ଷ୍ଟ୍ରଙ୍ଗ ରୁମ୍ ରେ ପହଞ୍ଚିଲା ଇଭିଏମ୍ ଓ ଭିଭିପ୍ଯାଟ୍

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସାଧାରଣ ନିର୍ବାଚନକୁ ସ୍ବଚ୍ଛ, ଅବାଧ ଓ ନିରପେକ୍ଷ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ନିର୍ବାଚନରେ ବ୍ୟବହାର ହେବାକୁ ଥିବା ଇଭିଏମ୍ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ପଣ୍ଯାଗାରରୁ କଡା ସୁରକ୍ଷା ମଧ୍ୟରେ କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ମହାବିଦ୍ଯାଳୟ, ଭଞ୍ଜନଗର ଠାରେ ଲୋକସଭା ନିମନ୍ତେ ୪ ଗୋଟି ଏବଂବିଧାନ ସଭା ନିମନ୍ତେ ୪ ଗୋଟି ଏଭଳି ୮ ଗୋଟି ଷ୍ଟ୍ରଙ୍ଗ ରୁମ୍ ରହିଥିବା ବେଳେ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ଯାଳୟ, ଛତ୍ରପୁର ଠାରେ ଲୋକସଭା ନିମନ୍ତେ ୮ ଗୋଟି ଏବଂ ବିଧାନ ସଭା ନିମନ୍ତେ ୮ ଗୋଟି ଏଭଳି ୧୬ ଗୋଟି ଷ୍ଟ୍ରଙ୍ଗ ରୁମ୍, ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ ଠାରେ ଲୋକ ସଭା ନିମନ୍ତେ ୬ ଗୋଟି ଏବଂ ବିଧାନସଭା ନିମନ୍ତେ ୬ ଗୋଟି ଓ ସରକାରୀ ପଲିଟେକନିକ୍, ବ୍ରହ୍ମପୁର ଷ୍ଟ୍ରଙ୍ଗ ରୁମ୍ ରେ ଇଭିଏମ୍ ନିଆଯାଇ ରଖାଯାଇଛି । ଏହାକୁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯିବା ସହ ସଶସ୍ତ୍ର ପୋଲିସ୍ କର୍ମଚାରୀ ଷ୍ଟ୍ରଙ୍ଗରୁମ୍ ସୁରକ୍ଷାରେ ମୁତୟନ ହୋଇଛନ୍ତି । ଏଥିସହ ସିସିଟିଭିର ମଧ୍ୟ ବ୍ଯବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟ ରାଣ୍ଡାମାଇଜେସନ୍ ପରେ ଆସ୍କା ଓ ବ୍ରହ୍ମପୁର ଲୋକସଭା ଏବଂ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସ୍କା, ସୋରଡା, ସାନଖେମୁଣ୍ଡି ଓ ହିଞ୍ଜିଳି ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ଇଭିଏମ୍ ଗୁଡିକୁ ପଠାଯାଇଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଦିବ୍ୟ ଜ୍ଯୋତି ପରିଡା ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ମତଦାନ ମେ ୧୩ ତାରିଖରେ ବ୍ରହ୍ମପୁର ଲୋକସଭା ଏବଂ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଛତ୍ରପୁର ନିମନ୍ତେ ୨୪୪ଟି, ଗୋପାଳପୁର ନିମନ୍ତେ ୨୧୩ଟି, ବ୍ରହ୍ମପୁର ନିମନ୍ତେ ୧୭୨ଟି, ଦିଗପହଣ୍ଡି ନିମନ୍ତେ ୨୫୬ଗୋଟି, ଚିକିଟି ନିମନ୍ତେ ୨୪୧ଗୋଟି ମତଦାନ କେନ୍ଦ୍ରର ବ୍ଯବସ୍ଥା କରାଯାଇଛି । ସେହିଭଳି ଜିଲ୍ଲାରେ ମେ ୨୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟରେ ଆସ୍କା ଲୋକସଭା ଓ ଭଞ୍ଜନଗରପ, ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସ୍କା, ସୋରଡା ସାନଖେମୁଣ୍ଡି ଓ ହିଞ୍ଜିଳି ବିଧାନସଭା ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ସକାଶେ ଭଞ୍ଜନଗର ନିମନ୍ତେ ୨୬୦ଗୋଟି, ପୋଲସରା ନିମନ୍ତେ ୨୬୩ଗୋଟି, କବିସୂର୍ଯ୍ୟନଗର ନିମନ୍ତେ ୨୪୫ଗୋଟି, ଖଲ୍ଲିକୋଟ ନିମନ୍ତେ ୨୪୧ଗୋଟି, ଆସ୍କା ନିମନ୍ତେ ୨୦୯ ଗୋଟି, ସୋରଡା ନିମନ୍ତେ ୨୫୫ଗୋଟି, ସାନଖେମୁଣ୍ଡି ନିମନ୍ତେ ୨୫୩ଗୋଟି ଏବଂ ହିଞ୍ଜିଳି ନିମନ୍ତେ ୨୨୫ ଗୋଟି ମତଦାନ କେନ୍ଦ୍ରର ବ୍ଯବସ୍ଥା କରାଯାଇଛି । ସମୁଦାୟ ୩୦୭୭ ଗୋଟି ଟି ମତଦାନ କେନ୍ଦ୍ର ମଧ୍ୟରୁ ସହରାଞ୍ଚଳରେ ୪୧୫ଗୋଟି ଓ ଗ୍ରାମାଞ୍ଚଳରେ ୨୬୬୨ଗୋଟି ମତଦାନ କେନ୍ଦ୍ର ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ