ସଂଘର୍ଷପୂର୍ଣ୍ଣ ସାମ୍ବାଦିକତାରେ ବ୍ରତୀ ଥିଲେ ବୈଷ୍ଣବ ଜେନା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ସାମ୍ବାଦିକ ତଥା ସ୍ତମ୍ଭକାର ବୈଷ୍ଣବ ଚରଣ ଜେନାଙ୍କ ଅକାଳ ବିୟୋଗରେ ରବିବାର ସନ୍ଧ୍ୟାରେ ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ଓଡ଼ିଶା ପ୍ରେସ୍ ଏକାଡ଼େମୀ ତଥା ଡ଼େଭଲପମେଣ୍ଟ ନ୍ୟୁଜ ନେଟୱର୍କ (ଡିଏନଏନ)ର ମିଳିତ ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏକାଡ଼େମୀର ଉପସଭାପତି ତଥା ବିଶିଷ୍ଟ ବେଦବିଜ୍ଞାନୀ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ବାଦିକ ବିଶ୍ୱନାଥ ସାମଲ, ସୁଜ୍ଞାନ କୁମାର ଚୌଧୁରୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସାମ୍ବାଦିକ ଜେନାଙ୍କର ସଂଘର୍ଷମୟ ସାମାଜିକ ଜୀବନ, ଉଚ୍ଚମାନର ସାମ୍ବାଦିକତା ଏବଂ ସମଗ୍ର ସାମ୍ବାଦିକ ମହଲରେ ଆତ୍ମୀୟତା ତାଙ୍କୁ ସ୍ମରଣୀୟ କରି ରଖିବ ବୋଲି ମତ ରଖିଥିଲେ । ତାଙ୍କର ଅକାଳ ବିୟୋଗ ଓଡ଼ିଶା ସାମ୍ବାଦିକ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ବକ୍ତାମାନେ କହିଥିଲେ ।ଶ୍ରଦ୍ଧାଞ୍ଜଳି ସଭା ପ୍ରାରମ୍ଭରେ ଏକାଡ଼େମୀର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ପ୍ରଧାନ ସ୍ୱର୍ଗତ ଜେନାଙ୍କ ସ୍ମୃତିଚାରଣ କରିଥିଲେ । ସଭାରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ, ବିବେକାନନ୍ଦ ଜେନା, ମାଧବ ବେଉରା, ସୁରେଶ କର, ରାଜକିଶୋର ଦାସ, ବିଜୟ କୁମାର ପଣ୍ଡା, ବଳରାମ ପ୍ରସାଦ ନନ୍ଦ, ହଳଧର ଧୀର, ସନାତନ ଦଳବେହେରା, ତୁଷାର ପଟ୍ଟନାୟକ, ଦେବକାନ୍ତ ମହାପାତ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ରୀତୀଞ୍ଜଳି ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।