ସଂସଦରେ ଗଡ଼ସେ ଟିପ୍ପଣୀ : ୨ଥର କ୍ଷମା ମାଗିଲେ ପ୍ରଜ୍ଞା

ନୂଆଦିଲ୍ଲୀ : ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଗତ ବୁଧବାର ଦିନ ସଂସଦରେ ଦେଇଥିବା ଗଡ଼ସେ ଟିପ୍ପଣୀ ପାଇଁ ଶୁକ୍ରବାର ଲୋକସଭାରେ କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ ଥରେ ନୁହେଁ, ପ୍ରଜ୍ଞା ଶୁକ୍ରବାର ଲୋକସଭାରେ ଦୁଇଥର କ୍ଷମା ମାଗିଛନ୍ତି । ସାଧ୍ୱୀ ପ୍ରଥମେ ଲୋକସଭାରେ କ୍ଷମା ମାଗି କହିଥିଲେ ଯେ, ଯଦି ତାଙ୍କ ଟିପ୍ପଣୀ କାହାକୁ କଷ୍ଟ ଦେଇଛି ତେବେ ସେ ଏଥିପାଇଁ ପଶ୍ଚାତାପ କରୁଛନ୍ତି ଏବଂ କ୍ଷମା ପ୍ରାର୍ଥନା କରୁଛନ୍ତି । ପ୍ରଜ୍ଞା କହିଛନ୍ତି, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଦେଶ ପ୍ରତି ଥିବା ଅବଦାନକୁ ସେ ସମ୍ମାନ କରୁଛନ୍ତି । ତେବେ ଲୋକସଭାରେ ତାଙ୍କ ଟିପ୍ପଣୀକୁ କଦର୍ଥ କରାଯାଇଛି ବୋଲି ସେ କହିଥିଲେ । ପ୍ରଜ୍ଞାଙ୍କ କ୍ଷମା ପ୍ରାର୍ଥନା ପରେ ବିରୋଧୀ ଦଳ ନେତାମାନେ ତୀବ୍ର ପ୍ରତିବାଦ କରି କ୍ଷମା ପ୍ରାର୍ଥନା ଶୈଳୀକୁ ବିରୋଧ କରିଥିଲେ । ପ୍ରଜ୍ଞା ବିନା ସର୍ତ୍ତରେ କ୍ଷମା ମାଗନ୍ତୁ ବୋଲି ବିରୋଧୀ ଦଳ ନେତାମାନେ କହିଥିଲେ । ବିଶେଷ କରି କଂଗ୍ରେସ ଏହି ପ୍ରସଙ୍ଗରେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲା । ପ୍ରଜ୍ଞା ଲୋକସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମ ନନେଇ ତାଙ୍କୁ କଡ଼ା ସମାଲୋଚନା କରିଥିଲେ । ରାହୁଲ ପ୍ରଜ୍ଞାଙ୍କୁ ଆତଙ୍କବାଦୀ ବୋଲି କହି ଟ୍ୱିଟ୍ କରିଥିବାରୁ ଏହାକୁ ବିଜେପି ମଧ୍ୟ ଜୋରଦାର ବିରୋଧ କରିଥିଲା । ପ୍ରଜ୍ଞା କହିଛନ୍ତି ରାହୁଲ ଗାନ୍ଧୀ ମତେ ଆତଙ୍କବାଦୀ କହି ମୋ ସମ୍ମାନ ଉପରେ ଆକ୍ରମଣ କରିଛନ୍ତି । ଉଲ୍ଲେଖଯୋଗ୍ୟ ରାହୁଲ ଗାନ୍ଧୀ ଏକ ଟ୍ୱିଟ୍ କରି ସାଧ୍ୱୀଙ୍କୁ ଆତଙ୍କବାଦୀ କହିଥିଲେ । ବିଜେପି ଶୁକ୍ରବାର ଗୃହରେ ରାହୁଲଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଣିବା ପାଇଁ ଦାବି ଉଠାଇଥିଲା । ରାହୁଲ ଏ ବାବଦରେ କହିଛନ୍ତି ଯେ ମୁଁ ଯାହା କହିଛି ଠିକ୍ କହିଛି ଏବଂ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ ।
ଶୁକ୍ରବାର ମଧ୍ୟାହ୍ନ ଭୋଜନ ପରେ ଲୋକସଭା କାର୍ଯ୍ୟ ଆରମ୍ଭ ବେଳେ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ପୁଣିଥରେ ଗୃହରେ କ୍ଷମା ମାଗିଥିଲେ । ବିଜେପି ଦ୍ୱାରା ପ୍ରଜ୍ଞାଙ୍କୁ ପୁଣିଥରେ କ୍ଷମା ମାଗିବା ପାଇଁ କୁହାଯିବା ପରେ ସେ କ୍ଷମା ମାଗିଥିଲେ । ସେ କହିଥିଲେ ମୁଁ ନାଥୁରାମ ଗଡ଼ସେଙ୍କୁ”ଦେଶଭକ୍ତ’ କହିନାହିଁ । ମୁଁ ମଧ୍ୟ ତାଙ୍କ ନାମ ନେଇନାହିଁ । ଯଦି ମୁଁ କାହାର ଭାବନାକୁ ଆଘାତ ଦେଇଥାଏ ତେବେ ମୁଁ ପୁଣିଥରେ କ୍ଷମା ମାଗୁଛି ବୋଲି ପ୍ରଜ୍ଞା କହିଥିଲେ । ବାଚସ୍ପତି ଓମ୍ ବିର୍ଲା ଏହି ପ୍ରସଙ୍ଗର ରାଜନୀତିକରଣ ନ କରିବାପାଇଁ ବିରୋଧୀ ଦଳ ନେତାମାନଙ୍କୁ ଅନୁରୋଧ କରିଥିଲେ ଏବଂ ଗୃହରେ ଶୃଙ୍ଖଳା ବଜାୟ ରଖିବାପାଇଁ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ