ଷ୍ଟେଟବ୍ୟାଙ୍କ କର୍ମଚାରୀଙ୍କ ଖାମଖିଆଲ ନିତି: ଆଦିବାସୀ ମହିଳାଙ୍କ ମୁଣ୍ଡରେ ଅର୍ଥଦଣ୍ଡ: ନ୍ୟାୟ ପାଇଁ ଥାନାର ଦ୍ଵାରସ୍ତ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ବ୍ରାହ୍ମଣୀଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଘଟିଛି ଏକ ଅଭାବନୀୟ ଘଟଣା। ଷ୍ଟେଟବ୍ୟାଙ୍କ କର୍ମଚାରୀଙ୍କ ଭୁଲକୁ ଘୋଡାଇବାକୁ ଯାଇ ଝିଞ୍ଜିରିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ତ କଡମ୍ବା ଗ୍ରାମର ଅଶିକ୍ଷିତ ଗରିବ ବିଧବା ମହିଳା କିରାଆଲୁ ମାଝୀଙ୍କ ମୁଣ୍ଡ ଉପରେ ବ୍ରାହ୍ମଣୀଗାଁ ଷ୍ଟେଟବ୍ୟାଙ୍କ ଶାଖା ଲଦି ଦେଇଛି ୮୦ହଜାର ଟଙ୍କାର ଋଣଭାର। ଯାହାରି ଫଳରେ କିରାଆଲୁ ମାଝୀ ଶାରୀରିକ, ମାନସିକ ଓ ଆର୍ଥିକ ଚିନ୍ତାରେ ଭାଙ୍ଗି ପଡିଥିବା ଜଣାପଡିଛି। ଏହିପରିକି କିରାଆଲୁ ଖାଇବା ପିଇବା ଶୋଇବା ଭୁଲି ଯିବା ସହିତ କୁଲି ମଜୁରୀ ଖଟିବାକୁ ଶରୀରରେ ବଳ ପାଉନଥିବା ପ୍ରକାଶ କରିଛନ୍ତି। କିରାଆଲୁର ଏହି ପରସ୍ଥିତ କୁ ଦେଖି ସମ୍ପର୍କୀୟ ମାନେବି ଚିନ୍ତାରେ ପଡିଯାଇଛନ୍ତି। ଅଂଚଳର କିଛି ବୁଦ୍ଧିଜୀବୀ ମାନଙ୍କ ପରାମର୍ଶ କ୍ରମେ ନ୍ୟାୟ ପାଇବା ପାଇଁ ବ୍ରାହ୍ମଣୀଗାଁ ଥାନାରେ ଗତ ତା ୦୨/୧୦/୨୦୨୧ ରିଖ ଦିନ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିବା ଖବର ହସ୍ତଗତ ହୋଇଛି। ଖବର ନେବାରୁ ଜଣାପଡିଛିଯେ କିରାଆଲୁର ବ୍ରାହ୍ମଣୀଗାଁ ଷ୍ଟେଟ ବ୍ୟାଙ୍କ ଶାଖାରେ ବହୁ ବର୍ଷ ପୂର୍ବରୁ ସଞ୍ଚୟ ଖାତା ରହିଛି। ପ୍ରାୟ ୨୦୧୭ ମସିହାରେ ସେହି ଗ୍ରାମର ଗାଁ ସାଥି ଜଣକ ମନରେଗା ସ୍କିମର ଟଙ୍କା ପାଇବାପାଇଁ ହେଲେ ବ୍ୟାଙ୍କରେ ଆଧାର ସଂଯୋଗ କରାଯିବ କହି କିରାଆଲୁର ଆଧାର ଓ ବ୍ୟାଙ୍କ ପାସବୁକ ମାଗିନେଇ ବ୍ୟାଙ୍କ ଲିଙ୍କେଜ କରି ଦେଇଥିବା କହିଛନ୍ତି। ସେହି ଦିନଠାରୁ ନିଜର ଆବଶ୍ୟକତା ଅନୁଯାଇ କିରାଆଲୁ ମାଝୀ କିୟସ୍କ ବ୍ୟାଙ୍କରୁ ଟିପ ଦେଇ ଟଙ୍କା ଉଠାଇ ନିଜର ଆବଶ୍ୟକତା ପୂରଣ କରି ଆସୁଥିବା ସେ ପ୍ରକାଶ କରିଛନ୍ତି। ହେଲେ ଷ୍ଟେଟ ବ୍ୟାଙ୍କ ଶାଖା କିରାଲୁ ମାଝୀଙ୍କୁ ଗାଁ ସାଥିଙ୍କ ଜମା ଖାତାରୁ ଏହି କିଛି ବର୍ଷ ମଧ୍ୟରେ ୮୦ହଜାର ଟଙ୍କା ଉଠାଇ ନେଇଥିବା ଚିଠି କରିବା ସହିତ କିରାଆଲୁ ବିରୋଧରେ ଥାନାରେ ଏତଲା କରିଥିବା ସହିତ ଜମାଖାତାକୁ କିଛି ମାସହେବ ହୋଲଡ଼ କରି ରଖି ଦେଇଛନ୍ତି। ଯାହାରି ଫଳରେ ବେସାହାରା କିରାଆଲୁ ମାଝୀ ନିଜର ଜରୁରୀ ଆବଶ୍ୟକତା ଓ ସ୍ୱାସ୍ଥ୍ୟ ଅସୁସ୍ଥତା ବେଳେ ନିଜର ଜମା ଖାତାରୁ ଟଙ୍କା ଉଠାଇ ପାରୁନଥିବାରୁ ବ୍ୟାଙ୍କ ମ୍ୟାନେଜରଙ୍କୁ ବହୁବାର ଗୁହାରୀ ମଧ୍ୟ କରିଛନ୍ତି। ହେଲେ ବ୍ୟାଙ୍କ ମ୍ୟାନେଜର ଓଲଟା ଧମକ ଚମକ ଦେଉଥିବା କିରାଆଲୁ ମାଝୀ କହିଛନ୍ତି। କିରାଆଲୁ ମାଝୀଙ୍କ କହିବା କଥା ସରକାରଙ୍କ ନିୟମ ଅନୁଯାୟୀ ପ୍ରତି ବର୍ଷ ସେ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୦୦ଦିନ କାମ କରି ଆସୁଛନ୍ତି। ହେଲେ ଦୀର୍ଘବର୍ଷ ଧରି କାମ କରି ଆସିଥିବା ମଜୁରୀ ଟଙ୍କା ତାଙ୍କ ଜମା ଖାତାରେ ଜମା ହୋଇନଥିବା ଅଭିଯୋଗ ବି କରିଛନ୍ତି। ଥାନା ପକ୍ଷରୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାନ ଗଲେ, ଆଗାମୀ ଦିନରେ ଷ୍ଟେଟବ୍ୟାଙ୍କ ଆଗରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବି ବୋଲି କିରାଆଲୁ ମାଝୀ ସୂଚନା ଦେଇଛନ୍ତି। ଏଣୁ ଜିଲା ପ୍ରଶାସନ ଉପଯୁକ୍ତ ତଦନ୍ତ କରି ଗରିବ ଅଶିକ୍ଷିତ ବିଧବା ଆଦିବାସୀ ମହିଳାଙ୍କୁ ନ୍ୟାୟ ଦେବାର ଆବଶ୍ୟକତା ରହିଛି ବୋଲି ଅଂଚଳରେ ଚର୍ଚ୍ଚା ଜୋର ଧରିଥିବା ପ୍ରକାଶ ପାଇଛି।