଉ ବୋଲି, କାମନା କରାଯାଏ । ଏହାପରେ ସୂତାରେ ତିଆରି ଷଠୀ ବୁଢ଼ି ଠାକୁରଙ୍କୁ ଛୁଆଇଁ ପିଲାମାନଙ୍କ ହାତରେ ବନ୍ଧାଯାଏ । ଷଠୀ ଓଷା ପୁରାଣରେ ଶାଶୂ ଓ ବୋହୂଙ୍କୁ ଷଠୀ ଦେବୀ ଏହିପରି କହିଛନ୍ତି :
ଷଠୀଦିନ ପାଳିବୁ । ଛ’ ତିଅଣ କରିବୁ । ଛ’ ଖଣ୍ଡ କନା , ଛ’ଗୋଟି ପିଠା କରିବୁ । ଓଷା ପୂଜିବୁ ।…. ।
“ସେହିମତେ ନଣନ୍ଦ ଭାଉଜ ଲିପାପୋଛା କଲେ । ଚିତ୍ତା ଚଇତା ଦେଲେ । ଓଷା ସାମଗ୍ରୀ କଲେ । ବୁଡ଼ ପାରି ଆଇଲେ, ଛ’ ତିଅଣ କଲେ, ଛ’ ପିଠା କଲେ, ଶିଳପୁଆ ଧୋଇ ଦେଲେ । ଚିତ୍ତା ଚଇତା ଦେଲେ । ହଳଦି କନ୍ଦା ପିନ୍ଧାଇଦେଲେ । ଷଠୀ ଦଉଲା କଲେ । ଛ’ ଗଣ୍ଠି ପଡ଼ିଲେ । ଛ’ ଖିଅ ସୂତା କଲେ, ଛ’ କେର୍ତ୍ତି ଦୁବ କଲେ, ଷଠୀ ଚାଉଳ ବାନ୍ଧିଲେ, ଜୁଇ ଡାଳ ଆଣିଲେ, ଛେନାପାଣି କଲେ, ଛ’ ତିଅଣ, ଛ’ ଚକୁଳି ବାଢ଼ିଲେ । ଶାଶୂ ବୋହୂ ଓଷା ପୂଜିଲେ । ଖାଇସାରିଲେ, ପୂଜା ଫୁଲ ଦୂବ ଘେନିଲେ ।” ଏହାହିଁ ପ୍ରଚଳିତ ବିଧି ।
ପୂଜାର ସାତଦିନ ପରେ ଷଠୀ ଦେବୀଙ୍କୁ ସେ ଝୋଟି ଚିତା ସହ ସବୁକିଛି ନେଇ ପାଣିରେ ବିସର୍ଜନ କରାଯାଏ ।
ଧନ ଭିତରେ ଏକ ଦମ୍ପତ୍ତି ପାଇଁ ସନ୍ତାନମାନେ ହିଁ ଶ୍ରେଷ୍ଠ ଧନ । ସେମାନେ ବଂଶାନୁକ୍ରମିକର ପରବର୍ତ୍ତୀ ପୀଢ଼ି । ସମସ୍ତ ଧାତବ ଅଳଙ୍କାର, ମୋତି ମାଣିକ ଇତ୍ୟାଦି ନିରାପତ୍ତା ଓ ସଂରକ୍ଷଣ ପାଇଁ ସିନ୍ଦୁକ, ସଂପଦଗନ୍ଥା ଇତ୍ୟାଦି ଥାଇପାରେ । ଏମାନେ ଅପ୍ରାଣୀବାଚକ । ହେଲେ, ଶ୍ରେଷ୍ଠ ଧନ ମାନେ ହିଁ ସନ୍ତାନ । ସେମାନଙ୍କର ସୁରକ୍ଷା, ଭଲମନ୍ଦ ଏବଂ ଆୟୂକାଳ ସେହି ଅଦୃଶ୍ୟ ହାତରେ । ହିନ୍ଦୁ ଧର୍ମରେ ବିଶେଷକରି ଓଡ଼ିଆ ଘରେ ସେହି ଅଦୃଶ୍ୟ ହାତର ନା’ ଷଠୀ ଦେବୀ; ସେ ରକ୍ଷା କର୍ତ୍ତାର ପ୍ରତୀକ । ମା’ ଜନ୍ମଦାତ୍ରୀ; ଷଠୀ ରକ୍ଷା କବଚ । ଏଣୁ ସେ ପୂଜ୍ୟ ।
ଧାର୍ମିକ କାରଣ, ଯାହାହେଉନା କାହିଁକି ଏଥିରେ ପ୍ରୟୋଗ ସମସ୍ତ ପଦାର୍ଥ ଆନ୍ତର୍ବେଦୀୟ ଉପଚାର ଯାହାକି ବିଜ୍ଞାନ ସମ୍ମତ । ଡାକ୍ତରୀ ବିଦ୍ୟାରେ ଶିଶୁମାନଙ୍କୁ ପୋଲିଓ ମୁକ୍ତ ପାଇଁ ଏବ ଯେପରି ବ୍ୟବସ୍ଥା ହୋଇଛି, ଅଥବା ନିରୋଗ ପାଇଁ ଯେଉଁସବୁ ଟୀକା ବ୍ୟବସ୍ଥା ହୋଇଛି ଏହା ସେହିପରି ଶିଶୁଙ୍କ ନିରୋଗତା ପାଇଁ ଏକ ବ୍ୟବସ୍ଥା, ଧର୍ମାନ୍ଧତା ବା କୁସଂସ୍କାର ନୁହେଁ ।
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮