ସଂକ୍ରମଣ ଭୟ ନାହିଁ, କାମରେ ବ୍ୟସ୍ତ ପୌର କର୍ମଚାରୀ
ହିଞ୍ଜିଳିକାଟୁ (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : ବିଶ୍ୱ ଏବେ କରୋନା ଆତଙ୍କରେ କବଳିତ । କରୋନା ଭୁତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକଡ଼ାଉନ ବଳବତର ରହିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ସରକାରଙ୍କ ପକ୍ଷରୁ ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍ ଦେଇ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ପ୍ରତ୍ୟହ ସକାଳ ସମୟର ପରିବା ବଜାର ଗହଳିକୁ ବାଦ୍ ଦେଲେ ଅବଶିଷ୍ଟ ସମୟ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ୁଛି । ସଂକ୍ରମଣକୁ ନେଇ ଚାରିଆଡ଼େ ଲୋକଙ୍କ ମନରେ ଭୟର ବାତାବରଣ ରହିଛି । ଉକ୍ତ ସମୟରେ ପୌର ପରିଷଦ ଅଧିନ ସଫେଇ କର୍ମଚାରୀ ମାନେ ନିଜ କର୍ତବ୍ୟରେ ଟିକିଏ ବି ଅବହେଳା ନକରି ଦିନରାତି ଏକାକାର କରି ନିଜ ନିଜ କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ହିଂଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ କହିଛନ୍ତି କରୋନା ମୁକାବିଲା ଲାଗି ୭୦ ଜଣ ସଫେଇ କର୍ମଚାରୀ ନିୟୋଜିତ ରହିଛନ୍ତି । ବିଳମ୍ବିତ ରାତିରେ ପୌରାଂଚଳର ବିଭିନ୍ନ ୱାର୍ଡ଼ ସପେଇ କରିବା ସହ ସକାଳ ସମୟରେ ରାସ୍ତାଘାଟରେ ବ୍ଳିଚିଂ ପକାଇବା ସହ ସହରର ସ୍ୱଛତା, ଅସହାୟ, ଗରୀବ, ନିରାଶ୍ରୟଙ୍କୁ କାଦ୍ୟ ପ୍ରଦାନ, ପୌରାଂଚଳକୁ ସାନିଟାଇଜର, ସନ୍ଧ୍ୟାରେ ମେସିନ ସହାୟତାରେ ଧୂଆଁ ଳସ୍ପ୍ରେ ଆଦି କାର୍ଯ୍ୟରେ ଲାଗିଛନ୍ତି । କରୋନା ଭୁତାଣୁକୁ ନେଇ ସାରା ବିଶ୍ୱରେ ଏକ ଘଡ଼ିସନ୍ଧି ମୁହୁର୍ତ ଦେଇ ଗତି କରୁଛି । କୌଣସି ଜରୁରୀ କାର୍ଯ୍ୟ ନଥିଲେ ଘରୁ ବାହାରକୁ ନବାହାରିବା ସକାଶେ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସହାୟତାରେ ନିବେଦନ କରାଯାଉଛି । ପୌରାଂଚଳର ଜନସାଧାରଣ ଘରେ ପରିବାର ସହ ସମୟ ଅତିବାହିତ କରୁଥିବା ବେଳେ ପୌର କର୍ମଚାରୀ ମାନେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିବାର ଦେଖିବାକୁ ମିଳୁଛି ।


