ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପକ୍ଷରୁ ପାରଳାଖେମୁଣ୍ଡି ଠାରେ ରେଳରୋକ ଆନ୍ଦୋଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଉତ୍ତର ପ୍ରଦେଶର ଲଖନପୁରର ଖେରୀ ଘଟଣାରେ ସଂପୃକ୍ତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ବରଖାସ୍ତ ଓ ଗିରଫ କରିବା, ଘଟଣାରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା, କୃଷକ ବିରୋଧୀ ତିନିକଳା କୃଷି ଆଇନ ଓ ପ୍ରସ୍ତାବିତ ବିଦ୍ୟୁତ୍ ବିଲ୍‌ର ପ୍ରତ୍ୟାହାର ଏବଂ ସବୁ କୃଷିଜାତ ଦ୍ରବ୍ୟର ସହାୟକ ଦର ପାଇଁ ଆଇନ ଦାବିରେ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ରେଳରୋକ ଆନ୍ଦୋଳନ ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେଳଷ୍ଟେସନ ଠାରେ ଅଖିଳ ଭାରତ କିଶାନ୍ ମଜଦୁର ସଭା ଓ ସଂଯୁକ୍ତ କିଶାନ୍ ମୋର୍ଚ୍ଚା ନେତୃତ୍ୱରେ ଶତାଧିକ କୃଷକ, ଆଦିବାସୀ ଓ ଦିନ ମଜୁରିଆମାନଙ୍କ ପକ୍ଷରୁ ରେଳରୋକ ଆନ୍ଦୋଳନ କରାଯାଇଥିଲା । ଆନ୍ଦୋଳନ ଫଳରେ ରାଉରକେଲା-ଗୁଣପୁର ରାଜ୍ୟରାଣୀ ଏକ୍ସପ୍ରେସ ଟ୍ରେନ୍ ଅନେକ ସମୟ ଧରି ଅଟକି ରହିଥିଲା । ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଲୋଗାନମାନ ଦେଇ ମୋଦି ସରକାରଙ୍କ ତିନିକଳା କୃଷି ଆଇନ ଓ ଦରଦାମ୍ ବୃଦ୍ଧିର ବିରୋଧ କରିଥିଲେ । କୃଷି ଆଇନ ବିରୋଧରେ ଦୀର୍ଘ ଏଗାର ମାସ ଧରି କୃଷକ ମାନଙ୍କ ଐତିହାସିକ ଆନ୍ଦୋଳନ ଚାଲିଥିବା ବେଳେ ସରକାର ସେମାନଙ୍କ ଦାବିକୁ ମାନିବା ପରିବର୍ତ୍ତେ ତାକୁ ଭାଙ୍ଗିବା ପାଇଁ ଯେଉଁ ଷଡଯନ୍ତ୍ର କରୁଛନ୍ତି ତାର ନିନ୍ଦା କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ କିଶାନ୍ ମଜଦୁର ସଭାର ଜିଲ୍ଲା ସମ୍ପାଦକ କେଦାର ଶବର, ଜିଲ୍ଲା କମିଟି ସଭ୍ୟ କାରୁଗା ଶବର, ସୁମ୍ବାରା ଶବର, ସୁଙ୍କା ଶବର, କାଡୁକା ଶବର, ଦେବଗିରି ଶ୍ରମିକ ସଂଗଠନର ସମ୍ପାଦକ ଏନ୍‌. ଚନ୍ଦ୍ର, ଗଜପତି ଜିଲ୍ଲା ରଇତ କୁଲି ସଂଘ ପକ୍ଷରୁ ରକମ୍ ଲୋକନାଥମ୍ ପ୍ରମୁଖ ଯୋଗ ଦେଇ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ