ସଂଗଠନ ନାମରେ ଅର୍ଥ ହରିଲୁଟ

ଯୋଡ଼ା, (ସମୀର କୁମାର ଦାସ) : ପୌରାଞ୍ଚଳ ଦୀର୍ଘ ଦିନରୁ ସ୍ୱାଧିନ ବିଧାୟକ ସନାତନ ମହାକୁଡଙ୍କ ଗଡ ଭାବେ ରହିଆସିଥିବା ବେଳେ ବିଜେଡି ସଂଗଠନକୁ ବର୍ତ୍ତମାନର ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ନିଜ ସପକ୍ଷରେ କରିବା ପାଇଁ ୧୪ଟି ୱାର୍ଡର ପ୍ରତି ୱାର୍ଡରୁ ୧୦ଜଣ ଲେଖାଁ କର୍ମିକୁ ନେଇ ଏକ ସଂଗଠନ କିଛି ମାସ ପୂର୍ବେ ତିଆରି କରିଥିଲେ । ଏହାର ଉଦ୍ଦେଶ୍ୟ ଥିଲା ବିଭିନ୍ନ ୱାର୍ଡର ଆଗଧାଡିର କର୍ମିମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ସହ ବିଜେଡି ସଂଗଠନକୁ ମଜବୁତ କରିବା । ପ୍ରତି ସଦସ୍ୟଙ୍କୁ ମାସିକ ୨ ହଜାର ଟଙ୍କା ଦେବା ପାଇଁ ବିଧାୟିକାଙ୍କ ସ୍ୱାମୀ ଭକ୍ତବନ୍ଧୁ ମହାନ୍ତ ପ୍ରତିଶ୍ରୁତି ଦେଇଥିଲେ । ସେହି ଖର୍ଚ୍ଚ ତୁଲାଇବା ପାଇଁ ବାଂଶପାଣି ରେଳ ସାଇଡିଂରେ ଏକ ରେଳ ଡବା ବୋଝେଇ କାର୍ଯ୍ୟ ହାତକୁ ନିଆଯାଇଥିଲା । ଏହି କାର୍ଯ୍ୟଟିକୁ ଶ୍ରୀହରି ଲୋଡିଂ ଟ୍ରାନ୍ସପୋର୍ଟ ନାମକ ଏକ ସଂସ୍ଥାକୁ ଦିଆଯାଇ ଏହାର ଲାଭାଂଶରୁ କର୍ମିମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା । ବାଂଶପାଣି ରେଳ ସାଇଡିଂକୁ ବିଭିନ୍ନ କମ୍ପାନୀର ମାସିକ ପ୍ରାୟ ୯ର‌୍ୟାକ ଲୁହାପଥର ସମ୍ପୃକ୍ତ ଲୋଡିଂ ଏଜେନ୍ସି ମାଧ୍ୟମରେ ବାହାରକୁ ପ୍ରେରଣ କରାଯାଇଥାଏ । ତେବେ ଗୋଟିଏ ର‌୍ୟାକରେ ପ୍ରାୟ ୩୮ ଶହ ମେଟ୍ରିକ ଟନ୍ ଲୁହାପଥର ଯାଉଥିବା ବେଳେ ଟନ୍ ପ୍ରତି ୨୦ ଟଙ୍କା ଲାଭ ରଖାଯାଇଥିଲେ ମାସିକ ୭ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଲାଭାଂଶ ମିଳିଥାଏ । ତେବେ କର୍ମିମାନଙ୍କ ମଧ୍ୟରେ ଏହି ଟଙ୍କା ବାଣ୍ଟିବା ପାଇଁ ବିଜେଡି ଦଳର ଜିଲା ସହସମ୍ପାଦକ ବାବୁଲାଲ ସାହୁ ଓ ଗୋବିନ୍ଦ ସାହୁଙ୍କୁ ଭକ୍ତବନ୍ଧୁ ଦାୟିତ୍ୱ ଅର୍ପଣ କରିଥିଲେ । ତେବେ ବାଂଶପାଣିରୁ ସମ୍ପୃକ୍ତ ଠିକା ସଂସ୍ଥା ମାଧ୍ୟମରେ ନିୟମିତ ଭାବେ ରେଳ ଡବା ବୋଝେଇ ହେଉଥିବା ବେଳେ ଦୀର୍ଘ ୩ମାସ ହେବ କର୍ମିମାନେ ସେମାନଙ୍କର ପ୍ରାପ୍ୟ ପାଇପାରିନଥିବା ଅଭିଯୋଗ ହୋଇଛି । ଯେଉଁମାନଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା ସେମାନେ ଏବେ କର୍ମିମାନଙ୍କୁ ଧରାଛୁଆଁ ଦେଉନଥିବା ବେଳେ କର୍ମିମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ଅର୍ଥ ବାଟମାରଣା ହୋଇଯାଇଥିବା ଏବେ କର୍ମିମାନେ ଅଭିଯୋଗ କରିଛନ୍ତି । କର୍ମିମାନଙ୍କର ପ୍ରାପ୍ୟ ତୁରନ୍ତ ପ୍ରଦାନ କରାନଗଲେ ଏକ ବଡଧରଣର ଆନ୍ଦୋଳନ ହେବ ବୋଲି କମାରଯୋଡା ଅଞ୍ଚଳର ଜଣେ କର୍ମି ଏମ୍‌ଡି ଶବିର ଖାନ ଓରଫ ନାନ୍‌କି ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଯୋଡାରେ ଅବସ୍ଥିତ ଏକ ଘରୋଇ କମ୍ପାନୀରେ କେତେକ କର୍ମିଙ୍କୁ ସ୍ଥାୟୀ ଚାକିରି କରାଇଦେବା ପ୍ରତିଶ୍ରୁତି ଦେଇ ମଧ୍ୟ ଅନେକ ଅର୍ଥ ଆଦାୟ କରାଯାଇଥିବା ବେଳେ ବିଜେଡିର କେତେକ ଛାମୁଆ ନେତା ନିଜ ସମ୍ପର୍କିୟମାନଙ୍କୁ ଏହି ଚାକିରିରେ ରଖାଇଦେଇଥିବା ଏବେ ଆଲୋଚନାର ବିଷୟ ପାଲଟିଛି । କର୍ମିମାନଙ୍କର ପ୍ରାପ୍ୟ ପାଇନଥିବା ଅଭିଯୋଗ ନେଇ ବାବୁଲାଲ ସାହୁଙ୍କୁ ପଚାରିବାରୁ ସେମାନଙ୍କର ପ୍ରାପ୍ୟ ଫେରିଯାଇଥିବା କହିବା ସହ କାଁ ଭାଁ କିଛି କର୍ମି ସେମାନଙ୍କର ପ୍ରାପ୍ୟ ପାଇନଥିବା ଗଣମାଧ୍ୟମରେ କହିଛନ୍ତି । ଏବେ ଏହି ସବୁ ଘଟଣାକୁ ନେଇ ବିଜେଡି ଦଳରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ