ଅଷ୍ଟ୍ରେଲିଆ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଡଃ ହର୍ଷବର୍ଦ୍ଧନଙ୍କ ଦ୍ୱିପାକ୍ଷିକ ସ୍ୱାସ୍ଥ୍ୟ ସହଯୋଗ ନେଇ ଆଲୋଚନା

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ତାଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ଗ୍ରେଗରୀ ଆଣ୍ଡ୍ରିଉ ହଣ୍ଟଙ୍କ ସହ ଦ୍ୱିପାକ୍ଷିକ ସ୍ୱାସ୍ଥ୍ୟ ସହଯୋଗ ଓ କୋଭିଡ ପରିଚାଳନା ସଂପର୍କରେ ଡିଜିଟାଲ ମାଧ୍ୟମରେ ଆଲୋଚନା କରିଛନ୍ତି । ଦୁଇଦେଶ ମଧ୍ୟରେ ଗତ ୨୦୧୭ ରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର ଅନୁସାରେ ପାରସ୍ପରିକ ସ୍ୱାସ୍ଥ୍ୟ ଏବଂ ଭେଷଜ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବାକୁ ଉଭୟ ପକ୍ଷ ଚୁକ୍ତିବଦ୍ଧ । ବୁଝାମଣା ଅନୁସାରେ ମେଲେରିଆ, ଟିବି, ମାନସିକ ସ୍ୱାସ୍ଥ୍ୟ, ଅଣସଂକ୍ରାମକ ବ୍ୟାଧି, ଜୀବାଣୁନାଶକ ବ୍ୟବସ୍ଥା, ଔଷଧପତ୍ରର ନିୟନ୍ତ୍ରଣ, ଟୀକା, ଡାକ୍ତରୀ ଯନ୍ତ୍ରପାତି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଡିଜିଟାଇଜେସନ ବ୍ୟବସ୍ଥାରେ ଉଭୟ ପକ୍ଷ ମିଳିମିଶି କାମ କରୁଛନ୍ତି । ଆହୁରି ମଧ୍ୟ ବର୍ତ୍ତମାନର କରୋନା ମହାମାରୀ ଭଳି ଜନସ୍ୱାସ୍ଥ୍ୟଜନିତ ଜରୁରୀ ସ୍ଥିତିରେ ଦୁଇ ଦେଶ ମିଳିତଭାବେ କାମ କରିବା ପାଇଁ ବୁଝାମଣାପତ୍ର ଅନୁସାରେ ଅଧିକୃତ । କଥାବାର୍ତ୍ତା ଆରମ୍ଭରେ ଅଷ୍ଟ୍ରେଲିଆର ସ୍ୱାସ୍ଥ୍ୟମନ୍ତ୍ରୀ ଗ୍ରେଗରି ହଣ୍ଟଙ୍କୁ ତାଙ୍କର ଶିଶୁକଲ୍ୟାଣକାରୀ ପଦକ୍ଷେପ ପାଇଁ ଅଭିନନ୍ଦନ ଜଣାଇଥିଲେ । ହଣ୍ଟ ନିକଟରେ ଅଟିଜିମ୍‌ ଏବଂ ଶିଶୁ ଡାଇବେଟିସ୍‌ ସଂପର୍କରେ ସଚେତନତା ସୃଷ୍ଟି ପାଇଁ ୫ କିଲୋମିଟରର ଏକ ବିଶାଳ ଗଣଦୌଡ ଆୟୋଜନ କରିଥିଲେ । ଦୁଇ ବ୍ୟାଧିରେ ପୀଡିତ ପିଲାଙ୍କ ପାଇଁ ସଚେତନତା ସୃଷ୍ଟିକୁ ସେ ଉଚ୍ଚ ପ୍ରଶଂସା କରିଥିଲେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ମିଳିତଭାବେ ଦୁଇଦେଶ କାମ କରିବାର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ଡଃ ହର୍ଷବର୍ଦ୍ଧନ କହିଥିଲେ ଯେ ବିକଶିତ ରାଷ୍ଟ୍ରଗୁଡିକ ମଧ୍ୟରେ ଅଷ୍ଟ୍ରେଲିଆର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବେଶ୍‌ ଉତ୍କୃଷ୍ଟ । ଭାରତର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଅତି ଦ୍ରୁତଗତିରେ ବୃଦ୍ଧି ପାଉଛି । ଆସନ୍ତା ୧୦ ବର୍ଷ ମଧ୍ୟରେ ଭାରତୀୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଆକାର ୨୭୫ ବିଲିୟନ ଡଲାରରେ ପହଞ୍ଚିବ ବୋଲି ସେ କହିଛନ୍ତି । ବିଶ୍ୱ ଅର୍ଥନୀତିରେ ଉତ୍ଥାନପତନ ଆସିଲେ ମଧ୍ୟ ଭାରତୀୟ ଘରୋଇ ଚାହିଦା ଏହି ବିକାଶ ଇଂଜିନକୁ ଚଳାଇ ରଖିବ । ଭାରତ ମଧ୍ୟ ଗବେଷଣା ଓ ଉନ୍ନୟନ ତଥା ସ୍ୱାସ୍ଥ୍ୟ ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ ସୁବିଧା ସୁଯୋଗ ସୃଷ୍ଟି କରିଛି । ଅଷ୍ଟ୍ରେଲିଆରେ ପୃଥୁଳତା ଏବଂ ସେହିଭଳି ବ୍ୟାଧିର ନିୟନ୍ତ୍ରଣ ପାଇଁ ଆୟୁର୍ବେଦ ଓ ଯୋଗଭଳି ଭାରତୀୟ ପାରମ୍ପରିକ ଚିକିତ୍ସା ବ୍ୟବସ୍ଥା ସହାୟକ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଭାରତରେ ସ୍ୱାସ୍ଥ୍ୟ କିପରି ଏକ ସାମାଜିକ ଆନେ୍ଦାଳନରେ ପରିଣତ ହୋଇଛି ଏବଂ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦୃଷ୍ଟିକୋଣ ସଂପର୍କରେ ଏହି ଅବସରରେ ଡଃ ହର୍ଷବର୍ଦ୍ଧନ ତାଙ୍କ ପ୍ରତିପକ୍ଷ ହଣ୍ଟଙ୍କୁ ବଝାଇଥିଲେ । ସେ କହିଥିଲେ ଯେ ଭାରତର ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥ୍ରା ଆୟୁଷ୍ମାନ ଭାରତ ଯୋଜନାରେ ୧୦ କୋଟି ପରିବାର ଅନ୍ତର୍ଭୁକ୍ତ ହୋଇଛି । ଏହା ମାଧ୍ୟମରେ ଗତବର୍ଷ ଏକକୋଟି ଲୋକ ଉପକୃତ ହୋଇଛନ୍ତି । ୨୦୧୫ ସୁଦ୍ଧା ଭାରତରୁ ଟିବିକୁ ନିର୍ମୂଳ କରିବାର ଲକ୍ଷ୍ୟରଖି କାର୍ଯ୍ୟ ଜୋରସୋର୍‌ରେ ଚାଲିଛି । ଉଚ୍ଚରକ୍ତଚାପ, ସ୍ତନ, ଫୁସ୍‌ଫୁସ୍‌, ଗଳା ଓ ମୁଖଗହ୍ୱର କର୍କଟ ଭଳି ଅଣସଂକ୍ରମିତ ବ୍ୟାଧିକୁ ଚହ୍ନଟ କରିବା ପାଇଁ ଭାରତ ମଧ୍ୟ ଗଣପରୀକ୍ଷା ବ୍ୟବସ୍ଥା ଆରମ୍ଭ କରିଛି । ସ୍ୱାସ୍ଥ୍ୟ କ୍ଷେତ୍ରର ଆଧୁନିକୀକରଣ ପାଇଁ ଭାରତ ମଧ୍ୟ ଡିଜିଟାଲ ହେଲ୍‌ଥ ବ୍ଲୁ ପ୍ରିଣ୍ଟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଛି । ଏଥିରେ ଶେଷତମ ବ୍ୟକ୍ତି ଯେପରି ଉପକୃତ ହୁଅନ୍ତି ସେଥି ପାଇଁ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି । ଅମ୍ରିତ ଯୋଜନାରେ ଗରିବ ଲୋକମାନଙ୍କୁ କ୍ୟାନସ୍‌ର ଓ ହୃଦ୍‌ରୋଗ ଚିକିତ୍ସା ପାଇଁ ଶସ୍ତାରେ ଔଷଧପତ୍ର ତଥା ଚିକିତ୍ସା ଉପକରଣ ଯୋଗାଇ ଦିଆଯାଉଛି । ସେ ମଧ୍ୟ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ‘ସରକାର ସମଗ୍ର’ ଦୃଷ୍ଟିକୋଣ ମାଧ୍ୟମରେ ୪୦ କୋଟି ଲୋକଙ୍କୁ ଆର୍ଥିକ ସମାବେଶୀ ପ୍ରକ୍ରିୟାରେ ସାମିଲ କରାଯାଇ ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି । ଆନ୍ତର୍ଜାତିକ ସମୁଦାୟ ଉପରେ ପ୍ରଧାନମନ୍ତ୍ରୀ ଯେଉଁ ବିଶ୍ୱାସ ଏବଂ ଆସ୍ଥା ସ୍ଥାପନ କରିଛନ୍ତି ସେ ସଂପର୍କରେ ହଣ୍ଟ କହିଥିଲେ ଯେ ଅଷ୍ଟ୍ରେଲିଆର ୟୁନିଭର୍ସାଲ ଟେଲି ମେଡିସିନ୍‌ ଏଯାବତ୍‌ ୧୯ ନିୟୁତ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଇଛି । ଏହା ସରକାରୀ ଓ ଘରୋଇ ହସ୍ପିଟାଲ ତଥା ଭିତ୍ତିଭୂମି ମାଧ୍ୟମରେ ସ୍ୱାସ୍ଥ୍ୟସେବା ଯୋଗାଣ ଉପରେ ଗୁରୁତ୍ୱ ଦେଇଛି । ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହାର ଅବଦାନ ଉଲ୍ଲେଖନୀୟ । ଜେନେରିକ ଔଷଧ ଯୋଗାଣ କ୍ଷେତ୍ରରେ ଭାରତର ଭୂମିକାକୁ ସେ ଉଚ୍ଚ ପ୍ରଶଂସା କରିବା ସହିତ ବିଶ୍ୱର ମୋଟ ଔଷଧ ଆବଶ୍ୟକତାର ୬୦ ଶତାଂଶ ଭାରତ ଶସ୍ତାରେ ଯୋଗାଉଥିବା ଉଲ୍ଲେଖ କରିଥିଲେ । ବିରଳ ରୋଗର ଚିକିତ୍ସା ପାଇଁ ନୂଆ ଔଷଧ ବାହାର କରିବାକୁ ଜେନୋମିକ୍ସ ଓ ଷ୍ଟେମ ସେଲ ଟେକ୍‌ନୋଲଜି ବ୍ୟବହାର ଜନିତ ଗବେଷଣା କ୍ଷେତ୍ରରେ ଭାରତ କିପରି ଅଷ୍ଟ୍ରେଲିଆକୁ ସାହାଯ୍ୟ କରିପାରିବ ସେ ସଂପର୍କରେ ସୂଚନା ଦେଇଥିଲେ । କରୋନା ମହାମାରୀର ପରିଚାଳନା ଓ ନିୟନ୍ତ୍ରଣରେ ଭାରତର ଚିକିତ୍ସକ ସମୁଦାୟ ଏବଂ ଚିକିତ୍ସା ବ୍ୟବସ୍ଥା କି ପ୍ରକାର ଭୂମିକା ନିର୍ବାହ କରୁଛି ସେ ସଂପର୍କରେ ସୂଚନା ଦେଇ ଡଃ ହର୍ଷବର୍ଦ୍ଧନ ବିଭିନ୍ନ ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ ଭାରତୀୟ ଚିକିତ୍ସକ, ସ୍ୱାସ୍ଥ୍ୟକର୍ମୀ, ବୈଜ୍ଞାନିକଗଣ କୋଭିଡ-୧୯ର ନିୟନ୍ତ୍ରଣ କ୍ଷେତ୍ରରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି । ଭେଷଜ ବୈଜ୍ଞାନିକ ଓ ଚିକିତ୍ସକମାନେ ଏଥିପାଇଁ ନୂଆ ଔଷଧ ବାହାର କରିବା ସହିତ ବର୍ତ୍ତମାନ ଉପଲବ୍‌ଧ ହେଉଥିବା ଅନ୍ୟାନ୍ୟ ରୋଗ ପାଇଁ ଉଦ୍ଦିଷ୍ଟ ଔଷଧକୁ ଏଥିରେ ସଫଳତାର ସହ ବ୍ୟବହାର କରିପାରୁଛନ୍ତି । ରୋଗ ସଂକ୍ରମଣର ପ୍ରଥାମବସ୍ଥାରେ ସେମାନେ ମଧ୍ୟ ଭୂତାଣୁକୁ ଅଲଗା କରିପାରୁଛନ୍ତି ଏବଂ ଜେନୋମ୍‌ ସିକ୍ୟୁଏନ୍‌ସିଂ ପଦ୍ଧତିରେ ଭୂତାଣୁର ଅଧ୍ୟୟନ ଓ ପରୀକ୍ଷା ନିରୀକ୍ଷା କରୁଛନ୍ତି । ସେ କହିଛନ୍ତି ଯେ ୨୦୨୦ ଜାନୁୟାରୀରେ କୋଭିଡ-୧୯ ଭୂତାଣୁର ପରୀକ୍ଷା ପାଇଁ ଦେଶରେ ମାତ୍ର ଗୋଟିଏ ଲ୍ୟାବ୍‌ ଥିଲା । ଏବେ ଭାରତରେ ସେହି ସଂଖ୍ୟା ୧୨୦୦ରୁ ଅଧିକରେ ପହଞ୍ଚିଛି । ଦେଶର ସବୁ ଭାଗରେ ଏହି ଲ୍ୟାବ୍‌ ବ୍ୟବସ୍ଥା ଫଳରେ ତ୍ୱରିତ ଏବଂ ବ୍ୟାପକ ପରୀକ୍ଷାର ସୁବିଧା ଉପଲବ୍‌ଧ ହୋଇଛି । ଭାରତର ଔଷଧ ଉତ୍ପାଦନକାରୀମାନେ ମଧ୍ୟ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ ଟାବ୍‌ଲେଟ୍‌ ପର୍ଯ୍ୟାପ୍ତ ପରିମାଣର ଉତ୍ପାଦନ କରି ୧୪୦ଟି ଦେଶକୁ ପଠାଇବାରେ ସମର୍ଥ ହୋଇଛନ୍ତି । ଦୁଇ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ସାଧାରଣ ସ୍ୱାର୍ଥଜଡିତ ବିଷୟରେ ମିଳିତଭାବେ କାର୍ଯ୍ୟ ଜାରି ରଖିବା ପାଇଁ ଏକମତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ