ସଂସଦରେ ଅଚଳାବସ୍ଥା
ଏଥିରେ ଦ୍ୱିମତ ନାହିଁ ଯେ, ପାର୍ଲିଆମେଂଟ ହେଉ ବା ବିଧାନସଭା ହେଉ, ଆଲୋଚନାରେ ଅଚଳାବସ୍ଥା, ବିଶୃଙ୍ଖଳା, ହଟ୍ଟଗୋଳ ଏବଂ ବାରମ୍ବାର ମୁଲତବୀ ଏବେ ଏକ ନିୟମିତ ଘଟଣାରେ ପରିଣତ ହୋଇଗଲାଣି । ମାତ୍ର ଏଥିପ୍ରତି ସରକାର, ଶାସକଦଳ କିମ୍ବା ବିରୋଧିଦଳ ଚିନ୍ତିତ, ଉଦ୍ବିଗ୍ନ ନୁହଁନ୍ତି, ଏହା ସ୍ପଷ୍ଟ ଅନୁମେୟ । ଏବେ ପାର୍ଲିଆମେଂଟର ଶୀତକାଳୀନ ଅଧିବେଶନ ତୃତୀୟ ସପ୍ତାହରେ ପ୍ରକାଶ କରିଥିବା ସତ୍ୱେ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଉଭୟ ଲୋକସଭା ଓ ରାଜ୍ୟସଭାରେ ଅଚଳାବସ୍ଥା ଲାଗି ରହିଛି । ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାୟା ବିଭାଗ ଦ୍ୱାରା ଦେଶର ଖ୍ୟାତନାମା ଶିଳ୍ପପତି ଗୌତମ ଆଦାନୀ ଏବଂ ତାଙ୍କ କମ୍ପାନୀ ଭର୍ତ୍ସିତ ହେବା ଘଟଣା ଉପରେ ଗୃହରେ ଆଲୋଚନା ପାଇଁ ବିରୋଧି ଦଳ କିଛି ଆସୁଥିବାବେଳେ ସରକାର ଏଥିପାଇଁ ଅନୁମତି ଦେଉନାହାଁନ୍ତି । ପରିଣତି ସ୍ୱରୁପ ବିରୋଧି ଦଳ ଗୃହର ମଧ୍ୟ ଭାଗକୁ ପଶି ଆସି ହଟ୍ଟଗୋଳ କରିବା ଫଳରେ ଅଚଳାବସ୍ଥା ଲାଗି ରହିଛି । ସେହିପରି ବିରୋଧି କଂଗ୍ରେସକୁ ମୁକାବିଲା କରିବା ପାଇଁ ଆମେରିକାର ବିଶିଷ୍ଟ ବ୍ୟବସାୟୀ ଜର୍ଜ ସୋରୋସଙ୍କ ସହ ସୋନିଆ ଗାନ୍ଧୀଙ୍କ ସମ୍ପର୍କ ପ୍ରସଙ୍ଗ ଜଣାଉଛି । ସୋରେସ ଭାରତ ବିରୋଧି ସଂଗଠନ ଗୁଡିକୁ ପାଣ୍ଠି ସହାୟତା ଯୋଗାଉଥିବା ବିଜେପି ଅଭିଯୋଗ କରିଛି । ରାଜ୍ୟସଭାରେ ମଧ୍ୟ ଅନୁରୂପ ଅବସ୍ଥା ଲାଗି ରହିଛି । ରାଜ୍ୟସଭାର ଅଧ୍ୟକ୍ଷ ପକ୍ଷପାତିତା କରୁଥିବା ଅଭିଯୋଗରେ ବିରୋଧି ଦଳ ତାଙ୍କ ବିରୁଦ୍ଧରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରିବା ଆଉ ଏକ ଉଲ୍ଳେଖନୀୟ ଘଟଣା । ଭାରତୀୟ ସଂସଦୀୟ ଇତିହାସରେ ଗୃହର ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅବିଶ୍ୱାସ ପ୍ରସ୍ତାବ ଆଗତ ହେବା ପ୍ରଥମ ଘଟଣା ବୋଲି କୁହାଯାଏ । ଏହା ନିସନ୍ଦେହ ଯେ, ଗୃହର ସୁପରିଚାଳନା କ୍ଷେତ୍ରରେ ବାଚସ୍ପତି ଏବଂ ଅଧ୍ୟକ୍ଷଙ୍କ ଭୂମିକା କିଛି କମ୍ ନୁହେଁ । ଗୃହର ଅଧ୍ୟକ୍ଷ ଭାବେ ସେମାନେ ନିର୍ଦ୍ଦଳୀୟ ବା ନିସ୍ପକ୍ଷ ଭୂମିକା ନିର୍ବାହ କରିବା ନେଇ ସମ୍ବିଧାନର ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ୱେ ଏଥିରେ ବ୍ୟତିକ୍ରମ ଘଟୁଥିବା ପରିଲକ୍ଷିତ ହୁଏ । ଯାହାର ପରିଣତ ବିରୋଧି ଦଳ ଗୃହରେ ପ୍ରତିବାଦ ପୂର୍ବକ ହଟ୍ଟଗୋଳ କରିଥାଏ । ସେହିପରି ଗୃହର ସୁପରିଚାଳନା କ୍ଷେତ୍ରରେ ବିରୋଧି ଦଳର ଭୂମିକା ଯେତିକି ରହିଛି, ସରକାରୀ ଦଳର ଭୂମିକା ମଧ୍ୟ କିଛି କମ ନୁହେଁ । ଶୃଙ୍ଖଳିତ ଅଧିବେଶନ ପାଇଁ ବିରୋଧି ଦଳର ସହଯୋଗ ଲୋଡିବା ପରିବର୍ତେ ଶାସନ ଦଳର ମୁକାବିଲା ମନୋଭାବ ପରିସ୍ଥିତିକୁ ଅଣାୟତ କରି ଶାସକ ଦଳର ମୁକାବିଲା ମନୋଭାବ ପରିସ୍ଥିତିକୁ ଅଣାୟତ କରି ଦେଉଛି ବୋଲି କୁହାଯାଇପାରେ । କହିବା ବାହୁଲ୍ୟ ଯେ, ପାର୍ଲିଆମେଂଟ ହେଉ ବା ବିଧାନସଭା ହେଉ, ହେଉଛି ଆଲୋଚନାର କ୍ଷେତ୍ର । ମୁକାବିଲାର କ୍ଷେତ୍ର ନୁହେଁ । ଅଧିବେଶନ ସମୟରେ ଦେଶବାସୀ ସେମାନଙ୍କର ପ୍ରତିନିଧିଙ୍କ ଠାରୁ ବହୁତ କିଛି ଆଶା କରିଥାନ୍ତି । ମାତ୍ର ଗୃହରେ ଅଚଳାବସ୍ଥା ସେମାନଙ୍କୁ ନିରାଶା କରୁଛି । କେବଳ ଏତିକି ନୁହେଁ, ହଟ୍ଟଗୋଳ, ବିଶୃଙ୍ଖଳା ଯୋଗୁଁ ଅଧିବେଶନର ଅବଧି ମଧ୍ୟ କମି କମି ଯାଉଛି । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ତଥା ଅବଧି ପୂର୍ବରୁ ଅଧିବେଶନ ଶେଷ ହେବା ଏବେ ଏକ ପରମ୍ପରାରେ ପରିଣତ ହୋଇଛି କହିଲେ ହୁଏତ ଅତିରଂଜିତ ହେବ ନାହିଁ । ଦେଶ ସ୍ୱାଧୀନତା ପରେ ୧୯୫୨-୫୭ ପ୍ରଥମ ଲୋକସଭାରେ ସବାଧିକ ୬୭୭ ବୈଠକ (ସିଟିଂ) ଅନୁଷ୍ଠିତ ହୋଇଥିବାବେଳେ ଏବେ ଏହା ଏକ ତୃତୀୟାଂଶକୁ ହ୍ରାସ ପାଇଛି । ଗଲା ସପ୍ତାଦଶ ଲୋକସଭାରେ ମାତ୍ର ୨୭୨ ଦିନ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ହଟ୍ଟଗୋଳ ଯୋଗୁଁ ଗୋଟିଏ ଗୋଟିଏ ଅଧିବେଶନ ସମ୍ପୂର୍ଣ୍ଣ ଧୋଇ ଯାଇଛି । ଯାହାର ଜ୍ୱଳନ୍ତ୍ର ଉଦାହରଣ ହେଉଛି ଚଳିତ ଅଧିବେଶନ । ଉଲ୍ଲେ୍ଖ କରାଯାଇପାରେ ଯେ, ଗଣତନ୍ତ୍ରର ପବିତ୍ର ମନ୍ଦିର ପାର୍ଲିଆମେଂଟର ଅଧିବେଶନ ସମୟରେ ପ୍ରତି ଘଂଟା ପାଇଁ ୨୫୦୦ ଟଙ୍କା ରାଜକୋଷରୁ ବ୍ୟୟ ହେଉଛି । ମାତ୍ର ହଟ୍ଟଗୋଳ ଯୋଗୁଁ ଗୃହର ବହୁ ମୂଲ୍ୟବାନ ସମୟ ନଷ୍ଟ ହେବା ଯୋଗୁଁ କରଦାତାଙ୍କ ଅର୍ଥରେ ସମୃଦ୍ଧ ରାଜକୋଷରୁ ଶହଶହ କୋଟି ଟଙ୍କା ପାଣିରେ ପଡିବା ସାର ହେଉଛି । କେବଳ ଅର୍ଥ ଅପବ୍ୟୟ ନୁହେଁ, ଲୋକପ୍ରତିନିଧିଙ୍କ ଜନସାଧାରଣଙ୍କ ଆସ୍ଥା, ବିଶ୍ୱାସ ହ୍ରାସ ପାଇବାରେ ଲାଗିଥିବା ମନେ ହୁଏ । ଅନେକ ସମୟରେ ବିରୋଧି ଦଳର ଅନୁପସ୍ଥିତି କିମ୍ବା ହୋ ହାଲା ମଧ୍ୟରେ ଅତ୍ୟନ୍ତ ତରବରିଆ ଭାବେ ବିନା ଆଲୋଚନାରେ ସଂଖ୍ୟାବଳରେ ବିଲ ଗୃହୀତ ହେବା ତଥା ନୂତନ ଆଇନ ଅନୁମୋଦିତ ହେବା ବହୁ ନଜୀର ରହିଛି । ଚଳିତ ଲୋକସଭା ଅଧିବେଶନର ପନ୍ଦରଟି କାର୍ଯ୍ୟ ଦିବସ ଧୋଇ ହୋଇଗଲାଣି । ଦେଶ ଆଗରେ ବହୁ ସମସ୍ୟା ରହିଛି । ବିଶେଷ କରି ମୁଦ୍ରାସ୍ଫୀତି ବୃଦ୍ଧି, ଅଭିବୃଦ୍ଧି ହ୍ରାସ ଅର୍ଥନୀତି ପ୍ରତି ଗୁରୁତ୍ୱର ଚ୍ୟାଲେଞ୍ଜ ସୃଷ୍ଟି କରିବାକୁ ଯାଉଛି । ଆହୁରି ମଧ୍ୟ ଆଦାନୀଙ୍କୁ ଭର୍ତ୍ସନା ଅଭିବୃଦ୍ଧି ପ୍ରତି ଏକ ଚ୍ୟାଲେଞ୍ଜ ହୋଇଥିବାବେଳେ, ମଣିପୁର ସଂକଟରେ କେନ୍ଦ୍ରର ଭୂମିକା, ଉପାସନା ପୀଠ ଆଇନ, ଦିଲ୍ଲୀ-ଢାକା ଆଲୋଚନା ଉପରେ ଗୃହରେ ବିତର୍କ ହେବାର ଆବଶ୍ୟକତା ରହିଛି । ସଂସଦରେ ଅଚଳାବସ୍ଥା ଦେଶ ଓ ଦେଶର ସ୍ୱାର୍ଥ ପାଇଁ ଅତ୍ୟନ୍ତ କ୍ଷତିକାରକ, ଏହା ସରକାର ଓ ଲୋକପ୍ରତିନିଧିମାନେ ଭୁଲିଯିବା ଉଚିତ ନୁହେଁ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,