ସଂଗରୋଧ କେନ୍ଦ୍ରରେ ସରପଞ୍ଚ ଅନ୍ତେବାସୀ ବିବାଦ, ସୁପରିଚାଳନା ପାଇଁ କମିଟି ଗଠନ

ହାଟଡିହି : ଡଅଁର କ୍ୱାରେଣ୍ଟାଇନ ସେଣ୍ଟରରେ ସରପଞ୍ଚ ଓ ଅନ୍ତେବାସୀଙ୍କ ମଧ୍ୟରେ ବିବାଦ ଉଗ୍ର ରୁପ ଧାରଣ କରିବାପରେ ଆଜି ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଏହାର ଆପୋଷ ସମାଧାନ କରାଯିବା ସହ ସୁପାରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଛି । ଖବରରୁ ଜଣାଯାଇଛି ଯେ ଡଅଁର ହାଇସ୍କୁଲରେ ଥିବା ସଂଗରୋଧ କେନ୍ଦ୍ରରେ ୪୬ଜଣ ପ୍ରବାସୀ ଓଡିଆ ରହିଥିବାବେଳେ ଏମ.ଇ.ସ୍କୁଲରେ ୧୫ ଓ ଚଷାଖଣ୍ଡ ସ୍କୁଲରେ ୬ଜଣ ରହିଛନ୍ତି । ଆଜି ମଧ୍ୟ କିଛି ପ୍ରବାସୀ ଓଡିଆ ସରଳା ସଂଗରୋଧ କେନ୍ଦ୍ରରେ ଆସି ପହଞ୍ଚିଛନ୍ତି । କିନ୍ତୁ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ଅନ୍ତେବାସୀ ମାନଙ୍କୁ ସରପଞ୍ଚ ଖରାପ ବ୍ୟବହାର ଦେଖାଇବା, ସେମାନଙ୍କୁ ଉପଯୁକ୍ତ ଖାଦ୍ୟ ଦିଆନଯିବା, ସଂଗରୋଧ ଗୃହକୁ ସାନିଟାଇଜ ନକରିବା, ଛୋଟ ଛୁଆମାନଙ୍କୁ ଶିଶୁ ଖାଦ୍ୟ ନଦେବା, ଅନ୍ତେବାସୀଙ୍କୁ ଚା ଜଳଖିଆ ଠିକ ସମୟରେ ନଦେବା ଆଦି ନେଇ ଅନ୍ତେବାସୀମାନେ ସୋସିଆଲ ମିଡିଆରେ ଅଭିଯୋଗ କରିବାପରେ ସରପଞ୍ଚ ଓ ଅନ୍ତେବାସୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ଗତକାଲି ସନ୍ଧ୍ୟାରେ ପକୁଡି ଦିଆଯିବାକୁ ଥିବାବେଳେ ବିଳମ୍ବରେ ପକୁଡି ନେବାରୁ ଜଣେ ଅନ୍ତେବାସୀ ପକୁଡି ନେଇଥିବା ୱାର୍ଡ ସଭ୍ୟଙ୍କୁ ଗାଳି ଗୁଲଜ କରିବା ସହିତ ମାଡମାରିବାକୁ ଧମକ ଦେବା ଓ ସରପଞ୍ଚଙ୍କୁ ଗାଳିଗୁଲଜ କରିଥିଲେ । ଫଳରେ ୱାର୍ଡସଭ୍ୟଙ୍କ ପାଖରୁ ପକୁଡି ନରଖିବାରୁ ୱାର୍ଡସଭ୍ୟ ଜଣକ ପଳାଇ ଆସିଥିଲା । ଏହା ଶୁଣି ରୋଷେଇ କରୁଥିବା ରୋଷେୟା ଜଣକ ମଧ୍ୟ ରୋଷେଇ କାର୍ଯ୍ୟ ଛାଡି ପଳାଇଥିଲା । ଫଳରେ ରାତ୍ରୀ ଭୋଜନ ଦେବାନେଇ ଆଶଙ୍କା ପ୍ରକାଶ ପାଇଥିଲା । ଏ ସମ୍ପର୍କରେ ଅନ୍ତେବାସୀମାନେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇଥିବାବେଳେ ସରପଞ୍ଚ ମଧ୍ୟ ଉପ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଖବରପାଇ ସ୍ଥାନୀୟ କିଛି ଭଦ୍ରବ୍ୟକ୍ତି ଓ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନ୍ତେବାସୀ ଓ ସରପଞ୍ଚଙ୍କ ସହ ଆଲୋଚନା କରିବାପରେ ନିଜେ ରୋଷେଇ କରି ଅନ୍ତେବାସୀଙ୍କୁ ଖାଦ୍ୟ ପ୍ରଦାନ କରିଥିଲେ । ଆଜି ଆନନ୍ଦପୁର ଏସଡିପିଓ ବିଦ୍ୟୁତ ପଣ୍ଡା, ତହସିଲଦାର ଗାୟତ୍ରୀ ସୋରେନ, ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାଶ, ନନ୍ଦିପଦା ଥାନା ଅଧିକାରୀ ପରେଶ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ସରପଞ୍ଚ ହିସି ହେମ୍ରମ, ପିଇଓ ରମେଶ ମାଝୀ, ଜିଲ୍ଲାପରିଷଦ ସଦସ୍ୟାଙ୍କ ପ୍ରତିନିଧି ପ୍ରତାପ ଦେଓ, ସମାଜସେବୀ ରଞ୍ଜନ ପହି ପ୍ରମୁଖଙ୍କ ସହିତ ଆଲୋଚନା କରିଥିଲେ । ଅନ୍ତେବାସୀ ମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହିତ ସେମାନଙ୍କୁ ସରକାରଙ୍କ ତାଲିକାନୁଯାୟୀ ଖାଦ୍ୟ ପରିବେଷଣ କରାଯିବ ତା ଉପରେ ଗୁରୁତ୍ୱ ଦେଇଥିଲେ । ପରେ ପଞ୍ଚାୟତର ସରପଞ୍ଚ ହିସି ହେମ୍ରମଙ୍କ ଅଧ୍ୟକ୍ଷତାରେ ଏକ ଖାଦ୍ୟ ପରିବେଷଣ କମିଟି ଗଠନ କରାଯାଇଥିଲା । ଏଥିରେ ପିଇଓ ରମେଶ ମାଝୀ, ଜିଲ୍ଲାପରିଷଦ ସଦସ୍ୟା ପ୍ରଣତୀ ଦେଓ, ନାଏବ ସରପଞ୍ଚ ସୌଦାମିନୀ ଜେନା, ୱାର୍ଡ ସଭ୍ୟ ପ୍ରଶାନ୍ତ ରାଉତ, ସାମାଜିକ କର୍ମୀ ରବିନ୍ଦ୍ର ନାଥ ସେଠୀ, ୱାର୍ଡସଭ୍ୟ ସୁଶମା ବାରିକ, ଶିକ୍ଷାବିତ ଯଜାତି କେଶରୀ ରାଉତ, ସମାଜସେବୀ ରଞ୍ଜନ କୁମାର ପହି, ଦିନବନ୍ଧୁ ଜେନା ପ୍ରମୁଖ ସାମିଲ ହୋଇ ପ୍ରବାସୀ ଓଡିଆ ମାନଙ୍କୁ ଉପଯୁକ୍ତ ଖାଦ୍ୟ ପରିବେଷଣ କରିବାକୁ ନିଷ୍ପତି ନେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ