ଷ୍ଟ୍ରଙ୍ଗ୍ ରୁମ୍ ଅସୁରକ୍ଷିତ ବୋଲି ଅଭିଯୋଗ କଲେ ପ୍ରାର୍ଥୀ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ରବିବାର ବନ୍ତ ବ୍ଲକ ପରିସରରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ କଂଗ୍ରେସ ପକ୍ଷରୁ ମହାନ୍ତିପଡା ସମିତି ସଭ୍ୟ ପ୍ରାର୍ଥୀ ଲାଲା ସ୍ୱାଇଁ ଯୋଗ ଦେଇ ଷ୍ଟ୍ରଙ୍ଗ୍ ରୁମ୍ରେ ଅବ୍ୟବସ୍ଥା ଓ ଭୋଟ ବାକ୍ସ ଅସୁରକ୍ଷିତ ବୋଲି ଅଭିଯୋଗ କରିଥିଲେ । ରାଜ୍ୟ ନିର୍ବାଚନ କମିସନରଙ୍କ ନିୟମାବଳୀକୁ ଏଠାରେ ଉଲଂଘନ କରାଯାଇଛି । ଷ୍ଟ୍ରଙ୍ଗ ରୁମ୍ ପାଇଁ ବଡ କୋଠରୀର ବ୍ୟବସ୍ଥା କରାଯାଇନାହିଁ । ସେହିପରି ଷ୍ଟ୍ରଙ୍ଗ୍ ରୁମ୍ ପାଖରେ ଶୌଚାଳୟ ଓ ପାନୀୟଜଳର ବ୍ୟବସ୍ଥା ନାହିଁ । ଷ୍ଟ୍ରଙ୍ଗ୍ ରୁମ୍ ଠାରେ ଦୁଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇନାହିଁ । ସିସିଟିଭିର ବ୍ୟବସ୍ଥା କରାଯାଇନାହିଁ । ପ୍ରତ୍ୟେକ ବୁଥ୍ରେ ପ୍ରିଜାଡିଂ ଅଫିସର ପୁଲିଂ ସଂପର୍କୀତ ତଥ୍ୟ ୧୧(ସି) ଫର୍ମ ପୁଲିଂ ଏଜେଣ୍ଟ ମାନେ ଦାବୀ କରିବା ସତ୍ତେ ମଧ୍ୟ ପ୍ରଦାନ କରାଯାଇନାହିଁ । ଗତ ୧୬ ତାରିଖ ମତଦାନ ପରେ ଭୋଟ ବାକ୍ସ ଗୁଡିକୁ ବେପରୁଆ ଭାବେ ଫିଙ୍ଗି ଦିଆଯାଇଥିଲା । ସେଠାରେ କୌଣସି ପୋଲିସ ମୁତୟନ ହୋଇନଥିଲେ । ଫଳରେ ସେହି ବାକ୍ସ ଗୁଡିକ କେତେ ସୁରକ୍ଷିତ ବୋଲି ସେ ପ୍ରଶ୍ନ କରିଥିଲେ । ଷ୍ଟ୍ରଙ୍ଗ୍ ରୁମ୍କୁ ଅତିନିମ୍ନମାନର ଭାବେ ସିଲ୍ କରାଯାଇଛି । ସିସିଟିଭିର ମନିଟର ବିଡିଓଙ୍କ କୋଠରୀରେ ତାଲା ପଡିଥିବା ବେଳେ ମନିଟରିଂ କରିବା ପାଇଁ କୌଣସି କର୍ମଚାରୀ ନିୟୋଜିତ ହୋଇନାହାନ୍ତି । ସିସିଟିଭି ଫୁଟେଜକୁ ସାର୍ବଜନୀନ କରିବା ପାଇଁ ଅଫିସ ସମ୍ମୁଖରେ ଏଲ.ଇ.ଡିର ବ୍ୟବସ୍ଥା କରାଯାଇନାହିଁ । କୌଣସି ପ୍ରାର୍ଥୀଙ୍କୁ ଷ୍ଟ୍ରଙ୍ଗ ରୁମ୍ ସଂପର୍କରେ ପର୍ଯ୍ୟବେକ୍ଷଣ କରିବା ପାଇଁ ଚିଠି ମାଧ୍ୟମରେ ଅବଗତ କରାଯାଇନାହିଁ । ପ୍ରଶାସନ ପକ୍ଷରୁ ଠିଲା ବ୍ୟବସ୍ଥା କରାଯିବା ସହ ଘୋଟଲା କରିବା ପାଇଁ ବନ୍ଦୋବସ୍ତ କରାଯାଇଛି ବୋଲି ଶ୍ରୀ ସ୍ୱାଇଁ ଅଭିଯୋଗ କରିଥିଲେ । ସିସିଟିଭିକୁ ସାର୍ବଜନୀନ କରିବା ସହିତ ଷ୍ଟ୍ରଙ୍ଗ୍ ରୁମ୍ରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା, ପ୍ରତ୍ୟେକ ବୁଥ୍ରେ ପୁଲିଂ ସଂପର୍କୀତ ସମସ୍ତ ବିବରଣୀକୁ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ ପ୍ରଦାନ କରିବା ପାଇଁ ସେ ଦାବୀ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରେମାନନ୍ଦ ନାୟକ, ସୁରେନ୍ଦ୍ର କୁମାର ଜେନା, ବିଜୟ ଜେନା, ରବି ନାରାୟଣ ମହାନ୍ତି, ସେକ୍ ମୁସ୍ତାକ୍ ଅଲ୍ଲୀ, ସୁଦାମ ଚରଣ ଖଣ୍ଡା, ସଂଗ୍ରାମ ଜେନା, ହରିହର ମଣ୍ଡଳ, ସୁଧାଂଶୁ ଶେଖର ସେଠୀ, କଳ୍ପତରୁ ସାହୁ, ପ୍ରଫୁଲ୍ଲ ରାଉତ, ଅମୂଲ୍ୟ ବେହୁରିଆ, ସନ୍ଧ୍ୟାରାଣୀ ରାଉତ, ପ୍ରଦୀପ୍ତ କୁମାର ନାୟକ, ରାଜ କିଶୋର ପଣ୍ଡାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।


