ସଂକ୍ରମଣର ସଠିକ୍‌ ତଥ୍ୟ ଦେବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ପକ୍ଷରୁ ରାଜ୍ୟମାନଙ୍କୁ କରୋନା ସଂକ୍ରମିତଙ୍କ ସଂଖ୍ୟାର ସଠିକ୍‌ ବିବରଣୀ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ ଏବେ ବି ରାଜ୍ୟମାନଙ୍କରେ କରୋନା ପରୀକ୍ଷା ଠିକ୍‌ ସମୟରେ ହୋଇପାରୁ ନାହିଁ। ଯେଉଁ ସବୁ ପରୀକ୍ଷା କରାଯାଉଛି ତାହାର ମଧ୍ୟ ରିପୋର୍ଟ ଠିକ୍‌ ସମୟରେ ଆସୁନାହିଁ। ବିଶେଷ କରି ରାଜ୍ୟମାନଙ୍କୁ ସଂକ୍ରମଣର ଗତି ଉପରେ ରୋକ ଲଗାଇବା, ଅଧିକ ସଂଖ୍ୟାରେ ପରୀକ୍ଷା କରାଇବା, ମୃତ୍ୟୁ ସଂଖ୍ୟା ଯେପରି ବୃଦ୍ଧି ନ ପାଇବ ସେ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ଲଗାତର ପରାମର୍ଶ ଦିଆଯାଉଛି। କନ୍‌ଣ୍ଟେନମେଣ୍ଟ ଜୋନ୍‌ର ରଣନୀତିକୁ ସଫଳ କରିବା ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ୍‌ରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବା ବାହାର ଲୋକଙ୍କ ପ୍ରବେଶକୁ ନେଇ ରାଜ୍ୟମାନେ କାରଣ ଦର୍ଶାଉ ଥିବା ବେଳେ କଣ୍ଟେନମେଣ୍ଟ ଜୋନ୍‌ର ଗଠନ ତଥା ଏହାକୁ କଡ଼ାକଡ଼ି ଭାବେ ସଞ୍ଚାଳନ କରିବାରେ ରାଜ୍ୟମାନେ କିଛି ମାତ୍ରାରେ କୋହଳତା ଅବଲମ୍ବନ କରୁଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ହୃଦବୋଧ କରୁଛି। ବର୍ତ୍ତମାନ କରୋନା ସଂକ୍ରମଣ ଯେଉଁଭଳି ଭାବେ କାୟାବିସ୍ତାର କରୁଛି ଆଗକୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ମନ୍ତ୍ରଣାଳୟ ଅନୁଭବ କରୁଛି। ତେଣୁ ରାଜ୍ୟମାନଙ୍କର ସଂକ୍ରମଣକୁ ନିୟନ୍ତ୍ରଣ କରିବା ଦିଗରେ ଭୂମିକା ଓ ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବ। କରୋନା ସଂକ୍ରମଣର ଗତିକୁ ବ୍ରେକ ଲଗାଇବା ପାଇଁ କେନ୍ଦ୍ର ସରକାର କାର୍ଯ୍ୟସ୍ଥଳୀ ଓ ସାର୍ବଜନୀନ ସ୍ଥାନରେ ସାମାଜିକ ଦୂରତ୍ବକୁ ନେଇ ନୂଆ ଗାଇଡଲାଇନ୍‌ ପ୍ରସ୍ତୁତ କରିବା ପାଇଁ ବିଶେଷଜ୍ଞମାନଙ୍କ ସହ ଆଲୋଚନା ଆରମ୍ଭ କରିଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ କରୋନାର ମୁକାବିଲାକୁ ନେଇ ନିର୍ଦ୍ଦେଶନାମା ଜାରି କରାଯିବା ତଥା ପରାମର୍ଶ ଦିଆଯାଉଥିବା ବେଳେ ବିଶେଷଜ୍ଞମାନେ ରାଜ୍ୟମାନଙ୍କୁ ମାଇକ୍ରୋପ୍ଲାନ ପ୍ରସ୍ତୁତ କରି ଆଗାମୀ ଦି‌ନରେ ଲଢ଼େଇକୁ ଆହୁରି କ୍ରିୟାଶୀଳ କରିବା ପାଇଁ ଗୁରୁତ୍ବାରୋପ କରିଛନ୍ତି। ଜିଲ୍ଲାପାଳମାନଙ୍କ ଦ୍ବାରା କଣ୍ଟେନମେଣ୍ଟ ଜୋନ୍‌ର ଘୋ‌ଷଣା କରିବାଠାରୁ ଏହାର ନିୟମିତ ମନିଟରିଂ କରିବା ପ୍ରକ୍ରିୟା ସେହି ଜିଲ୍ଲାମାନଙ୍କରେ ସଂକ୍ରମଣ ରୋକିବାରେ ଅମୋଘ ଅସ୍ତ୍ର ରୂପେ କାର୍ଯ୍ୟ କରିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅପରପକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କ ପକ୍ଷରୁ କରୋନାର ନିୟନ୍ତ୍ରଣ ପାଇଁ ନିଆଯାଉଥିବା ଏକାଧିକ ପଦକ୍ଷେପକୁ ପ୍ରଶଂସା କରାଯିବା ସହିତ କିଛି ରାଜ୍ୟମାନଙ୍କର ମଡେଲକୁ ମଧ୍ୟ ଉତ୍ସାହିତ କରାଯାଉଛି। ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯିବା ପରେ ବର୍ତ୍ତମାନ ଜାରି ରହିଥିବା ଅନଲକ୍‌-୨ ପର୍ଯ୍ୟାୟରେ ବିଶେଷ କରି ଜୁଲାଇ ଓ ଅଗଷ୍ଟରେ ସଂକ୍ରମିତଙ୍କ ସଂଖ୍ୟା ‘ପିକ୍‌’ରେ ପହଞ୍ଚିବା ଆଶଙ୍କା ଥିବାରୁ ରାଜ୍ୟମାନଙ୍କୁ ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ