ସଂଗ୍ରାହକ ଶ୍ରୀ ଦାସରଥି ପଟ୍ଟନାୟକଙ୍କ ସ୍ମରଣେ

ବିପିନ ବିହାରୀ ମହାନ୍ତି
ଏକ ଜଣାସତ୍ୟ ଏହି ଯେ ଆସିବା ଜନକୁ ଦିନେ ନା’ ଦିନେ ଫେରିବାକୁ ହେବ । ଏହି ପୃଥିବୀରେ ତା’ର ସ୍ଥାୟୀତ୍ୱ ଏକ ମୁହୂର୍ତ୍ତ ପାଇଁ ହୋଇପାରେ ଅଥବା ଶତାଧିକ ବର୍ଷର ପରମାୟୁ ହୋଇପାରେ; ଆସିଛି ମାନେ ହିଁ ଫେରିବ; ସେ ଦେବତା ହେଉ କି ମଣିଷ ହେଉ: ମର୍ତ୍ତ୍ୟମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ । ଏହି କ୍ରମରେ ରାମଗଲେ: କୃଷ୍ଣ ଗଲେ : ଯୀଶୁ ଗଲେ : ରହିମ ଗଲେ …. ଏବଂ ପ୍ରବାଦ ପୁରୁଷ ଶ୍ରୀ ଦାଶରଥି ପଟ୍ଟନାୟକ ଗଲେ । କିଛି ବି ନୂଆ କଥା ନୁହେଁ ।
ଯିବା ଭିତରେ ପୁଣି ଯୋଗଜନ୍ମାମାନେ ରହିଯାଆନ୍ତି; ସ୍ୱଦେହରେ ନ ରହିଲେ ବି ତାଙ୍କ କୃତିରେ; ତାଙ୍କ ନାଁରେ; ଯୁଗ ଯୁଗକୁ ଆଗାମୀ କାଳଯାଏଁ : ମଣିଷ ଜୀବନ ନୁହଁଇଁ କେବଳ ବର୍ଷ ମାସ ଦିନ ଦଣ୍ଡ ; କ୍ରମେ ଯିଏ ନର, କର୍ମ ଏକା ତା’ର, ଜୀବନର ମାନଦଣ୍ଡ ।
ଏମିତି କର୍ମରେ ଆମ ପାଖେ ସବୁଦିନ ରହିଯାଇଛନ୍ତି ଶ୍ରୀ ଦାଶରଥି ପଟ୍ଟନାୟକ, ସଂଗ୍ରାହକ, ଉଦୟପୁର, ନୂଆଗାଁ, ନୟାଗଡ଼ । ସେ ରାଜନୀତି କରୁନଥିଲେ କି ବାଜେ ନୀତି କରୁନଥିଲେ; ସେ ସରକାରୀ ଚାକିରୀ କରି ପ୍ରିୟାପ୍ରୀତି କି ଶୋଷଣ କରୁନଥିଲେ ଅଥଚ ଚାକିରି ଛାଡ଼ିଦେଇଥିଲେ କୌଣସି ଲାଭଜନକ ବ୍ୟବସାୟ ପାଇଁ ନୁହେଁ; ସେବା ପାଇଁ, ସାହିତ୍ୟର ସେବା ପାଇଁ; ବାଣୀଙ୍କର ସେବା ପାଇଁ । ସେ ସାହିତ୍ୟିକ ନଥିଲେ; ସାହିତ୍ୟ ପ୍ରେମୀ ଥିଲେ । ସେ ମଧୁସୂଦନ, ଫକିରମୋହନ କି ଗୋପବନ୍ଧୁଙ୍କ ପରି ଓଡ଼ିଆ ଭାଷା, ଏ ମାଟି ଏବଂ ଓଡ଼ିଆମାନଙ୍କ ଉନ୍ନତି କଳ୍ପେ ସେମିତି କିଛି ଆଖିଦୃର୍ଶିଆ କାମ କରିନଥିଲେ ଅଥଚ ଓଡ଼ିଆ ଭାଷା ଏବଂ ଓଡ଼ିଆ ପ୍ରୀତିପାଇଁ ତାଙ୍କ ଆଖିରୁ ନିଦ ହଜିଯାଇଥିଲା । ସେ ଗାନ୍ଧୀ ନଥିଲେ ଅଥଚ ତାଙ୍କ କାନ୍ଧରେ ଗାନ୍ଧୀ ଝୁଲା ଥିଲା: ଜ୍ଞାନ ସଂଗ୍ରହ ଏବଂ ବିତରଣର ଝୁଲା ।
ପାଠାଗାର ଆନ୍ଦୋଳନ ତଥା ସଂସ୍କୃତି ସଂରକ୍ଷଣର ପ୍ରବର୍ତ୍ତକ ହିସାବରେ ଦାଶରଥି ପଟ୍ଟନାୟକଙ୍କର ଭୂମିକା ପାଇଁ ଅନ୍ୟ କାହାର ନଜିର ନାହିଁ କି ତାଙ୍କୁ ଭାଷାରେ ବର୍ଣ୍ଣି ହେବ ନାହିଁ । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବାଞ୍ଛାନିଧି ପାଠାଗାର, ଶ୍ରୀ ଅରବିନ୍ଦ ସଂଗ୍ରାହଳୟ ଏବଂ ଯଦୁମଣି ସାହିତ୍ୟ ସଂସଦ ତାଙ୍କ ଅମ୍ଳାନ କୃତିତ୍ୱର ନିଦର୍ଶନ । ଗୋଟାଏ ଭଙ୍ଗା ଟ୍ରଙ୍କରେ ସାଇତା ତିନି ବିଡ଼ା କାଗଜରୁ କେତେ ବଡ଼ବଡ଼ ତିନିଟା ଯାହାକି ଏ ଦେଶର ସୀମାରେଖା ଡେଇଁ ପୃଥିବୀ ଚମକାଇ ଦେଲା ।
ଶୂନ୍ୟ ହସ୍ତରେ ଜନ୍ମ ନେଇଥିôବା ଏହି ଅନୁଷ୍ଠାନ ଗୁଡ଼ିକ ଆକାଶ ଛୁଇଁ ଦେଲେ ଖାସ୍ ତାଙ୍କରି ଏଇ ମଗା ଯଚାରୁ ; ଦଶ ପଇସାରୁ । ଏଣୁ ସମସ୍ତଙ୍କ ମୁହଁରେ : ଦଶ ପଇସାର ରଜା; ଦାସିଆ ଅଜା । ମନ ଥିଲେ ଉପାୟ ଆସେ । ପାଟି ଫିଟିଲେ ଦୁଃଖ ଯାଏ ।
ଏତେ ବଡ଼ବଡ଼ କୃତିତ୍ୱର ଅଧିକାରୀ ହୋଇ ସେ ଥିଲେ ଗର୍ବ, ଅହଂକାର ଏବଂ ବଡ଼ିମା ରହିତ: ବେଶ୍ ଭଦ୍ର; ବେଶ୍ ନମ୍ର; ଏବଂ ବନ୍ଧୁବତ୍ସଳ । ପିନ୍ଧାକୁ ଖଣ୍ଡିଏ ଆଣ୍ଠୁ ନଲୁଚା ନାଲି ଗାମୁଛା, କାନ୍ଧକୁ ଗାନ୍ଧି ଝୁଲା; ମୁଣ୍ଡକୁ ଗାମୁଛାର ଠେକା; ହାତରେ ବାର୍ଦ୍ଧକ୍ୟର ବଙ୍କୁଲିବାଡ଼ି; ତହିଁକି ଏକ ଚକ୍ଷୁହୀନ, ଏମିତିଥିଲା ତାଙ୍କର ଆଭରଣ । ତଥାପି ସେ ଖେଦି ଯାଉଥିଲେ କୁଆଡ଼େ ବୋଇଲେ କୁଆଡ଼େ, ଜ୍ଞାନ ସଂଗ୍ରହରେ : ମୋତେ ବହିଟିଏ ଦିଅ; ପୁରୁଣା କାଗଜ କ’ଣ ରଖିଛ ଦିଅ; ପୋଥି ଓ ପୁରୁଣା ଜିନିଷ କ’ଣ ରଖିଛ, ତାକୁ ବଢ଼ାଇ ଦିଅ; ପାରୁଛ ଯଦି ମୋ ଅନୁଷ୍ଠାନ ପାଇଁ ଦଶ ପଇସା ଦାନ ଦିଅ ।
ପ୍ରତିଟି ପ୍ରାପ୍ତିର ସ୍ୱୀକାର କରୁଥିଲେ ସେ ସଂଗେସଂଗେ । ସେମିତି କାହାର ପ୍ରତିଟି ଲେଖା ପାଇଁ ପ୍ରେରଣାର ଉତ୍ସଥିଲେ ସେ । ନିଜର ସ୍ୱୀକୃତି ନଲୋଡ଼ି ସ୍ୱୀକୃତୀ ଦେଉଥିଲେ ଯଥାର୍ଥ ପାତ୍ରକୁ; ଉତ୍ସାହିତ କରୁଥିଲେ ।
ସଦାବେଳେ ତୁଣ୍ଡରୁ ଖସିଆସିଥାଏ ଗୋଟାଏ କଥା : ମଣିଷ ଆପଣା, ଧନ ପର, ଯେତେ ପାରୁଛ ମଣିଷ ଧର । ଭାବିଦେଖିଲେ କେତେ ଗଭୀର ଏହାର ଅର୍ଥ!
ନିଜ ସଂପର୍କରେ ସେ କହୁଥିଲେ:
କେହି ନ ଜାଣିବେ କେହି ନ ଦେଖିବେ
ନ କାନ୍ଦିବେ ଥରେ କେହି
ଚାଲି ଯିବି ଏକା ଏତିକି ମାଗୁଣୀ
ତୁମ ନାମ ଗାଇ ଗାଇ ।ା
ତାହାହିଁ ହେଲା । ଏକା ଏକା ଚାଲିଗଲେ ସମସ୍ତଙ୍କ ଅଲକ୍ଷ୍ୟରେ, ଅଜାଣତରେ । କାହାକୁ ପଦଟିଏ କହିଲେ ନାହିଁ ବିଶେଷ କରି ତାଙ୍କ ଅନୁଷ୍ଠାନମାନଙ୍କୁ ନେଇ; ଠିକ୍ ଆଜକୁ ୧୪ବର୍ଷ ତଳେ, ଏହି ସେପ୍ଟେମ୍ବର ୧୨ ତାରିଖରେ, ଆଜିର ଦିନରେ ।
ତାଙ୍କୁ ଆମେ କିଛି ଦେଇନେ । ସେ ବି ତ’ କିଛି ମାଗିନାହାଁନ୍ତି । ଏ ଦେଶ ତାଙ୍କୁ ମୋଟେ ଚିହ୍ନିଲା ନାହିଁ ଅଥଚ ଏ ଦେଶ ଯାହା କରିନପାରିଲା, ସେ କରିପାରିଲେ ଅକ୍ଲେଶରେ ।
ଅଶୁଝା ତାଙ୍କ ଋଣ । ସେ ଆଉ ଫେରିଆସିବେନି ଆମଠୁ ସମ୍ମାନ ଦାବୀ କରିବାରେ । ଆସିବେନିତ । ଆସିଲେ ବି ସମ୍ମାନ ଦାବୀ କରିବେ ନାହିଁ । ସେ ସେଇମିତିକା ଲୋକ । ଅନ୍ତତଃ ଆଜିର ଦିନରେ ଆମେ ତାଙ୍କ କଥା ଟିକିଏ ଭାବିବା ତ!
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନି ବିହାରୀ ପାଠାଗାର, ଜଟଣୀ, ଖୋର୍ଦ୍ଧା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ