ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନ କ୍ରମେ ସୋମବାର ଦେଶବ୍ୟାପି ପ୍ରତିବାଦ ଆନ୍ଦୋଳନ ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ପ୍ରକାଶ ଥାଉକି ୩ଟି କଳା କୃଷି ଆଇନକୁ ପ୍ରତ୍ୟାହାର କରିବା ଓ କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୁଲ୍ୟ (ଏମ୍.ଏସ୍.ପି) ପାଇଁ ଆଇନ ଆଣିବା ଦାବିରେ ବର୍ଷାଧିକ କାଳ ସାରା ଦେଶବ୍ୟାପୀ କୃଷକ ଆନ୍ଦୋଳନ ଫଳରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ମଥାନତ କରିବା ସହିତ ପାର୍ଲ୍ୟାମେଣ୍ଟରେ କେବଳ କୃଷି ଆଇନକୁ ପ୍ରତ୍ୟାହାର କରି ନେଇଛନ୍ତି । ଅନ୍ୟ ପକ୍ଷରେ କୃଷକମାନଙ୍କର ମୁଳ ଦାବି ଯଥା କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ପାଇଁ କେନ୍ଦ୍ର ସ୍ତରରେ ଏକ ପ୍ୟାନେଲ ଗଠନ କରିବା, ଲକ୍ଷ୍ମୀପୁର ଖେରି ଆନ୍ଦୋଳନକାରୀ କୃଷକ ହତ୍ୟା ଘଟଣାରେ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ମନ୍ତ୍ରୀପଦରୁ ବହିଷ୍କାର କରିବା, ବର୍ଷାଧିକ କାଳ ଆନ୍ଦୋଳନକାରୀ କୃଷକମାନଙ୍କ ବିରୁଦ୍ଧରେ କରାଯାଇଥିବା ବିଭିନ୍ନ ମକଦ୍ଦମା ପ୍ରତ୍ୟାହାର କରିବା ପ୍ରଭୃତି ଦାବି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆନ୍ଦୋଳନ ପ୍ରତ୍ୟାହୃତ ହେବାର ୪ମାସ ଅତିକ୍ରମ କରିଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଦେଶର କୃଷକ ସମାଜ ଓ ଦେଶବାସୀଙ୍କୁ ପ୍ରତାରିତ କରାଯାଇଛି । ମୋଦୀ ସରକାର ଜବାବ ରକ୍ଷା କରିବାରେ ବିଫଳ ହୋଇଛନ୍ତି । ପ୍ରକାଶ ଥାଉକି ଆଜି ବି ହତ୍ୟାକାରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ରାଜ ରାସ୍ତାରେ ବୁଲୁଛି । ଆନ୍ଦୋଳନ ପ୍ରତ୍ୟାହୃତ ହେଲାବେଳେ ସଂଯୁକ୍ତ କିଷାନ ମୋର୍ଚ୍ଚା ଘୋଷଣା କରିଥିଲା ଯଦି କେନ୍ଦ୍ର ସରକାର ସମସ୍ତ ଦାବି ଗୁଡିକୁ ମାନି ନନିଅନ୍ତି ତାହେଲେ ପୁଣି ବ୍ୟାପକ ଆନ୍ଦୋଳନ ହେବ । ଆଜିର ବିକ୍ଷୋଭରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଜିଲ୍ଲା ଆବାହକ ଗୟାଧର ଧଳ,ଏଆଇକେଏସ୍ ନେତା ରମଣୀ ରଞ୍ଜନ ରାଉତରାୟ, କିଷାନ କଂଗ୍ରେସର ରାଜ୍ୟ ଉପସଭାପତି ମହେନ୍ଦ୍ର କୁମାର ପରିଡା, ଓଡିଶା କୃଷକ ସଭାର ଜିଲ୍ଲା ସଭାପତି ଉମେଶ ଚନ୍ଦ୍ର ସିଂହ, ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ଆବାହକ ଦାଶରଥୀ ସାହୁ, ସିଆଇଟିୟୁ ଜିଲ୍ଲା ସମ୍ପାଦକ ଜଗତ ଜୀବନ ଦାସ, ଏଆଇଟିୟୁସି ଜିଲ୍ଲା ସଭାପତି ବାବାଜୀ ଧଳ, ଏଆଇକେକେଏମ୍ଏସ୍ ଜିଲ୍ଲାନେତ୍ରୀ ଏଲିନା ସାମନ୍ତରାୟ, ଓଡିଶା କୃଷକ ସଭା ଜିଲ୍ଲା ଯୁଗ୍ମ ସମ୍ପାଦକ ବିଜୟ ଦାସ, ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ନରୋତ୍ତମ ପାର୍ଥସାରଥୀ, ଗ୍ରାମୀଣ ଚାଷୀ ମୁଲିଆ ସଂଘର ସଭାପତି ଫକୀର ଖଟୁଆ, ଆଦିକନ୍ଦ ରାଉଳ, ହୀରାମଣୀ ରାଉତ, ନିରଞ୍ଜନ ମେକାପ, ମନୋଜ କୁମାର ଓଝା, କାଶିନାଥ ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ । ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ଆସି ସଭାମଞ୍ଚ ପାଖରୁ ଗ୍ରହଣ କରିଥିଲେ । ପ୍ରକାଶ ଥାଉକି ଶ୍ରମିକ ସଂଗଠନମାନଙ୍କ ଡାକରାରେ ଆସନ୍ତା ମାର୍ଚ୍ଚ ୨୮ ଓ ୨୯ ଦେଶବ୍ୟାପୀ ହରତାଳ ଓ ଭାରତ ବନ୍ଦକୁ ଆଜିର ବିକ୍ଷୋଭରେ ସମର୍ଥନ କରାଯାଇଥିଲା । କେନ୍ଦ୍ରର ମୋଦୀ ସରକାର ଏହି ଦାବିଗୁଡିକୁ ମାନି ନନେଲେ ବ୍ୟାପକ ଗଣ ଆନ୍ଦୋଳନ ହେବ ବୋଲି ଆନ୍ଦୋଳନକାରୀମାନେ ଘୋଷଣା କରିଥିଲେ ।