ସଂସଦରେ ସଙ୍ଗୀତାଙ୍କୁ ଦୁଇ ମହିଳା ସାଂସଦଙ୍କ ଆକ୍ରମଣ
ନୂଆଦିଲ୍ଲୀ:ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓଙ୍କୁ ଆକ୍ରମଣ। ତାହା ପୁଣି ଗଣତନ୍ତ୍ରର ମନ୍ଦିର ସଂସଦ ଭବନରେ। ଆକ୍ରମଣ ନେଇ ନିଜେ ମୁହଁ ଖୋଲିଛନ୍ତି ସଂଗୀତା ସିଂହଦେଓ। ଲୋକସଭାରେ ବିରୋଧୀ ଦଳର ଦୁଇ ମହିଳା ସାଂସଦ ତାଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ ଆଣିଛନ୍ତି।
ସଙ୍ଗୀତା ସିଂଦେଓ ମିଡିଆକୁ କହିଛନ୍ତି, ବିରୋଧୀ ଦଳ ନେତାମାନେ ବାଚସ୍ପତିଙ୍କୁ କାମ କରାଇ ଦେଉ ନ ଥିଲେ। ମୁହଁ ସାମ୍ନାରେ ବ୍ୟାନର ଟାଣି କାର୍ଯ୍ୟରେ ବ୍ୟାଘାତ କରୁଥିଲେ। ନିଜ ଆସନ ଛାଡ଼ି ଟ୍ରେଜେରି ବେଞ୍ଚକୁ ଆସି ପାଟିତୁଣ୍ଡ କରୁଥିଲେ। ଏହି ସମୟରେ ଦୁଇଜଣ ମହିଳା ସାଂସଦ ରାମ୍ୟାଲକ୍ଷ୍ମୀ ଓ ଜ୍ୟୋତିମଣି ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ତାଙ୍କ ହାତକୁ ଆଞ୍ଚୁଡ଼ି ଦେବା ସହ କହୁଣୀରେ ଛାତିକୁ ମାରିଥିଲେ ବୋଲି ସଂଗୀତା ଅଭିଯୋଗ କରିଛନ୍ତି। ଏପରିକି ଠିକ୍ ସମୟରେ ସ୍ମୃତି ଇରାନୀ ପହଞ୍ଚି ରକ୍ଷା କରି ନ ଥିଲେ ସେ ପଡ଼ି ଯାଇଥାନ୍ତେ ବୋଲି କହିଛନ୍ତି । ତେବେ ଘଟଣା ପରେ ସେ ସଂସଦ ହସ୍ପିଟାଲ ଯାଇ ଚିକିତ୍ସା କରାଇଛନ୍ତି। ପରେ ମେଡିକାଲ ରିପୋର୍ଟ ସହ ବାଚସ୍ପତିଙ୍କୁ ଅଭିଯୋଗ କରିଛି ବୋଲି ସଙ୍ଗୀତା କହିଛନ୍ତି।